June 1, 2026
Home » ବ୍ରିକ୍ସ ୨୦୨୬ ବିପର୍ଯ୍ୟୟ ବିପଦ ହ୍ରାସ ଗୋଷ୍ଠୀ (DRRG) ବୈଠକ

ବ୍ରିକ୍ସ ୨୦୨୬ ବିପର୍ଯ୍ୟୟ ବିପଦ ହ୍ରାସ ଗୋଷ୍ଠୀ (DRRG) ବୈଠକ

0
WhatsApp Image 2026-06-01 at 3.47.29 PM

 

ବ୍ରିକ୍ସ ୨୦୨୬ ବିପର୍ଯ୍ୟୟ ବିପଦ ହ୍ରାସ ଗୋଷ୍ଠୀ (DRRG) ବୈଠକ ପାଇଁ ପୁରୀକୁ ଆୟୋଜନସ୍ଥଳୀ ଭାବେ ଚୟନ କରାଯାଇଛି, କାରଣ ଏହା ଏକ ଉପକୂଳବର୍ତ୍ତୀ ଅଞ୍ଚଳ ଭାବେ ବାତ୍ୟା ଏବଂ ଅନ୍ୟାନ୍ୟ ସମ୍ଭାବ୍ୟ ବିପଦ ପ୍ରତି ସମ୍ବେଦନଶୀଳ ହୋଇଥିବା ବେଳେ ବିପର୍ଯ୍ୟୟ ପ୍ରତିରୋଧ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ଆଦର୍ଶ ଭାବେ ମଧ୍ୟ ପରିଚିତ।

୧୯୯୯ ମସିହାର ଭୟଙ୍କର ମହାବାତ୍ୟାରେ ହଜାର ହଜାର ଲୋକଙ୍କ ପ୍ରାଣହାନି ଘଟିଥିବା ସ୍ଥିତିରୁ ଓଡ଼ିଶା ବିପର୍ଯ୍ୟୟ ବିପଦ ହ୍ରାସ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ପ୍ରସ୍ତୁତି, ପୂର୍ବାନୁମାନ ଓ ସତର୍କବାଣୀ ବ୍ୟବସ୍ଥା, ସ୍ଥାନାନ୍ତରଣ ଯୋଜନା, ଦୃଢ଼ ଭିତ୍ତିଭୂମି ଓ ସମୁଦାୟଭିତ୍ତିକ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାରେ ନିରନ୍ତର ବିନିଯୋଗ ଫଳରେ ନିକଟ ଅତୀତର ବିଭିନ୍ନ ଭୟଙ୍କର ବାତ୍ୟା ସମୟରେ ପ୍ରାୟ ଶୂନ୍ୟ ପ୍ରାଣହାନି (ଜିରୋ କାଜୁଆଲିଟି) ସୁନିଶ୍ଚିତ କରାଯାଇପାରିଛି।

ରାଜ୍ୟ ସରକାର ଓ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA) ନିରନ୍ତର ଭାବେ ବାତ୍ୟା ପ୍ରସ୍ତୁତି ଏବଂ ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ସତର୍କବାଣୀ ପହଞ୍ଚାଇବା ବ୍ୟବସ୍ଥାକୁ ସୁଦୃଢ଼ କରିଆସିଛନ୍ତି, ଯାହା ଓଡ଼ିଶାକୁ ଉପକୂଳବର୍ତ୍ତୀ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଆଦର୍ଶ ଭାବେ ପରିଚିତ କରାଇଛି।

ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରାର ଆୟୋଜନସ୍ଥଳୀ ମଧ୍ୟ ଅଟେ। ପ୍ରତିବର୍ଷ ଏହି ମହାପର୍ବରେ ଏକ କୋଟିରୁ ଅଧିକ ଶ୍ରଦ୍ଧାଳୁ ସମାଗମ ହୋଇଥାନ୍ତି, ଯାହା ଅନେକ ସମୟରେ ତୀବ୍ର ଗ୍ରୀଷ୍ମପ୍ରବାହ ପରିସ୍ଥିତି ମଧ୍ୟରେ ଆୟୋଜିତ ହୁଏ। ସୁଦୃଢ଼ ପ୍ରସ୍ତୁତି, ସମନ୍ୱିତ ପ୍ରତିରୋଧକ ବ୍ୟବସ୍ଥା ଏବଂ ଦକ୍ଷ ଭିଡ଼ ପରିଚାଳନା ପ୍ରଣାଳୀ ମାଧ୍ୟମରେ ଏହି ବିଶାଳ ଧାର୍ମିକ ସମାବେଶକୁ ସୁରକ୍ଷିତ ଭାବେ ପରିଚାଳନା କରାଯାଉଛି।

ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (NDMA) ପାଇଁ ପୁରୀରେ ଏହି ବୈଠକ ଆୟୋଜନ କରିବା ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଉପକୂଳୀୟ ପ୍ରତିରୋଧ କ୍ଷମତା, ଗୋଷ୍ଠୀଭିତ୍ତିକ ସକ୍ରିୟ ଅଂଶଗ୍ରହଣ ଏବଂ ବହୁମୁଖୀ ବିପର୍ଯ୍ୟୟ ପ୍ରସ୍ତୁତି କ୍ଷେତ୍ରରେ କାର୍ଯ୍ୟକାରୀ ହୋଇଥିବା ଶ୍ରେଷ୍ଠ ଅଭ୍ୟାସଗୁଡ଼ିକୁ ପ୍ରତ୍ୟକ୍ଷ ଭାବେ ଅବଲୋକନ କରିବାର ସୁଯୋଗ ପ୍ରଦାନ କରିବ। ଏହି ଚୟନ ଭାରତର ବ୍ରିକ୍ସ୍ ସହଯୋଗ ଅଧୀନରେ ଜ୍ଞାନ ବିନିମୟ ଓ ଗୋଷ୍ଠୀଭିତ୍ତିକ ବିପର୍ଯ୍ୟୟ ପରିଚାଳନାର ବିସ୍ତାରଯୋଗ୍ୟ ମଡେଲ୍‌ଗୁଡ଼ିକର ପ୍ରସାର ପ୍ରତି ଥିବା ଲକ୍ଷ୍ୟ ସହ ସମ୍ପୂର୍ଣ୍ଣ ଭାବେ ସମନ୍ୱିତ।

Leave a Reply

Your email address will not be published. Required fields are marked *