ଯୋଗାଦ୍ୱାରା ମାନସିକ ଦୁଶ୍ଚିନ୍ତା ଦୂର ହୋଇଥାଏ
ଯୋଗ ବାଳିକାଙ୍କୁ କେନ୍ଦ୍ରାପଡ଼ା କ୍ରେଡିଟର ସମ୍ବର୍ଦ୍ଧନା ସହ ପ୍ରୋତ୍ସାହନ ରାଶି ପ୍ରଦାନ
କେନ୍ଦ୍ରାପଡ଼ା,:କେନ୍ଦ୍ରାପଡ଼ା କ୍ରେଡିଟ କୋ ଅପରେଟିଭ ସୋସାଇଟି ପକ୍ଷରୁ ରାଜ୍ୟ ସ୍ତରୀୟ ଯୋଗ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଯୋଗ ବାଳିକା ଶୁଭଶ୍ରୀ ସରିତା ରାଉତଙ୍କୁ କେନ୍ଦ୍ରାପଡ଼ା ସହର ନୂଆ ବସଷ୍ଟାଣ୍ଡ ନିକଟରେ ଥିବା ମୁଖ୍ୟ ଶାଖା କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ଏହାସହ ସୋସାଇଟି ପକ୍ଷରୁ ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି। କଟକ ସ୍ଥିତ ଓଡ଼ିଶା ଯୋଗ ଆସୋସିଏସନ ଆନୁକୂଲ୍ୟରେ ୨୧ରୁ ୨୫ ବର୍ଷ ବାଳିକା ବିଭାଗରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଶୁଭଶ୍ରୀ ପ୍ରଥମ ସ୍ଥାନ ହାସଲ କରିବା ସହ ଜାତୀୟ ସ୍ଥରୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମବାୟବିତ ତଥା କେନ୍ଦ୍ରାପଡ଼ା କ୍ରେଡିଟ କୋଅପରେଟିଭ ସୋସାଇଟିର ସଭାପତି ପ୍ରମୋଦ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭଶ୍ରୀଙ୍କୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏହି ଅବସରରେ ଶ୍ରୀ ସାହୁ କହିଲେ ଯୋଗ ମନୁଷ୍ୟକୁ ସୁସ୍ଥ ରଖିବା ସହ ମାନସିକ ଦୁଶ୍ଚିନ୍ତା ଦୂର କରିଥାଏ। ଯୋଗରେ ଯୁବପିଢ଼ି କ୍ୟାରିୟର ମଧ୍ୟ କରିପାରିବେ। ବିଭିନ୍ନ ଶିକ୍ଷାନୁଷ୍ଠାନରେ ଯୋଗ ଶିକ୍ଷକଙ୍କ ଆବଶ୍ୟକତା ରହିଛି। ତେଣୁ ଶିକ୍ଷାନୁଷ୍ଠାନ ସହ ବିଭିନ୍ନ ଅନୁଷ୍ଠାନରେ ଯୋଗରେ କୃତି ହାସଲ କରିଥିବା ବ୍ୟକ୍ତିତ୍ୱମାନେ ନିଯୁକ୍ତି ପାଇ ପାରିବେ ବୋଲି ଶ୍ରୀ ସାହୁ ମତବ୍ୟକ୍ତ କରିଥିଲେ। ଏହି ସହାୟତା ପ୍ରଦାନ ବେଳେ ସୋସାଇଟିର ସମ୍ପାଦକ ଅରବିନ୍ଦ ସାହୁ, ଅତିରିକ୍ତ ସମ୍ପାଦକ ମନୋଜ ସାହୁ, ମୁଖ୍ୟ କାର୍ଯ୍ୟାଳୟର ମ୍ୟାନେଜର ଅନୁରକ୍ତା ସାମନ୍ତରାୟ, ବରିଷ୍ଠ ଶାଖା ପରିଚାଳକ ମନୋଜ ମଲ୍ଲିକ, ସମାଜସେବୀ ମୁନା ପଣ୍ଡା, ସ୍ମୃତି ରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଥାଉକି ଶୁଭଶ୍ରୀ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କୁରୁଜଙ୍ଗା ପଞ୍ଚାୟତ ଅନ୍ତର୍ଗତ କୁରୁଜଙ୍ଗା ଗ୍ରାମର ଜ୍ଞାନ ଲୋଚନ ରାଉତ ଓ ସସ୍ମିତାଙ୍କ କନ୍ୟା। ଶୁଭଶ୍ରୀ ଡେରାବିଶ କଲେଜରୁ ଯୁକ୍ତ ୩ ଶେଷ କରିଛନ୍ତି। ଏବେ ସେ ଯୋଗରେ କ୍ୟାରିୟର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ସେ ଯୋଗରେ ପିଜି କରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି। ସେ ନିକଟରେ ପଞ୍ଜାବର ପାଟିଆଲାରେ ଥିବା ସ୍ପୋର୍ଟ ଅଥରିଟି ଅଫ ଇଣ୍ଡିଆ ଦ୍ୱାରା ପରିଚାଳିତ ନେତାଜୀ ସୁଭାଷ ନେସନାଲ ଇନଷ୍ଟିଚ୍ୟୁଟ ଅଫ ସ୍ପୋର୍ଟରୁ ଯୋଗରେ ୬ ସପ୍ତାହ କୋଚ କୋର୍ସ କରି ୩୦୦ ରୁ ୨୦୬ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। କେନ୍ଦ୍ରାପଡ଼ା କ୍ରେଡିଟର ସଭାପତି କହିଛନ୍ତି ସୋସାଇଟି କେବଳ ବ୍ୟବସାୟ କରେ ତାହାନୁହେଁ, ବ୍ୟବସାୟ ସହିତ ରାଜ୍ୟ ସ୍ତରୀୟ, ଜାତୀୟ ସ୍ତରୀୟ ଓ ଅନ୍ତର୍ଜାତୀୟ ସ୍ତରୀୟ କ୍ରୀଡ଼ା ଓ ଯୋଗ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପ୍ରୋତ୍ସାହନ ରାଶି ଯୋଗାଇ ଦେଇଥାଏ। ସମିତିର ଏହି କାର୍ଯ୍ୟକୁ ସର୍ବତ୍ର ପ୍ରଶଂସା କରାଯାଇଛି।
