July 1, 2026
Home » ମଥୁରା ପଲାସ ଗ୍ରାମ ହାତୀ ନଦୀରେ କୁମ୍ଭୀର

ମଥୁରା ପଲାସ ଗ୍ରାମ ହାତୀ ନଦୀରେ କୁମ୍ଭୀର

0
WhatsApp Image 2026-07-01 at 11.42.00 AM

 

ଭୟରେ ଅଞ୍ଚଳବାସୀ….

ଧର୍ମଗଡ : କଳାହାଣ୍ଡି ଜିଲ୍ଲାରେ ପ୍ରଥମ ଥର ପାଇଁ କୁମ୍ଭୀର ଦେଖାଯିବା ଘଟଣା ସାମ୍ନାକୁ ଆସିଥିବା ବେଳେ ଏହାକୁ ନେଇ ଜୁନାଗଡ଼ ଥାନା ଅନ୍ତର୍ଗତ ମଥୁରା ପଲାସ ଓ ଆଖପାଖ ଅଞ୍ଚଳରେ ଭୟ ଓ ଉତ୍ସୁକତା ସୃଷ୍ଟି ହୋଇଛି। ଗ୍ରାମ ନିକଟ ଦେଇ ପ୍ରବାହିତ ହାତୀ ନଦୀରେ ଏକ କୁମ୍ଭୀର ଦେଖାଯାଇଛି।ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ଗ୍ରାମର କିଛି ମାଛ ଧରିବାକୁ ନଦୀରେ ଜାଲ ପକାଇ ମାଛ ଧରୁଥିବା ବେଳେ ହଠାତ୍ ଏକ ବଡ଼ କୁମ୍ଭୀର ଜାଲରେ ଫସିଯାଇଥିଲା। କୁମ୍ଭୀରଟି ନିଜକୁ ମୁକୁଳାଇବା ପାଇଁ ଜୋରଦାର ସଂଘର୍ଷ କରି ଜାଲକୁ ଚିରିଦେଇ ନଦୀ ଭିତରକୁ ଖସିପଡ଼ି ଚାଲିଯାଇଥିଲା। ଏହି ଦୃଶ୍ୟ ଦେଖି ମାଛଧରୁଆଳିମାନେ ଭୟଭୀତ ହୋଇ ନଦୀରୁ ବାହାରି ଆସି ଗ୍ରାମବାସୀଙ୍କୁ ଖବର ଦେଇଥିଲେ।


ଖବର ପ୍ରଚାର ହେବା ପରେ ମଥୁରା ପଲାସ ସମେତ ଆଖପାଖ ଗ୍ରାମର ଶତାଧିକ ଲୋକ ନଦୀକୂଳରେ ଭିଡ଼ ଜମାଇଥିଲେ। ଏହି ଘଟଣା ପରେ ନଦୀକୁ ଗାଧୋଇବା, ମାଛ ଧରିବା, ପଶୁପାଳନ ପାଇଁ ପାଣି ଆଣିବା ଏବଂ ଦୈନନ୍ଦିନ କାମରେ ନଦୀକୂଳକୁ ଯିବାକୁ ଲୋକମାନେ ଭୟ କରୁଛନ୍ତି। ଘଟଣାର ସୂଚନା ପାଇ ଜୁନାଗଡ଼ ରେଞ୍ଜରଙ୍କ ନେତୃତ୍ୱରେ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। କୁମ୍ଭୀରର ଗତିବିଧି ଉପରେ ବନ ବିଭାଗ ନଜର ରଖିଥିବା ବେଳେ ନଦୀ ନିକଟକୁ ଅନାବଶ୍ୟକ ନ ଯିବା, ଏକାକୀ ନଦୀରେ ମାଛ ନ ଧରିବା ଏବଂ କୁମ୍ଭୀର ଦେଖାଗଲେ ତୁରନ୍ତ ବନ ବିଭାଗକୁ ସୂଚନା ଦେବାକୁ ସ୍ଥାନୀୟ ଲୋକଙ୍କୁ ପରାମର୍ଶ ଦିଆଯାଇଛି।
କଳାହାଣ୍ଡି ଜିଲ୍ଲାରେ ଏଭଳି ଘଟଣା ପ୍ରଥମ ଥର ପାଇଁ ସାମ୍ନାକୁ ଆସିଥିବାରୁ ଏହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ବିଭିନ୍ନ ଆଲୋଚନା ଚାଲିଛି। କୁମ୍ଭୀରଟି କେଉଁ ଅଞ୍ଚଳରୁ ହାତୀନଦୀକୁ ଆସିଲା ସେନେଇ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Leave a Reply

Your email address will not be published. Required fields are marked *