ମିଳିତ ବୈଠକରେ ପ୍ରଶାସନକୁ ଶେଷ ଚେତାବନୀ ଦେଲା “ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଞ୍ଚ”
ପୁରୀ ବାସୀଙ୍କ ପାଇଁ ସ୍ୱତନ୍ତ୍ର ଓ ସ୍ଥାୟୀ ବ୍ୟବସ୍ଥା ଘୋଷଣା ନହେଲେ ଆହୋରାତ୍ର ଗଣଧାରଣା ଓ ପୁରୀବନ୍ଦ
ପୁରୀ, : ପୁରୀ କେବଳ ଏକ ସହର ନୁହେଁ, ଏହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଧାମ ଏବଂ ଓଡ଼ିଆ ଜାତିର ଆସ୍ଥା, ଭାବନା ଓ ସଂସ୍କୃତିର ଅନନ୍ୟ ପରିଚୟ। ଏହି ପବିତ୍ର ଧାମରେ ପିଢ଼ି ପରେ ପିଢ଼ି ବସବାସ କରିଆସୁଥିବା ପୁରୀବାସୀଙ୍କ ନିଜ ଆରାଧ୍ୟ ମହାପ୍ରଭୁଙ୍କୁ ସମ୍ମାନର ସହ ଦର୍ଶନ କରିବା ପାଇଁ ସ୍ୱତନ୍ତ୍ର ଓ ସ୍ଥାୟୀ ବ୍ୟବସ୍ଥା ଦାବି କୌଣସି ଅନୁଗ୍ରହ କିମ୍ବା ଦୟା ନୁହେଁ; ଏହା ସେମାନଙ୍କ ଦୀର୍ଘଦିନର ନ୍ୟାୟସଙ୍ଗତ ଦାବି। ଏହି ଦାବିକୁ ନେଇ ପୁରୀବାସୀଙ୍କ ଶାନ୍ତିପୂର୍ଣ୍ଣ ସଚେତନତା ପଦଯାତ୍ରା ଓ ନିରବ ସତ୍ୟାଗ୍ରହ ପାଞ୍ଚ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଅବିରତ ଭାବେ ଜାରି ରହିଛି। ପ୍ରଚଣ୍ଡ ଗ୍ରୀଷ୍ମର ତାତି, ଖରା ଓ ବର୍ଷାର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଆନ୍ଦୋଳନକାରୀମାନଙ୍କ ଧୈର୍ଯ୍ୟ, ଏକତା ଓ ମନୋବଳ ଦୁର୍ବଳ ହୋଇନାହିଁ। ଗତ ଏପ୍ରିଲ ୧, ଉତ୍କଳ ଦିବସ ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିରଠାରୁ ଏହି ପଦଯାତ୍ରାର ଶୁଭାରମ୍ଭ ହୋଇଥିଲା। ପରବର୍ତ୍ତୀ ଦିନଠାରୁ ଭକ୍ତ ସାଲବେଗ ପୀଠଠାରୁ ପ୍ରତିଦିନ ପଦଯାତ୍ରା ଶ୍ରୀମନ୍ଦିର ଅଭିମୁଖେ ଆଗେଇ ଚାଲିଛି। ଏହି ପଦଯାତ୍ରା ପୁରୀବାସୀଙ୍କ ଆସ୍ଥା, ଅଧିକାର, ସ୍ୱାଭିମାନ ଓ ଶାନ୍ତିପୂର୍ଣ୍ଣ ଗଣତାନ୍ତ୍ରିକ ସଂଘର୍ଷର ପ୍ରତୀକ ପାଲଟିଛି।
ଆନ୍ଦୋଳନକୁ ଆହୁରି ବ୍ୟାପକ କରିବା ଏବଂ ଆଗାମୀ ଦିନର କାର୍ଯ୍ୟପନ୍ଥା ସ୍ଥିର କରିବା ଉଦ୍ଦେଶ୍ୟରେ ଆଜି ପୁରୀ ବଡ଼ଦାଣ୍ଡ, ଭୋଳାନାଥ ବିଦ୍ୟାପୀଠ ନିକଟସ୍ଥ ରାଣୀସତୀ ଭବନଠାରେ “ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଞ୍ଚ” ପକ୍ଷରୁ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପୁରୀ ସହରର ବଜାର କମିଟି, ସାମାଜିକ ଅନୁଷ୍ଠାନ, ବୁଦ୍ଧିଜୀବୀ, ଶିକ୍ଷାବିତ୍, ବରିଷ୍ଠ ନାଗରିକ, ସଚେତନ ନାଗରିକ, ମହିଳା ସମିତି, ବ୍ୟବସାୟୀ ସଂଘ ଓ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗଦେଇ ଦାବି ଉପରେ ବିସ୍ତୃତ ଆଲୋଚନା କରିଥିଲେ।
ବୈଠକରେ ସର୍ବଶ୍ରୀ ହରିଶଙ୍କର ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ମଞ୍ଚର ଆବାହକ ସ୍ୱାଧୀନ କୁମାର ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ। ସମାଜସେବୀ ଚକ୍ରଧର ମହାପାତ୍ର ବୈଠକର ଉଦ୍ଦେଶ୍ୟ ଓ ପୁରୀବାସୀଙ୍କ ଶ୍ରୀମନ୍ଦିର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନ ଅଧିକାର ପାଇଁ ଚାଲିଥିବା ଦୀର୍ଘ ସଂଘର୍ଷ ସମ୍ପର୍କରେ ବିସ୍ତୃତ ମତ ରଖିଥିଲେ। ସେ କହିଥିଲେ ଯେ, ଦୀର୍ଘଦିନ ଧରି ପୁରୀବାସୀ ସଚେତନତା ପଦଯାତ୍ରା, ଜନସମ୍ପର୍କ ଓ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ମାଧ୍ୟମରେ ନିଜର ଦାବି ଉପସ୍ଥାପନ କରୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ ଆବଶ୍ୟକ ଗୁରୁତ୍ୱ ଦିଆଯାଇନାହିଁ। ଏହି ଦାବି ପୂରଣ ନହେବା ପର୍ଯ୍ୟନ୍ତ ନିରବ ସତ୍ୟାଗ୍ରହ ଅହିଂସା ଓ ଗଣତାନ୍ତ୍ରିକ ପଦ୍ଧତିରେ ଜାରି ରହିବ ବୋଲି ସେ ମତ ଦେଇଥିଲେ।
ବୈଠକରେ ପୁରୀ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ସଭାପତି ପ୍ରଫେସର କାର୍ତ୍ତିକ ଦାସ, ପୁରୀ ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘର ସଭାପତି ବିଶ୍ୱନାଥ ବେହେରା, ଶିକ୍ଷାବିତ୍ ଶିବସୁନ୍ଦର ମିଶ୍ର, ପୂର୍ବତନ ବିଧାୟକ ଉମା ବଲ୍ଲଭ ରଥ, ପୂର୍ବତନ ନଗରପାଳ ଗୌରହରି ପ୍ରଧାନ, ପୁରୀ ଜିଲ୍ଲା କଂଗ୍ରେସ ସଭାପତି ରାଜେଶ କୁମାର ମିଶ୍ର, ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଓ ସମାଜସେବୀ ଅମରେନ୍ଦ୍ର ପାଇକରାୟ ପ୍ରମୁଖ ମଞ୍ଚାସୀନ ରହି ନିଜ ନିଜର ମତ ରଖିଥିଲେ।
ବୈଠକରେ ସର୍ବସମ୍ମତି କ୍ରମେ ଆନ୍ଦୋଳନକୁ ଆହୁରି ସଂଗଠିତ ଓ ବ୍ୟାପକ କରିବା ପାଇଁ ପୁରୀ ସହରର ବଜାର କମିଟି, ସାମାଜିକ ଅନୁଷ୍ଠାନ, ବୁଦ୍ଧିଜୀବୀ, ସଚେତନ ନାଗରିକ, ମହିଳା ସଂଗଠନ, ବ୍ୟବସାୟୀ ସଂଘ ଓ ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କୁ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ମଞ୍ଚ ନେତୃତ୍ୱରେ ଏକ ମିଳିତ ସମନ୍ୱୟ କମିଟି ଗଠନ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଆଗାମୀ ୨–୩ ଦିନ ମଧ୍ୟରେ ଏହି କମିଟି ଗଠନ କରାଯାଇ ଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସକ ଓ ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରାଯିବ। ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପ୍ରବେଶ ଓ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ସ୍ପଷ୍ଟ, ସ୍ଥାୟୀ ଓ ସମ୍ମାନଜନକ ବ୍ୟବସ୍ଥା ଘୋଷଣା କରିବାକୁ ପ୍ରଶାସନକୁ ଶେଷ ଚରମପତ୍ର ଦିଆଯିବ। ଏହି ସମୟସୀମା ମଧ୍ୟରେ କୌଣସି ସ୍ପଷ୍ଟ ଓ ସ୍ଥାୟୀ ନିଷ୍ପତ୍ତି ନନିଆଗଲେ ଆନ୍ଦୋଳନକୁ ଆହୁରି ତୀବ୍ର ଓ ବ୍ୟାପକ କରାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଆହୋରାତ୍ର ଗଣଧାରଣା ଏବଂ ଆବଶ୍ୟକ ହେଲେ ପୁରୀବନ୍ଦ ଭଳି ଗଣତାନ୍ତ୍ରିକ ପ୍ରତିବାଦ କାର୍ଯ୍ୟକ୍ରମ ନିଆଯିବ ବୋଲି ଘୋଷଣା କରାଯାଇଥିଲା।
ଏହି ଲଢ଼େଇ କୌଣସି ବ୍ୟକ୍ତି, ଦଳ କିମ୍ବା ସମ୍ପ୍ରଦାୟ ବିରୋଧରେ ନୁହେଁ। ଏହା ପୁରୀବାସୀଙ୍କ ଆସ୍ଥା, ଭାବନା, ଅଧିକାର ଓ ସ୍ୱାଭିମାନର ଶାନ୍ତିପୂର୍ଣ୍ଣ ସ୍ୱର। ସତ୍ୟ, ଅହିଂସା ଓ ଗଣତାନ୍ତ୍ରିକ ପଥରେ ନ୍ୟାୟ ପାଇଁ ଏହି ସଂଘର୍ଷ ଆଗକୁ ବଢ଼ିବ। ପୁରୀବାସୀ ମହାପ୍ରଭୁଙ୍କ ଦୁଆରରେ କୌଣସି ଦୟା କିମ୍ବା ଅନୁଗ୍ରହ ମାଗୁନାହାନ୍ତି; ସେମାନେ ଚାହୁଁଛନ୍ତି ଏକ ସ୍ଥାୟୀ, ସମ୍ମାନଜନକ ଓ ସ୍ୱତନ୍ତ୍ର ବ୍ୟବସ୍ଥା।
ବୈଠକରେ ବୁଦ୍ଧିଜୀବୀ ବିରେନ୍ଦ୍ର ଭୂଷଣ ହୋତା, ଭୁସମ୍ପତ୍ତି ସୁରକ୍ଷା ପରିଷଦର ସଦସ୍ୟ ସଂଗ୍ରାମ ମିଶ୍ର, ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ, ପୁରୀ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟ ଦେବେନ୍ଦ୍ର କୁମାର ଦାସ, ସିପିଆଇ(ଏମ୍) ଜିଲ୍ଲା ସମ୍ପାଦକ ଜଗନ୍ନାଥ ଦେଓ, ସଦସ୍ୟ ଭୀମସେନ ସ୍ୱାଇଁ, ବୁଦ୍ଧିଜୀବୀ ବ୍ରଜ କିଶୋର ସାହୁ, ଲକ୍ଷ୍ମୀ ବଜାର କମିଟିର ସମ୍ପାଦକ କୃଷ୍ଣ ଚନ୍ଦ୍ର ସାହୁ, ସିପିଆଇ ଜିଲ୍ଲା ସମ୍ପାଦକ କୃଷ୍ଣଚନ୍ଦ୍ର ରାଉତ, ପୂର୍ବତନ ଜିଲ୍ଲା ସମ୍ପାଦକ ପ୍ରଦୀପ୍ତ କୁମାର ମହାନ୍ତି, ବୁଦ୍ଧିଜୀବୀ ସରୋଜ କୁମାର ତ୍ରିପାଠୀ, ପ୍ରଦୀପ କୁମାର ଦାସ, ନୀଳଗିରି ଚାର ଗଣେଶ ଗୁରୁଜାଗାର ସମ୍ପାଦକ ନିମାଇଁ ଚରଣ ମହାପାତ୍ର, ଗୁଣ୍ଡିଚା ବିହାର ଉନ୍ନୟନ ପରିଷଦର ସଦସ୍ୟ ସୁରେନ୍ଦ୍ର କୁମାର ସାମନ୍ତରାୟ, ବାବାଜୀ ଲେନ ମଙ୍ଗଳା ଘାଟର ପ୍ରମୋଦ କୁମାର ଦାସ, କଂଗ୍ରେସ ନେତା ବିଶ୍ୱନାଥ ଦାଶ, ବ୍ରାହ୍ମଣ ସମାଜ ସଦସ୍ୟ ଗଙ୍ଗାଧର ଦାଶ, ଶ୍ରୀ ବିନାୟକ ବ୍ୟବସାୟୀ ସଂଘର ସମ୍ପାଦକ ବନବାସ ମହାରଣା, ସାହିଭାଇର ସଦସ୍ୟ ଚନ୍ଦ୍ରଶେଖର ମିଶ୍ର, ସିଦ୍ଧ ମହାବୀର ଆଞ୍ଚଳିକ ପରିଷଦର ସଦସ୍ୟ ନୃସିଂହ ଚରଣ ପ୍ରଧାନ, ବିନାୟକ ମନ୍ଦିର ଗଜପତି ନଗରରୁ ପ୍ରଦୀପ କୁମାର ଦାସ, ବରିଷ୍ଠ ସାମ୍ବାଦିକ ନାରାୟଣ ଦାଶ, ଅଭୟ ମହାବୀର ବ୍ୟବସାୟୀ ସଂଘର ସମ୍ପାଦକ ତ୍ରିନାଥ ମହାପାତ୍ର, ସର୍ବୋଦୟ ନଗର ମଙ୍ଗଳା ମନ୍ଦିର କମିଟିର ସମ୍ପାଦକ ଇଂ. ବିଜୟ କୁମାର ମିଶ୍ର, ମା’ ଭଗବତୀ ମହିଳା ସଂଘର ଭାରତୀ ମହାନ୍ତି ଓ ମାଳି ଜାଗାର ସମ୍ପାଦକ ନାରାୟଣ ଗୋଛିକାର ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତ ରଖିଥିଲେ।ବୈଠକ ଶେଷରେ ମହିଳା ଅଧିକାର ନେତ୍ରୀ ବିଦ୍ୟୁଲତା ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।
