ବିଶ୍ୱ ମ୍ୟାଲେରିଆ ଦିବସ ୨୦୨୬ ପାଳିତ
ନୟାଗଡ : ନୟାଗଡ ଜିଲ୍ଲା ଚିକିତ୍ସାଳୟ ସଭା ଗୃହରେ ବିଶ୍ୱ ମ୍ୟାଲେରିଆ ଦିବସ ୨୦୨୬ ଉପଲକ୍ଷେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ଜିଲ୍ଲାପାଳ ମଧୁସ୍ମିତା ରଥ ଅଧ୍ୟକ୍ଷତା କରିଥିଲା ବେଳେ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବରେ ନୂତନ ଭାବେ ଆସିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା ସୁଶାନ୍ତ କୁମାର ସ୍ବାଇଁ ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ, ଡ଼. ବନମାଳୀ ପ୍ରଧାନ ଏଡିଏଚଓ, (ଭିଏ ଡି), ଡିପିଏମ୍, ପ୍ରକାଶ ବାନାର୍ଜୀ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ, ଏବଂ ଅଗ୍ରଦୂତ ନର୍ସିଂ କଲେଜର ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ ।

ଉକ୍ତ ବୈଠକରେ ମ୍ୟାଲେରିଆ ରୋଗ ନିରାକରଣ ବିଷୟରେ ବିଶଦ ଭାବରେ ଆଲୋଚନା କରାଯାଇଥିଲା । ଜିଲ୍ଲାରେ ୨୦୧୬ ବର୍ଷ ଏହି ରୋଗର ପ୍ରକୋପ ଖୁବ ଅଧିକ ଥିଲା । ଜିଲ୍ଲାରେ ଏଲେ ଏଲ ଆଇ ଏନ ମଶାରୀର ବଣ୍ଟନ, ବର୍ଷକୁ ଦୁଇଥର ଦୁର୍ଗମ ଅଞ୍ଚଳରେ ଦମନ କାର୍ଯ୍ୟକ୍ରମ ଫଳରେ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି ଏବଂ ବର୍ତ୍ତମାନ ଜିଲ୍ଲାରେ ଏ ପି ଆଇ ୧ ରୁ କମ୍ ଅଛି । ଜିଲ୍ଲାର ୯୭୦ ଜଣ ଆଶାକର୍ମୀ ଘରକୁ ଘର ବୁଲି ଆର ଡି ଟି ମାଧ୍ୟମରେ ଜ୍ୱର ରୋଗୀଙ୍କ ରକ୍ତ ପରୀକ୍ଷା ସହ ମଶାରୀ ବ୍ୟବହାର ବିଷୟରେ ଜନସାଧାରଣଙ୍କୁ ସଚେତନ କରୁଛନ୍ତି । ୨୦୨୬ ବର୍ଷର ବିଶ୍ୱ ମ୍ୟାଲେରିଆ ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଲା ମ୍ୟାଲେରିଆକୁ ଶେଷ କରିବା ପାଇଁ ସଂକଳ୍ପବଦ୍ଧହେବା ସହିତ ସମସ୍ତଙ୍କ ମିଳିତ ପ୍ରୟାସରେ ମ୍ୟାଲେରିଆକୁ ଆମ ଜିଲରୁ ଦମନ କରିପାରିବା ବୋଲି ଅତିଥି ମାନେ ଆଲୋକପାତ କରିଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
