October 16, 2026
Home » ଲୋକନୃତ୍ୟ କୋଠିଶାଳ କର୍ମଶାଳା

ଲୋକନୃତ୍ୟ କୋଠିଶାଳ କର୍ମଶାଳା

0
WhatsApp Image 2026-10-16 at 2.46.51 PM

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଲୋକନୃତ୍ୟ ତଥା ଲୋକକଳା ମଧ୍ୟରେ କୋଠିଶାଳ ଯାତ୍ରା ଅନ୍ୟତମ l ଆଶ୍ୱିନ ମାସରେ ମାତୃଶକ୍ତି ଆରାଧନା କାଳରେ ଏହା ପାଳନ କରାଯାଇଥାଏ l ପ୍ରତିବର୍ଷ ପରି ଏଥର ମଧ୍ୟ
ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ଠାରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହା ଧୁମଧାମ୍ ରେ ପାଳନ କରାଯାଇଛି l ଉକ୍ତ କର୍ମଶାଳାରେ ବାଣିଜ୍ୟ ଓ ପରିବହନ ଏବଂ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ l ‘ଜିଲ୍ଲା ସ୍ତରରେ ସ୍ୱୀକୃତି ଲାଭ କରିଥିବା କୋଠିଶାଳ ଯାତ୍ରା ରାଜ୍ୟସ୍ତରୀୟ ସ୍ୱୀକୃତି ହାସଲ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ l ଗାଁ ର କଥା, ମନର କଥା, ବିଶ୍ୱାସର କଥା, ମାନ୍ୟତା ତଥା ସଂସ୍କୃତିର ନିର୍ମଳ କଥା ଓ ଗାଥାର ରୂପାନ୍ତର ହେଉଛି କୋଠିଶାଳ ଯାତ୍ରା l ହାତ ପାଆନ୍ତା ସାଜ ସରଞ୍ଜାମରୁ ଆରମ୍ଭ ଏହି ଯାତ୍ରା ବହୁ ପଥ ଅତିକ୍ରମ କରିଛି l କଠୋର ଶ୍ରମ ସ୍ୱୀକାର ପୂର୍ବକ ଚତୁର୍ଦିଗ ଶସ୍ୟଶାମଳାରେ ଭରା ଥିବା ବେଳେ ଶ୍ରମର ଅପନୋଦନ, ପ୍ରକୃତି ମାତାଙ୍କ ଜୟଗାନ, ଆଧ୍ୟାତ୍ମିକ ଅନୁଭବ ନିମନ୍ତେ ଉଦ୍ଦିଷ୍ଟ ଏହି ଲୋକନୃତ୍ୟ, ଲୋକକଥା, ଲୋକସଂଗୀତ ଆଜି ଏହାର ମୌଳିକ ଭାବଧାରା ଯୋଗୁଁ ସର୍ବ ଆଦୃତ ହୋଇପାରିଛି l ଆଜିକାର ଭେଦଭାବ ଶୂନ୍ୟ ସାମୂହିକ ପ୍ରତିବେଦନ ଏହି ଉତ୍ସବକୁ ଅଧିକତର ଦିବ୍ୟ, ଭବ୍ୟ କରିପାରିଛି l

ପାଳିଆ ଏବଂ ଗାୟକଙ୍କ ମଧ୍ୟରେ ପ୍ରଶ୍ନୋତ୍ତର ଛଳରେ ଉତ୍ଥାପିତ ପ୍ରସଙ୍ଗ, ଏହାର କାବ୍ୟ ରସ, ଶବ୍ଦାର୍ଥ ତଥା ଭାବାର୍ଥ ଉପସ୍ଥିତ ଶ୍ରୋତାମଣ୍ଡଳୀଙ୍କୁ କାଳେ କାଳେ ବିମୁଗ୍ଧ କରି ଆସିଛି ବୋଲି ସେ ଉଲ୍ଲେଖ କରିଥିଲେ l’ ୧୯ ବର୍ଷୀୟ ଯୁବ ଗାହାଣ ଗାୟକ ଚନ୍ଦନ ସଂପର୍କରେ କହିବାକୁ ଯାଇ ଯୁବସମାଜ ଆପଣା କଳାସଂସ୍କୃତି ପ୍ରତି ଆକର୍ଷିତ ହେଉଥିବାରୁ ଏହାକୁ ଭବିଷ୍ୟତ ନିମନ୍ତେ ଶୁଭ ସୂଚ଼ନା ବୋଲି ଅଭିହିତ କରିଥିଲେ l ଏହି ଯାତ୍ରା ଅବସରରେ ଅଙ୍କିତ ଦେବୀଦେବତା ଚିତ୍ରରେ ଜୀବନ୍ୟାସ, ଆବାହନ, ପୂଜାର୍ଚ୍ଚନା ଏବଂ ବିସର୍ଜନର ଆଧ୍ୟାତ୍ମିକ ବିଶେଷତ୍ଵ ସଂକ୍ରାନ୍ତରେ ଉପସ୍ଥିତ ଗବେଷକ ତଥା ବରିଷ୍ଠ କଳାକାର ଏବଂ ଗାହାଣ ଗାୟକ ଗୀତରେ ଗୀତରେ ପ୍ରକାଶ କରିବାର ଶୈଳୀ ଶ୍ରୋତାମଣ୍ଡଳୀଙ୍କୁ ବାନ୍ଧି ରଖିପାରିଥିଲା l ‘ଲୋକକଳାର ଅନ୍ତୁଡିଶାଳ ଗଞ୍ଜାମ ଜିଲ୍ଲାର ୬୪ ଲୋକ କଳା ମଧ୍ୟରେ ଅନ୍ୟତମ ଏହି କୋଠଶାଳା ଯାତ୍ରା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରସାର ଲାଭ ନିମନ୍ତେ ଉଦ୍ୟମ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ସୁନୀଲ୍ କେର୍କେଟା ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ l ଗଞ୍ଜାମ ଜିଲ୍ଲାର ପ୍ରାୟ ୨୦୦ ଗାହାଣ ଦଳ, ସୁନାମଧନ୍ୟ କଳାକାର, ସଂସ୍କୃତି ଗବେଷକ, ଜିଲ୍ଲା ସାହିତ୍ୟ ସଂସଦ କର୍ମକର୍ତ୍ତାଙ୍କ ସମେତ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ ସହ ଲୋକକଳାକୁ ସମୃଦ୍ଧ କରିଥିବା ବିଶିଷ୍ଟ ବ୍ୟକ୍ତିବିଶେଷ ଏହି ଅବସରରେ ମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିଲେ l ବ୍ରହ୍ମପୁର ମହାନଗର ନିଗମ ଆୟୁକ୍ତ ସସ୍ୟା ରେଡ୍ଡି, ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅଦିତି ଆଚାର୍ଯ୍ୟଙ୍କ ସମେତ ବିଭାଗୀୟ ଅଧିକାରୀଗଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ l

Leave a Reply

Your email address will not be published. Required fields are marked *