ମାଲକାନଗିରି ଜିଲ୍ଲା ପ୍ରଶାସନ ଦ୍ବାରା ଚଳିତ ବର୍ଷ ଦଶମ ଶ୍ରେଣୀ ଟପ୍ପର ଓ ଏ୧ ଗ୍ରେଡ଼ରେ ଉତ୍ତୀର୍ଣ୍ଣ ବିଦ୍ୟାର୍ଥି ସମ୍ବର୍ଦ୍ଧିତ

୨୦୨୪-୨୫ ଶିକ୍ଷା ବର୍ଷରେ ମାଧ୍ୟମିକ ଶିକ୍ଷା ବୋର୍ଡ, ଓଡ଼ିଶା ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ ମାଲକାନଗିରି ଜିଲ୍ଲାର ଦଶମ ଶ୍ରେଣୀ ଟପ୍ପର ଓ ଏ୧ ଗ୍ରେଡ଼ରେ ଉତ୍ତୀର୍ଣ୍ଣ ୧୨ ଜଣ ବିଦ୍ୟାର୍ଥିଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଏଫଏଲସି କକ୍ଷରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଶୁଭେଚ୍ଛା ଜଣାଇ ସମ୍ବର୍ଦ୍ଧିତ କରିଛନ୍ତି।
ଏହି ଅବସରରେ ସେ କହିଥିଲେ ଯେ ରାଜ୍ୟରେ ୨୫ ତମ ସ୍ଥାନରୁ ୧୯ ତମ ସ୍ଥାନକୁ ଉନ୍ନୀତ ଯାହାକି ଜିଲ୍ଲା ପାଇଁ ଏକ ଗୌରବର ବିଷୟ ଏବଂ ଗତବର୍ଷ ତୁଳନାରେ ଚଳିତ ବର୍ଷ ସଫଳତା ହାର ବୃଦ୍ଧି ପାଇଛି । ସେ ପୁଣି କହିଥିଲେ ଯେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ବିଗତ ବର୍ଷ ଆୟୋଜନ କରିଥିବା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅଧିନରେ ବିଭିନ୍ନ ବ୍ଲକରେ ୮ ଟି ଶିକ୍ଷଣ କେନ୍ଦ୍ର ସ୍ଥାପନ କରାଯାଇ ପ୍ରତି ଶନିବାର ଦିନ ଭର୍ଚୁଆଲ୍ ଶ୍ରେଣୀ ପରିଚାଳନା, ପ୍ରତି ରବିବାର ଦିନ ପ୍ରତ୍ୟକ୍ଷ ଶ୍ରେଣୀ ପରିଚାଳନା, ସାପ୍ତାହିକ ବିଦ୍ୟାର୍ଥୀଙ୍କ ସନ୍ଦେହ ଦୂର କରିବା ଓ ପରୀକ୍ଷା ପରିଚାଳନା କରି ଗଠନମୂଳକ ପଦକ୍ଷେପ ଦ୍ୱାରା ଜିଲ୍ଲାର ଏ-ୱାନ୍ ଓ ଏ-ଟୁ ଶ୍ରେଣୀରେ ଅଧିକ ପିଲା ସ୍ଥାନ ଅଧିକାର କରିପାରିଛନ୍ତି ଯାହାକି ନିଶ୍ଚିତଭାବେ ଆଗାମୀ ବର୍ଷରେ ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କୁ ପ୍ରେରିତ କରିବ ।
ଉକ୍ତ ସମ୍ଭର୍ଦ୍ଧନ କାର୍ଯ୍ୟକ୍ରମରେ ଅନ୍ୟଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ, ଓସେପା ଉପ ନିର୍ଦ୍ଦେଶକ ପ୍ରଦୋଷ କୁମାର ନାୟକ ଓ ଭାରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଉମା ପ୍ରସାଦ ଦାସ ସମେତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ,ସମଗ୍ର ଶିକ୍ଷା ଅଭିଯାନ କର୍ମକର୍ତ୍ତା ଯୋଗ ଦେଇଥିଲେ ।
ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ