June 21, 2026
Home » ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ମେଗା ଅଏଲ ପାମ୍ ବୃକ୍ଷରୋପଣ ଓ କୃଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ମେଗା ଅଏଲ ପାମ୍ ବୃକ୍ଷରୋପଣ ଓ କୃଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

0
WhatsApp Image 2026-06-21 at 3.27.50 PM

 

ପରିବେଶ ସୁରକ୍ଷା ଓ କୃଷି ବିବିଧୀକରଣ ପାଇଁ ଅଏଲ ପାମ୍ ଚାଷକୁ ଗୁରୁତ୍ୱ ଦେବାକୁ ଆହ୍ୱାନ

ବରଗଡ଼: ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉତ୍ସବ “ବିକାଶ ଧାରା, ଓଡ଼ିଶା ସାରା” ଅବସରରେ ଜାତୀୟ ଖାଇବା ତେଲ ମିଶନ–ଅଏଲ ପାମ୍ (ଏନଏମଇଓ-ଓପି) ୨୦୨୬-୨୭ ଅଧୀନରେ ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଟଲି ବ୍ଲକ ଅନ୍ତର୍ଗତ ନୂଆପାଲି ଠାରେ ଏକ ମେଗା ଅଏଲ ପାମ୍ ବୃକ୍ଷରୋପଣ କାର୍ଯ୍ୟକ୍ରମ ଓ କୃଷକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା।

ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉକ୍ତ ଏକ ହେକ୍ଟର ବିଶିଷ୍ଟ ପ୍ରଦର୍ଶନୀ କ୍ଷେତ୍ରରେ ଅଏଲ ପାମ୍ ଚାରା ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଉପସ୍ଥିତ କୃଷକମାନଙ୍କୁ ବହୁମୁଖୀ ଚାଷ ପ୍ରଣାଳୀ ଆପଣାଇ ଆୟ ବୃଦ୍ଧି ଦିଗରେ ଅଗ୍ରସର ହେବାକୁ ପ୍ରେରିତ କରିଥିଲେ। ପରିବେଶ ସୁରକ୍ଷା ଓ ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ ପୃଥିବୀ ଗଠନ ନିମନ୍ତେ ଅଧିକରୁ ଅଧିକ ବୃକ୍ଷରୋପଣ କରିବାକୁ ସେ ଆହ୍ୱାନ ଜଣାଇଥିଲେ।

 

କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଲାଲଟ କୁମାର ଲୁହା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ, ବନଖଣ୍ଡ ଅଧିକାରୀ ଶ୍ରୀ ସରୋଜ କୁମାର ପଣ୍ଡା, ଭଟଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ନିତ୍ୟାନନ୍ଦ ପଧାନ, ପ୍ରକଳ୍ପ ନିର୍ଦ୍ଦେଶକ (ୱାଟରସେଡ୍) ଶ୍ରୀ ସୁଷେଣ ମିର୍ଦ୍ଧା, ଭଟଲି ବିଡିଓ ଶ୍ରୀ ପ୍ରମୋଦ କୁମାର ମେହେର, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଲୋଚନ ମାଝୀ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସଲା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚାରା ରୋପଣ କରିବା ସହ କୃଷକମାନଙ୍କୁ ସ୍ଥାୟୀ କୃଷି ଏବଂ ବୃକ୍ଷରୋପଣ ପ୍ରତି ଉତ୍ସାହିତ କରିଥିଲେ।

ଏହି ଅବସରରେ ଅମ୍ବାଭୋନା ବ୍ଲକର ସଫଳ ଅଏଲ ପାମ୍ ଚାଷୀ ଶ୍ରୀ ରାମକୁମାର ପଟେଲ ଏବଂ ଭଟଲି ବ୍ଲକର ଶ୍ରୀ ଯୋଗେଶ୍ୱର ପଧାନ ଅଏଲ ପାମ୍ ଚାଷରୁ ମିଳୁଥିବା ଆର୍ଥିକ ଲାଭ, ଆୟ ବୃଦ୍ଧିର ସୁଯୋଗ ଏବଂ ଉଦ୍ୟାନ କୃଷି ବିଭାଗ ଓ ଗୋଦ୍ରେଜ ଏଗ୍ରୋଭେଟ ଲିମିଟେଡ଼ ପକ୍ଷରୁ ମିଳୁଥିବା ସହାୟତା ସମ୍ପର୍କରେ ନିଜର ଅନୁଭୂତି କହିଥିଲେ ।

କୃଷକମାନଙ୍କୁ ବୈଜ୍ଞାନିକ ପଦ୍ଧତିରେ ଅଏଲ ପାମ୍ ଚାଷ ସମ୍ପର୍କରେ ସଚେତନ କରିବା ଉଦେଶ୍ୟରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ଗୋଦ୍ରେଜ ଏଗ୍ରୋଭେଟ ଲିମିଟେଡ଼ର ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବାପୁଜୀ ମଲ୍ଲିକ ଏବଂ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ସଞ୍ଜୀବ କୁମାର ପୃଷ୍ଟି ଅଏଲ ପାମ୍ ଚାଷ ପ୍ରଣାଳୀ, ବଗିଚା ପରିଚାଳନା, ସରକାରୀ ସହାୟତା, ସବସିଡି ବ୍ୟବସ୍ତା ଏବଂ ଏନଏମଇଓ-ଓପି ଅଧୀନରେ ମିଳୁଥିବା ବିଭିନ୍ନ ସୁବିଧା ସମ୍ପର୍କରେ ବିସ୍ତୃତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ, ବରଗଡ଼ ଶ୍ରୀ ଗୋବିନ୍ଦ ଚନ୍ଦ୍ର ପଣ୍ଡା ଏବଂ ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ, ପଦ୍ମପୁର ଶ୍ରୀ ଗୋବିନ୍ଦ ପ୍ରଧାନଙ୍କ ସମନ୍ୱୟରେ ଆୟୋଜିତ ହୋଇଥିବା ବେଳେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟକ କୃଷକ ଏଥିରେ ଅଂଶଗ୍ରହଣ କରି ଅଏଲ ପାମ୍ ଚାଷ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ।

ଶେଷରେ କୃଷକମାନଙ୍କୁ ସରକାରୀ ଯୋଜନାର ସୁଯୋଗ ନେଇ ଅଏଲ ପାମ୍ ଚାଷକୁ ଆପଣାଇବା ସହ କୃଷି ବିବିଧୀକରଣ ଏବଂ ପରିବେଶ ସୁରକ୍ଷା ଦିଗରେ ଆଗେଇ ଆସିବାକୁ ଆହ୍ୱାନ ଜଣାଯାଇଥିଲା।

ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.

Leave a Reply

Your email address will not be published. Required fields are marked *