ମୈଦାନକେଲ ଅଞ୍ଚଳରେ ୩୨ ଟିକିଆ ହାତୀଙ୍କ ଉତ୍ପାତ
କେନ୍ଦୁଝର: କେନ୍ଦୁଝର ସଦର ବ୍ଲକ୍ କେରି ଗ୍ରାମ ଓ ଏହାର ଆଖପାଖ ଅଞ୍ଚଳରେ ବିଗତ ୪ ଦିନ ଧରି ୩୨ ଟିକିଆ ହାତୀପଲଙ୍କ ଉତ୍ପାତ ଅବ୍ୟାହତ ରହିଛି। ଆଜି ରାତିରେ ହାତୀପଲ ସିଧାସଳଖ ଧାନ ବିଲରେ ପଶି ଗୋଡ଼ରେ ମାଡ଼ି, ଦଳି-ଚକଟି ସମ୍ପୂର୍ଣ୍ଣ ଫସଲ ନଷ୍ଟ କରିଦେବା ସହ ବିଲ ମଝିରେ ରାସ୍ତା ବନାଇ ଦେଇଛନ୍ତି। ହାତୀପଲଙ୍କ ଦ୍ୱାରା କେରି ଗ୍ରାମର ଚାଷୀ ବିଦେଶୀ ପାତ୍ର, କୈବଲ୍ୟ ପାତ୍ର, ଭ୍ରମର ପାତ୍ର, ସୁବାସ ପାତ୍ର, ପାର୍ବତୀ ପାତ୍ରଙ୍କ ସମେତ ଅନେକ ଚାଷୀଙ୍କ ଧାନ ବିଲ ବ୍ୟାପକ କ୍ଷତି ହୋଇଛି। ବିଗତ ୪ଦିନ ମଧ୍ୟରେ ହାତୀପଲ ପ୍ରାୟ ୬ଏକରରୁ ଊର୍ଦ୍ଧ୍ୱ ଫସଲ ଛାରଖାର କରିସାରିଲେଣି।

ଖତ, ସାର ଓ ମୂଲିଆ ଖର୍ଚ୍ଚ କରି କଠିନ ପରିଶ୍ରମ ପରେ ଧାନ ପାଚିଲା ସମୟରେ ଏଭଳି ସମ୍ପୂର୍ଣ୍ଣ ଫସଲ ନଷ୍ଟ ହୋଇଯିବାରୁ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି। ତୁରନ୍ତ ବନ ବିଭାଗ ପ୍ରତ୍ୟକ୍ଷ ସ୍ଥିତି ଅନୁଧ୍ୟାନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ସଠିକ୍ ଅନୁକମ୍ପା ରାଶି ଓ ଉଚିତ ମୂଲ୍ୟର କ୍ଷତିପୂରଣ ଯୋଗାଇଦେବାକୁ ଦାବି ହୋଇଛି। କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟର ବିକାଶ ଅଧିକାରୀ ଶ୍ରୀ ଭାଗିରଥି ମହାନ୍ତି କ୍ଷେତ୍ରରେ ପହଂଚି, ଅନୁକମ୍ପା ପୋଟାଲ ମାଧ୍ୟମରେ କ୍ଷତିପୂରଣ ରାଶି ପାଇବା ନିମନ୍ତେ ଚାଷୀମାନଙ୍କୁ ଆବେଦନ କରିବାର କୌଶଳ ବୁଝାଉଛନ୍ତି ଏବଂ ବନ ରଖି ସୁଶ୍ରୀ ସୁଚିତ୍ରାସିନି ସାହୁଙ୍କୁ କେଡ଼ି ଟ୍ରଷ୍ଟ ତରଫରୁ କ୍ଷତିଗ୍ରସ୍ତ ଚଷୀଙ୍କ ସ୍ଥିତି ଜଣାଇ ଦିଆଯାଇଛି।କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ ସମ୍ପାଦକ ଗଛ ମଣିଷ ଶ୍ରୀ ଭକ୍ତ ବତ୍ସଳ ମହାନ୍ତି ହାତୀ ମାନଙ୍କ ଠାରୁ ୨୦୦ ମିଟର ଦୂରେଇ ରହିବା ଏବଂ ଶାନ୍ତ ହାତୀ ମାନଙ୍କୁ ଅଶାନ୍ତ ନ କରିବାକୁ ନିବେଦନ କରିଛନ୍ତି।
କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ
