“ମହିମା” ସୁବର୍ଣ୍ଣପୁର ଲୋକ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା – 2026 ଜାନୁଆରୀ 7 ରୁ 11 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ
ସୁବର୍ଣ୍ଣପୁର: “ମହିମା” ସୁବର୍ଣ୍ଣପୁର ଲୋକ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା – ୨୦୨୬ ର ସଫଳ ଆୟୋଜନ ଓ ଜିଲ୍ଲା ଉତ୍ସବ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ଦ୍ବାରା କରାଯାଇଥିବା ପ୍ରସ୍ତୁତି ଉପରେ ଜିଲ୍ଲାପାଳ, ସୁବର୍ଣ୍ଣପୁର ଡ଼. ନୃପରାଜ ସାହୁଙ୍କ ଦ୍ଵାରା ପ୍ରେସ ବିବୃତ୍ତି ଜାରି କରିବା ସହିତ ସାମ୍ବାଦିକ ସମ୍ମିଳନୀ ଉତ୍ସବ ପଡିଆ ରାମେଶ୍ବର ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ସାମ୍ବାଦିକ ସମ୍ମିଳନୀ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଦ୍ବାରା ଜିଲ୍ଲା ଉତ୍ସବ ପାଳନ ପାଇଁ କରାଯାଉଥିବା ପ୍ରସ୍ତୁତି ଓ ଆୟୋଜନ, ଚଳିତ ବର୍ଷ ଜିଲ୍ଲା ଉତ୍ସବର ମଞ୍ଚ ନିର୍ମାଣର ଶୀର୍ଷକ ମହିମା ରଖାଯାଇଛି, ଯାହାକି ସନ୍ଥକବି ଭୀମଭୋଇଙ୍କ ଉପରେ ଆଧାରିତ, ବିଭିନ୍ନ ସରକାରୀ ବିଭାଗର ପ୍ରଦର୍ଶନୀ ଷ୍ଟଲ ସହିତ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ମାଧ୍ୟମରେ ମିଶନ ଶକ୍ତି ବିଭାଗ ଦ୍ଵାରା ପରିଚାଳିତ ସୁବର୍ଣ୍ଣପୁର ଜିଲ୍ଲା ଓ ରାଜ୍ୟର ଅନ୍ୟ ଜିଲ୍ଲାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ଉତ୍ପାଦିତ ସାମଗ୍ରୀ ବିକ୍ରୟ ପାଇଁ ସର୍ବମୋଟ ୨୩୯ ଗୋଟି ଷ୍ଟଲ ନିର୍ମାଣ କରାଯାଇଥିବା ପ୍ରକାଶ କରିଥିଲେ। ଯାହାକି ଗତ ବର୍ଷ ଠାରୁ ଅଧିକ ଅଟେ। ବିଗତ ବର୍ଷ ମାନଙ୍କରେ ଷ୍ଟାଡିୟମ୍ ବାହାରେ ରାସ୍ତା ପାର୍ଶ୍ୱରେ ଗୁପଚୁପ ଦୋକାନୀ ମାନେ ଠେଲାରେ ଓ ବୁଲା ବିକାଳୀ ମାନେ ସେମାନଙ୍କ ସାମଗ୍ରୀ ଗୁଡ଼ିକ ରାସ୍ତା କଡ଼ରେ ବିକ୍ରୟ କରୁଥିଲେ, ଫଳରେ ଟ୍ରାଫିକ ସମସ୍ୟା ଦେଖା ଯାଉଥିଲା। ତେଣୁ ସେମାନଙ୍କର ସୁବିଧା ପାଇଁ ଇନ ଡୋର ଷ୍ଟାଡିୟମ୍ ପାର୍ଶ୍ୱରେ ଥିବା ଜାଗାରେ ସେମାନଙ୍କର ପସରା, ଦୋକାନ ଲଗାଇବା ସହିତ ଶିଶୁ ମାନଙ୍କ ମନୋରଞ୍ଜନ ପାଇଁ କିଡ ଜୋନ ସହ ଖେଳ ସାମଗ୍ରୀ ପାଇଁ ଜାଗା ଚିହ୍ନଟ କରାଯାଇଛି।ଏହି ଉତ୍ସବର ପ୍ରତିଦିନର ଅତିଥିମାନେ ମଧ୍ୟ ଉତ୍ସବରେ ଯୋଗଦାନ କରିବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି। ଜନସାଧାରଣଙ୍କ ଆମୋଦ ପ୍ରମୋଦ ଓ ମନୋରଞ୍ଜନ ପାଇଁ ସର୍ବମୋଟ ଜିଲ୍ଲା, ରାଜ୍ୟର ଅନ୍ୟ ଜିଲ୍ଲାର ଏବଂ ରାଜ୍ୟ ବାହାର ତିନୋଟି ରାଜ୍ୟର ସାଂସ୍କୃତିକ ଦଳ ଗୁଡିକ ମିଶାଇ ସର୍ବମୋଟ ୫୯ ଗୋଟି ସାଂସ୍କୃତିକ ଦଳ ଅଂଶ ଗ୍ରହଣ କରିବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି। ସେମାନଙ୍କର ଲୋକ ଗୀତ, ସଂସ୍କୃତି, ନୃତ୍ୟ ଓ କଳା ନୈପୁଣ୍ୟ ପ୍ରଦର୍ଶନ କରି ସୁବର୍ଣ୍ଣପୁର ଜିଲ୍ଲାର ଜନସାଧାରଣଙ୍କ ପାଞ୍ଚଦିନ ବ୍ୟାପି ମନୋରଞ୍ଜନ କରିବେ। ଏହି ଉତ୍ସବରେ ଜନସାଧାରଣଙ୍କ ନିମନ୍ତେ ଫୁଡ୍ କୋର୍ଟ କରାଯାଇଛି, ଫଳରେ ଦର୍ଶକ ମାନେ ଉତ୍ସବ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବା ସହିତ ଜିଲ୍ଲା ତଥା ଜିଲ୍ଲା ବାହାର ବିଭିନ୍ନ ପ୍ରକାର ସ୍ଵାଦିଷ୍ଟ ଖାଦ୍ୟ ଖାଇବାର ସୁଯୋଗ ପାଇପାରିବେ। ତେଣୁ ଜିଲ୍ଲାପାଳ ଏହି ସାମ୍ବାଦିକ ସମ୍ମିଳନୀ ଜରିଆରେ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ଯେ ଏହି ଜିଲ୍ଲା ଉତ୍ସବରେ ଯୋଗଦାନ କରି ସମସ୍ତ ପ୍ରକାରର ମଜା ନିଅନ୍ତୁ। ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଓ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଏହି ଜିଲ୍ଲା ଉତ୍ସବ ପାଳନ ସମୟରେ ଜନସାଧାରଣ ସୁରକ୍ଷା, ଭିଡ ପରିଚାଳନା, ଟ୍ରାଫିକ ପରିଚାଳନା ବିଷୟରେ ଅବଗତ କରାଇ କହିଥିଲେ ଯେ ସୁରେଶ୍ଵରୀ ମନ୍ଦିର ଛକ ଠାରୁ ଟ୍ରାଫିକ ନିୟନ୍ତ୍ରଣ କରାଯିବ। ଉତ୍ସବ ପଡ଼ିଆରେ ଦୁଇଗୋଟି ପୋଲିସ ପୋଷ୍ଟ ରହିବ, ଗୋଟିଏ ରଙ୍ଗମଞ୍ଚ ବାମ ପାର୍ଶ୍ୱ ଷ୍ଟଲରେ ଓ ଦ୍ଵିତୀୟ ଡାହାଣ ପାର୍ଶ୍ଵ ଇନ ଡୋର ପାର୍ଶ୍ୱରେ ଫଳରେ ସମଗ୍ର ଉତ୍ସବ ପଡିଆକୁ ପୋଲିସ ଦ୍ୱାରା ତଦାରଖ କରାଯାଇ ପାରିବ। ଦୁଇଚକିଆ ଓ ଚାରି ଚକିଆ ଯାନ ପାର୍କିଂ ପାଇଁ ରାମେଶ୍ବର ଷ୍ଟାଡିୟମ୍ ବାହାରେ ସ୍ଥାନ ଚିହ୍ନିତ କରାଯାଇଛି। ତାହାର ଏକ ନକ୍ସା ପ୍ରସ୍ତୁତ କରି ସମସ୍ତଙ୍କୁ ଜଣାଇ ଦିଆଯିବ। ପୂର୍ବ ବର୍ଷ ମାନଙ୍କରେ ଗୋଟିଏ ଗେଟ୍ ଦେଇ ଜନସାଧାରଣ ପ୍ରବେଶ ଓ ପ୍ରସ୍ଥାନ କରୁଥିଲେ, କିନ୍ତୁ ଚଳିତ ବର୍ଷ ଜନସାଧାରଣଙ୍କ ପ୍ରବେଶ ପ୍ରସ୍ଥାନ ପାଇଁ ରଙ୍ଗ ମଞ୍ଚ ବାମ ପାର୍ଶ୍ୱରେ ଥିବା ଦୁଇଗୋଟି ଗେଟ୍ ବାମ ପାର୍ଶ୍ଵ ବ୍ୟବହାର କରାଯିବ ଓ ରଙ୍ଗ ମଞ୍ଚ ଡାହାଣ ପାର୍ଶ୍ଵରେ ଥିବା ଦୁଇଗୋଟି ଗେଟ୍ ବା ଦ୍ଵାର ସର୍କିଟ ହାଉସ ଓ ଇନ ଡୋର ଷ୍ଟାଡିୟମ୍ ପାର୍ଶ୍ରେ ଥିବା ଗେଟ୍ ଦେଇ ଉତ୍ସବ ର ଅତିଥି, ବିଶିଷ୍ଟ ବ୍ୟକ୍ତି ଓ ସାଂସ୍କୃତିକ ଦଳ ମାନଙ୍କର ପ୍ରବେଶ ଓ ପ୍ରସ୍ଥାନ ପାଇଁ ବ୍ୟବହାର କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ। ଆରକ୍ଷୀ ଅଧିକ୍ଷକ ଆହୁରି ପ୍ରକାଶ କଲେ ଯେ ଗାଡ଼ି ପାସ ତାଙ୍କ ଦ୍ଵାରା ପ୍ରଦାନ କରାଯିବ । କୌଣସି ପରିସ୍ଥିତିରେ ଉତ୍ସବ ପଡିଆ ଭିତରକୁ ଜନ ସାଧାରଣ ଓ ବ୍ୟକ୍ତି ବିଶେଷଙ୍କ ଦୁଇ ଚକିଆ ବା ଚାରିଚକିଆ ଯାନ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ। ତିନିଶହରୁ ଅଧିକ ପୋଲିସ କର୍ମଚାରୀ ଜନ ସାଧାରଣଙ୍କ ସୁରକ୍ଷା,ଟ୍ରାଫିକ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ପରିଚାଳନା ପାଇଁ ନିୟୋଜିତ ହେବେ ବୋଲି ସୂଚନା ପ୍ରଦାନ କରିଥିଲେ। ଉଭୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ସଫଳ ଭାବେ ପରିଚାଳନା କରିବା ପାଇଁ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ ।ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ, ( ରାଜସ୍ବ ) ଶ୍ରୀ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଅଶ୍ୱିନୀ କୁମାର ମେହେର, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଯମୁନା ପ୍ରଧାନ, ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ଶ୍ରୀ ମଙ୍ଗଳ ପଧାନ, ଡେପୁଟି କାର୍ଯ୍ୟ ନିର୍ବାହୀ, ଡି.ଏସ.ଏମ.ଏସ., ଓରମାସ ଜିଲ୍ଲା ପରିଷଦ ଶ୍ରୀ ସମୀର ନାୟକ, ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଅର୍ଜୁନ ମାଝୀ ଙ୍କ ସମେତ ଗଣମାଧ୍ୟମ ର ପ୍ରତିନିଧି ଉପସ୍ଥିତ ଥିଲେ l ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
