ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ନିଆରା ପ୍ରୟାସ
ରାଷ୍ଟ୍ରପତିଙ୍କୁ ଭେଟିଲେ ଦୁର୍ଗମ ଗ୍ରାମର ୪ ଆଦିବାସୀ ଝିଅ।
କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ଦୁର୍ଗମ ଲାଞ୍ଜି ପଞ୍ଚାୟତର ତୁର୍କା ଗ୍ରାମ ଗତ କିଛି ବର୍ଷ ତଳେ ବାହ୍ୟ ଜଗତରୁ ପ୍ରାୟ ବିଚ୍ଛିନ୍ନ ଥିଲା। ଏହି ଗ୍ରାମରେ ପକ୍କା ରାସ୍ତା, ପାନୀୟ ଜଳ କିମ୍ବା ବିଦ୍ୟୁତ ସୁବିଧା ନ ଥିଲା। ସେହିପରି ଶିକ୍ଷା ଗ୍ରାମର ଆଦିବାସୀ ପିଲାମାନଙ୍କ ପାଇଁ ସ୍ବପ୍ନ ସଦୃଶ ଥିଲା । ଏପରିସ୍ଥିତିରେ ରାଜ୍ୟ ସଭା ଏମ୍ପି ସୁଜୀତ କୁମାରଙ୍କ ଦୃଷ୍ଟି ଏହି ଗ୍ରାମ ଉପରେ ପଡିଥିଲା। ତାହା ପରେ ବ୍ଲକ ଓ ଜିଲା ପ୍ରଶାସନର ମିଳିତ ପ୍ରଚେଷ୍ଟାରେ ରାସ୍ତା, ପାନୀୟ ଜଳ ଓ ବିଦ୍ୟୁତ ବ୍ୟବସ୍ଥା ସୁନିଶ୍ଚିତ ହୋଇଥିଲା । କିନ୍ତୁ ଝିଅମାନଙ୍କ ଶିକ୍ଷା ଏବେ ମଧ୍ୟ ଅପହଞ୍ଚ ଥିଲା । ୨୦୨୨ ପର୍ଯ୍ୟନ୍ତ ଗ୍ରାମର କୌଣସି ଝିଅ ସ୍କୁଲରେ ଭର୍ତ୍ତି ହୋଇ ନ ଥିଲେ ।

ଏମ୍ପି ସୁଜୀତ କୁମାର ଓ ବ୍ଲକ ପ୍ରଶାସନଙ୍କ ଉଦ୍ୟମରେ ୨୦୨୨ରେ ଗ୍ରାମର ୪ ଜଣ ଆଦିବାସୀ ଝିଅ ପଦ୍ମା ମାଝୀ, ଦଇମତି ମାଝୀ, ଗୀତା ମାଝୀ ଓ ଜନତି ମାଝୀଙ୍କୁ ନିକଟସ୍ଥ ଭଟାଙ୍ଗପଦରରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଭର୍ତ୍ତି କରାଯାଇଥିଲା। ଭଟାଙ୍ଗପଦର ପଞ୍ଚାୟତ ଓ ବିଦ୍ୟାଳୟ ଏମ୍ପି କୁମାରଙ୍କ ପୋଷ୍ୟ ଗ୍ରାମ ଓ ପୋଷ୍ୟ ବିଦ୍ୟାଳୟ ଅଟେ । ଏମ୍ପି କୁମାର ଏହି ଝିଅମାନଙ୍କ ସମସ୍ତ ଶିକ୍ଷା ଓ ଆନୁସଙ୍ଗିକ ଖର୍ଚ୍ଚ ବହନ କରୁଥିବା ସହ ତାଙ୍କର ଆବଶ୍ୟକ ସମସ୍ତ ବ୍ୟବସ୍ଥା ନିଜେ ନିରୀକ୍ଷଣ କରୁଛନ୍ତି । ଏମ୍ପିଙ୍କ ଉଦ୍ୟମରେ ଏହି ଝିଅମାନେ ନିକଟରେ ଦିଲ୍ଲୀ ଯାଇ ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ କରିବାର ସୁଯୋଗ ପାଇଥିଲେ। ଏଥିସହ ସେମାନେ ସଂସଦ ଭବନ ମଧ୍ୟ ପରିଦର୍ଶନ କରିଥିଲେ । ଏହି ସୁଯୋଗ ସେମାନଙ୍କ ପାଇଁ ଜୀବନରେ ଏକ ସ୍ମରଣୀୟ ଅନୁଭବ ହୋଇ ରହିବ ବୋଲି ସେମାନେ ମତପ୍ରକାଶ କରିଛନ୍ତି। ସେହିଭଳି ମହାମହିମ ରାଷ୍ଟ୍ରପତି ମଧ୍ୟ ଏମ୍ପିଙ୍କ ଏହି ଉଦ୍ୟମକୁ ପ୍ରଶଂସା କରି କହିଥିଲେ ଯେ, ଏହା ରାଜ୍ୟ ଓ ଦେଶର ଲକ୍ଷାଧିକ ଆଦିବାସୀ ଛାତ୍ରୀମାନଙ୍କୁ ଶିକ୍ଷା ଗ୍ରହଣ କରି ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇବ । ଏହି ୪ ଜଣ ଝିଅଙ୍କର ଶିକ୍ଷା ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ସେ ସମସ୍ତ ପ୍ରକାର ସହଯୋଗ ଜାରି ରଖିବେ। ସେହିପରି କଳାହାଣ୍ଡି ସହ ରାଜ୍ୟର ଅନ୍ୟାନ୍ୟ ଝିଅମାନେ କିପରି ଶିକ୍ଷା ଗ୍ରହଣ କରି ରୋଜଗାରକ୍ଷମ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ, ସେହି ଦିଗରେ ମଧ୍ୟ ତାଙ୍କ ପ୍ରୟାସ ଆଗାମୀ ଦିନରେ ଜାରି ରହିବ ବୋଲି ସାଂସଦ ପ୍ରକାଶ କରିଛନ୍ତି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
