June 12, 2026
Home » ମିଲର୍ସଙ୍କ ମନମାନି ଯୋଗୁଁ ମଣ୍ଡିରୁ ଉଠୁନି ଧାନ

ମିଲର୍ସଙ୍କ ମନମାନି ଯୋଗୁଁ ମଣ୍ଡିରୁ ଉଠୁନି ଧାନ

0
WhatsApp Image 2026-06-12 at 11.28.37 AM

ବଲାଙ୍ଗିର ଜିଲ୍ଲାରୁ ୨୨ ମିଲର୍ସ କିଣିବେ କଳାହାଣ୍ଡିରୁ ଧାନ।

୭ ମିଲର୍ସ କରିଲେଣି ଏଗ୍ରିମେଣ୍ଟ….

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ମିଲର୍ସମାନଙ୍କ ମନମାନି ଯୋଗୁଁ ଧାନ ଉଠାଣରେ ବିଳମ୍ବିତ ହୋଇଛି। ଯାହାକୁ ନେଇଁ ଜିଲାର ଚାଷୀଙ୍କ ମଧ୍ୟରେ ହାହାକାର ଦେଖିବାକୁ ମିଳିଛି। ଜିଲ୍ଲାର ପ୍ରାୟ ମଣ୍ଡିରେ ଧାନ କିଣା ଏକ ପ୍ରକାର ଅଚଳାବସ୍ଥା ଜାରି ରହିଛି। ବୁଧବାର ଏହି ସମସ୍ୟାକୁ ନେଇଁ ଜିଲାର ବିଭିନ୍ନ ଅଞ୍ଚଳର ଚାଷୀ ମାନେ ରାସ୍ତାରୋକ କରୁଥିବା ଦେଖିବାକୁ ମିଳିଥିବାବେଳେ ଆଉ କେତେ ଅଞ୍ଚଳର ଚାଷୀ ଜିଲ୍ଲାପାଳ,ଉପ ଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଯାଇ ନିଜ ସମସ୍ୟା ଜଣାଇ ନୟାନ୍ତ ହୋଇ ସାରିଲେଣି।ଏପଟେ, ବିଭିନ୍ନ ଆଳ ଦେଖାଇ କଳାହାଣ୍ଡିର ମିଲର୍ସ ମଣ୍ଡିରୁ ଧାନ ଉଠାଉ ନଥିବା ଯୋଗୁଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ବଲାଙ୍ଗିର ଜିଲାର ୨୨ ଜଣ ମିଲର୍ସ ଆଣିବା ପାଇଁ ପ୍ରସ୍ତୁତି ଚୁଡାନ୍ତ ହୋଇଛି। ସେଥିମଧ୍ୟରୁ ୭ ଜଣ ମିଲର୍ସ କଳାହାଣ୍ଡି ଆସି ଏଗ୍ରିମେଣ୍ଟ କରିଥିବାବେଳେ ଆଜି ଅବଶିଷ୍ଟ ମିଲର୍ସ ଆସି ଏଗ୍ରିମେଣ୍ଟ କରିବେ ବୋଲି ଯୋଗାଣ ବିଭାଗ ପକ୍ଷରୁ ଜଣାପଡିଛି। ଏହି ସୂଚନା ମିଳିବା ପରେ ଚାଷୀମାନଙ୍କ ମଧ୍ୟରେ କିଛିଟା ଆଶ୍ବସ୍ତି ପ୍ରକାଶ ପାଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲାରେ ପ୍ରଥମ ପର୍ଯ୍ୟାୟରେ ୧୯ଲକ୍ଷ ୬୧ ହଜାର ୫୫୦ କୁଇଣ୍ଟାଲ ଧାନ ଉଠାଣ ପାଇଁ ଟାର୍ଗେଟ ଆସିଛି । ବୁଧବାର ସୁଦ୍ଧା ଜିଲାର ୧୪ହଜାର ୩୫୫ ଜଣ ଚାଷୀ ୮ଲକ୍ଷ ୮୬ ହଜାର ୬୪୯ କୁଇଣ୍ଟାଲ ଧାନ ବିକ୍ରି କରି ସାରିଥିବା ଜଣାପଡିଛି। କେବଳ ବୁଧବାର ଦିନ ୧୫୮୧ ଜଣ ଚାଷୀ ୯୭ ହଜାର ୭୪୬ କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି। ଗତ ବର୍ଷ ରବିରେ ଏହି ତାରିଖରେ ୨୨ ହଜାର ୪୫୪ ଚାଷୀ ୧୫ ଲକ୍ଷ ୫୭ ହଜାର ୪୮୪ କୁଇଣ୍ଟାଲ ଧାନ ବିକ୍ରି କରି ସାରିଥିଲେ। ଏହି ରିପୋର୍ଟ କୁ ଦେଖିଲେ ଚଳିତ ରବି ଧାନ ସଂଗ୍ରହ ପ୍ରକିୟା ଗତ ବର୍ଷ ରବି ଠାରୁ ପ୍ରାୟ ଅଧା ହୋଇଥିବା ଜଣାଯାଏ। ସରକାରୀ ରିପୋର୍ଟ ଅନୁଯାୟୀ,ବୁଧବାର ସୁଦ୍ଧା ଜିଲାରେ ପ୍ରାୟ ୧୧ହଜାର ୯୮୧ କୁଇଣ୍ଟାଲ ଧାନ ମଣ୍ଡିରେ ପଡି ରହିଛି ।

ଜିଲାର ୧୬୨ଟି ମଣ୍ଡିରୁ ଧାନ ଉଠାଣ ନିମନ୍ତେ ୯୭ ଜଣ ମିଲର୍ସଙ୍କୁ ଟ୍ୟାଗିଂ କରାଯାଇଛି । ମଣ୍ଡି ମାନଙ୍କରେ ମିଲର୍ସମାନଙ୍କ ଅସହଯୋଗ ଯୋଗୁଁ ମଣ୍ଡିରେ ଧାନ ପଡି ରହିଛି । କାଳବୈଶାଖୀ ଯୋଗୁଁ ଧାନ ଗୁଡିକ ଭିଜିଥିବାବେଳେ ଚାଷୀମାନଙ୍କ ପାଇଁ ଅଡୁଆ ସାଜିଛି । କୁଇଣ୍ଟାଲ ପିଛା ପୂର୍ବରୁ ୬କେଜି କଟନି ଛଟନି ହେଉଥିବାବେଳେ ବର୍ତ୍ତମାନ ଏହା ବୃଦ୍ଧି ପାଇବାରେ ଲାଗିଛି । ଦଲାଲ ଜରିଆରେ ଅଣ୍ଡର ରେଟରେ ଧାନ କିଣି ମିଲର୍ସ ପଏଣ୍ଟମାନଙ୍କୁ ଯାଉଥିବା ଯୋଗୁଁ ମଣ୍ଡିରେ ଧାନ କିଣିବା ପାଇଁ ମିଲର୍ସମାନେ ବିଭିନ୍ନ ଆଳ ଦେଖାଇ ଧାନ ଠିକ ଭାବରେ ଉଠାଣ ହେଉ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ରାଜନେତାଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ମଣ୍ଡି ପରିଦର୍ଶନ କରି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଯୋଗୁଁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । କିଛି ରାଜନେତା ଚାଷୀମାନଙ୍କ ସମ୍ମୁଖରେ ପ୍ରଶାସନକୁ ଅନୁରୋଧ କରୁଥିଲେ ମଧ୍ୟ ମିଲର୍ସମାନଙ୍କ ମର୍ଜି ଯୋଗୁଁ ଉଠାଣରେ ବିଳମ୍ବ ହେଉଛି । ଏହାକୁ ଦୃଷ୍ଟିରେ ରଖି ଜିକ ପ୍ରଶାସନ ପକ୍ଷରୁ ଜିଲା ବାହାରର ମିଲର୍ସମାନଙ୍କୁ କଳାହାଣ୍ଡିର ଧାନ କିଣାରେ ନିୟୋଜିତ କରିବାପାଇଁ ଅନୁରୋଧ କରିଥିଲେ । ରାଜ୍ୟ ଯୋଗାଣ ନିଗମ ପକ୍ଷରୁ ବଲାଙ୍ଗିର ଜିଲାର ୨୨ ଜଣ ମିଲର୍ସଙ୍କୁ କଳାହାଣ୍ଡିରେ ଧାନ କିଣିବା ପାଇଁ ଅନୁମତି ଦେଇଛନ୍ତି । ଜିଲାର ମଣ୍ଡିମାନଙ୍କରେ କାଳ ବୈଶାଖୀ ଓ ପ୍ରଚଣ୍ଡ ତାତି ଚାଷୀଙ୍କୁ ଦୋହଳାଇ ଦେଇଥିବାବେଳେ ରବି ଧାନ ବିକ୍ରି ହୋଇ ନଥିବା ଯୋଗୁଁ ଖରିଫ ଚାଷ ମଧ୍ୟ ବିଳମ୍ବ ହେବାରେ ଲାଗିଛି । ତେଣୁ ରାଜ୍ୟ ସରକାର ତୁରନ୍ତ ମିଲ ପଏଣ୍ଟ ଗୁଡିକ ଭେରିଫିକେସନ କରିବା ଓ ସ୍କ୍ବାର୍ଡ ଗଠନ କରି ଅଣ୍ଡର ରେଟରେ ବିକ୍ରି କରୁଥିବା ଦଲାଲମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାଷୀ ମହଲରେ ଦାବୀ ହୋଇଛି । ସେହିପରି ଅନେକ ସ୍ଥାନୀୟ ମିଲ ମଣ୍ଡି ଗୁଡିକରେ ଏପର୍ଯ୍ୟନ୍ତ ଧାନ କିଣା ଆରମ୍ଭ କରି ନ ଥିବାରୁ ସେମାନଙ୍କ ଗଚ୍ଛିତ ଧାନ ଷ୍ଟକ ଯାଞ୍ଚ କରିବାକୁ ଦାବି ହୋଇଛି। ଏ ନେଇଁ ଜିଲା ଯୋଗାଣ ଅଧିକାରୀ ଅଜୟ ମଲ୍ଲିକଙ୍କୁ ପଚାରିବାରୁ ବଲାଙ୍ଗିର ଜିଲାର ୨୨ ଜଣ ମିଲର୍ସ କଳାହାଣ୍ଡି ଜିଲ୍ଲାକୁ ଧାନ କିଣିବା ନିମନ୍ତେ ଆମ ପାଖକୁ ଚିଠି ପହଞ୍ଚିଛି । ଆଜି ୭ମିଲର୍ସ ଏଗ୍ରିମେଣ୍ଟ କରିଥିବାବେଳେ ଅବଶିଷ୍ଠ ଶୁକ୍ରବାର କରିବେ ବୋଲି କହିଥିଲେ । ଏହାଦ୍ବାରା ଧାନ ସଂଗ୍ରହ ପ୍ରକିୟା ସ୍ୱାଭାବିକ ହେବ ବୋଲି ପ୍ରକାଶ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *