August 27, 2025
Home » “ରାଜ୍ୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଦିଆଯିବ ୧୨୯ ଗୋଟି ପୁରସ୍କାର

“ରାଜ୍ୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଦିଆଯିବ ୧୨୯ ଗୋଟି ପୁରସ୍କାର

0
WhatsApp Image 2025-07-28 at 9.28.34 PM

ଭୁବନେଶ୍ଵର: ରାଜ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥାରେ ଉନ୍ନତ ପ୍ରଦର୍ଶନକୁ ଅଭିପ୍ରେରିତ କରିବା ସହ ଆହୁରି ସୁଯୋଗ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯିବ ରାଜ୍ୟ ପଞ୍ଚାୟତ ପୁରସ୍କାର l ସେଥିପାଇଁ ୯ଟି ଥିମ ଓ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ୧୨୯ ଗୋଟି ପୁରସ୍କାର ଦିଆଯିବ ଯେଉଥି ପାଇଁ ସରକାରଙ୍କ ତରଫରୁ ୪ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ବୋଲି ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ପ୍ରକାଶ କରିଛନ୍ତି l
ଏହି ସମ୍ପର୍କରେ ଗଣମାଧ୍ୟମକୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ରାଜ୍ୟ ପଞ୍ଚାୟତ ପୁରସ୍କାର ବିଷୟରେ ସବିଶେଷ ତଥ୍ୟ ରଖିଛନ୍ତି l Panchayat Advancement Index ସ୍କୋରରେ ପ୍ରଦର୍ଶନ ଅନୁଯାୟୀ ନଅଟି ଥିମ ଯଥା : MGNREGA, ସ୍ୱଚ୍ଛତା- ବାହ୍ୟ ମଳମୁକ୍ତ, ଜଲ ଜୀବନ ମିଶନ, ସୁଶାସନ, ଦକ୍ଷତା ବିକାଶ, ଆୟ ସ୍ରୋତ ବୃଦ୍ଧି, ଅନଲାଇନ ଅଡିଟ, ଉନ୍ନତ GPDPs, eGS ପୋର୍ଟାଲରେ ଗ୍ରାମ ପଞ୍ଚାୟତର ତଥ୍ୟ ଅଦ୍ୟତନ ଆଦି କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ସବୁ ଦିଆଯିବ l ଚାରିଟି ବର୍ଗରେ ପୁରସ୍କାରଗୁଡ଼ିକ ରାଜ୍ୟ ସ୍ତର, ଜିଲ୍ଲା ସ୍ତର, ବ୍ଲକ ସ୍ତର ଓ ସଂସ୍ଥାଗତ ସ୍ତରରେ ପ୍ରଦାନ କରାଯିବ l
ରାଜ୍ୟ ସ୍ତରରେ ଯୋଗ୍ୟ ବିବେଚିତ ଗ୍ରାମ ପଞ୍ଚାୟତ ଗୁଡିକୁ ପ୍ରଥମ ସ୍ଥାନ-୧୫ ଲକ୍ଷ, ଦ୍ବିତୀୟ ସ୍ଥାନ-୧୦ ଲକ୍ଷ, ତୃତୀୟ ସ୍ଥାନ-୫ ଲକ୍ଷ ଅର୍ଥରାଶି ପ୍ରଦାନ କରାଯିବ l ଯୋଗ୍ୟ ବିବେଚିତ ପଞ୍ଚାୟତ ସମିତି ଗୁଡିକୁ ମଧ୍ୟ ପ୍ରଥମ ସ୍ଥାନ-୧୫ ଲକ୍ଷ, ଦ୍ବିତୀୟ ସ୍ଥାନ-୧୦ ଲକ୍ଷ, ତୃତୀୟ ସ୍ଥାନ-୫ ଲକ୍ଷ ଅର୍ଥରାଶି ପ୍ରଦାନ କରାଯିବ l ଯୋଗ୍ୟ ବିବେଚିତ ଜିଲ୍ଲା ପରିଷଦ ଗୁଡିକୁ ପ୍ରଥମ ସ୍ଥାନ-୨୫ ଲକ୍ଷ, ଦ୍ବିତୀୟ ସ୍ଥାନ-୨୦ ଲକ୍ଷ, ତୃତୀୟ ସ୍ଥାନ-୧୫ ଲକ୍ଷ ଅର୍ଥରାଶି ପ୍ରଦାନ କରାଯିବ l ସେହିଭଳି ନଅଟି ଥିମ୍ ରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ପାଇଁ ଯଥା କ୍ରମେ ୫ ଲକ୍ଷ, ୩ ଲକ୍ଷ ଓ ୨ ଲକ୍ଷ, ସର୍ବମୋଟ ୨୭ ଗୋଟି ପୁରସ୍କାର ପ୍ରଦାନ କରାଯିବ l
ସେହି ଭଳି ଜିଲ୍ଲା ସ୍ତରରେ ପ୍ରଥମ ସ୍ଥାନ : ୩ ଲକ୍ଷ , ଦ୍ବିତୀୟ ସ୍ଥାନ: ୨ ଲକ୍ଷ୍, ତୃତୀୟ ସ୍ଥାନ: ୧ ଲକ୍ଷ ଅର୍ଥ ରାଶି ସର୍ବମୋଟ ୯୦ ଗୋଟି ପୁରସ୍କାର ପ୍ରଦାନ କରାଯିବ l ବ୍ଲକ ସ୍ତରୀୟ ପୁରସ୍କାରରେ ପ୍ରଶଂସାପତ୍ର ପ୍ରଦାନ କରାଯିବ l
ଏହି ଅର୍ଥରାଶି ସାମଗ୍ରିକ ଭିତ୍ତିଭୂମିର ବିକାଶ, ସ୍ବାସ୍ଥ୍ୟ ଶିବିର ଆୟୋଜନ, ଡିଜିଟାଲ ଓ ସାର୍ବଜନୀନ ଲାଇବ୍ରେରୀ, ସ୍ଵତନ୍ତ୍ର ଦିବସ ପାଳନ, ଅଙ୍ଗନବାଡ଼ି କେନ୍ଦ୍ରର ମରାମତି ଓ ପୁନଃନବୀକରଣ, ଶିଶୁମାନଙ୍କ ପାଇଁ ବିନୋଦନ ସୁବିଧା, ଦିବ୍ୟଙ୍ଗଜନଙ୍କ ବିକାଶ, ସୂଚନା-ଶିକ୍ଷା -ସଞ୍ଚାର ଆଦି କ୍ଷେତ୍ରରେ ଖର୍ଚ୍ଚ ହେବ l
ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସ୍ଥାୟୀ ଉନ୍ନତି ଲକ୍ଷ୍ୟ (LSDGs)ର ନଅଟି ବିଷୟରେ ପଞ୍ଚାୟତି ରାଜ ଅନୁଷ୍ଠାନ ମାନଙ୍କର ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ଆଧାରରେ ପ୍ରୋତ୍ସାହନ ଦେବାକୁ ଗ୍ରହଣ କରାଯାଇଥିବା ଏହି ଉଦ୍ୟମ, ସ୍ୱାବଳମ୍ବୀ ପଞ୍ଚାୟତରାଜ ଅନୁଷ୍ଠାନ ଗୁଡିକୁ ପ୍ରେରିତ କରିବ ଓ ଏହି ପଦକ୍ଷେପ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଏକ ବଳିଷ୍ଠ ଉଦ୍ୟମ ସାବ୍ୟସ୍ତ ହେବ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ନାଏକ ମତପ୍ରକାଶ କରିଛନ୍ତି l

Leave a Reply

Your email address will not be published. Required fields are marked *