ଶକ୍ତି ନିବେଶକ ସମ୍ମିଳନୀର ତୃତୀୟ ସଂସ୍କରଣ:ଲକ୍ଷ୍ୟସ୍ଥଳରେ ନିଜକୁ ପ୍ରତିଷ୍ଠିତ କରିଛି ଓଡ଼ିଶା
ଭୁବନେଶ୍ୱର:ଓଡ଼ିଶା ନବୀକରଣୀୟ ଶକ୍ତି ନିବେଶକ ସମ୍ମିଳନୀର ତୃତୀୟ ସଂସ୍କରଣ ଭୁବନେଶ୍ୱରରେ ସଫଳ ଭାବେ ଆୟୋଜିତ ହୋଇଛି l ଏହା ଓଡ଼ିଶାର ସ୍ୱଚ୍ଛ ଶକ୍ତି ନେତୃତ୍ୱକୁ ଆହୁରି ସୁଦୃଢ଼ କରିପାରିଛି। ଗ୍ରୀଡକୋ ଲିମିଟେଡ୍ ଓ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ଦ୍ୱାରା ଆୟୋଜିତ ଏହି ସମ୍ମିଳନୀରେ ରାଜ୍ୟର ନବୀକରଣୀୟ ଶକ୍ତି ନିବେଶକୁ ତ୍ୱରାନ୍ୱିତ କରିବା ପାଇଁ ନୀତି ନିର୍ଦ୍ଧାରକ, ନିବେଶକ, ଆର୍ଥିକ ପ୍ରତିଷ୍ଠାନ, ପ୍ରଯୁକ୍ତିବିଦ୍ୟା ପ୍ରଦାନକାରୀ ଏବଂ ଶିଳ୍ପ ଜଗତର ପ୍ରମୁଖ ବ୍ୟକ୍ତି ବିଶେଷ ଏକତ୍ରିତ ହୋଇଛନ୍ତି । ଅନ୍ତର୍ଜାତୀୟ ସଂସ୍ଥା (iFOREST) ନଲେଜ ପାର୍ଟନର ଭାବେ କାର୍ଯ୍ୟ କରୁଛି।ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହ ଦେଓଙ୍କ କରକମଳରେ ରାଜ୍ୟର ପ୍ରଥମ ପବନ ଚାଳିତ ୧୫୦ମିଟର ମାଷ୍ଟ (Wind Resource Assessment Mast ) ଏବଂ ଓଡ଼ିଶାର ୬ ଟି ସହର ପାଇଁ City Accelerator କାର୍ଯ୍ୟକ୍ରମର ଶୁଭାରମ୍ଭ ସହିତ ପ୍ରାୟ ୬୭୦୦୦ କୋଟି ଟଙ୍କାର ନିବେଶ ହୋଇଛି ।ଏହି କନକ୍ଲେଭକୁ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ, ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଦଘାଟନ କରିଛନ୍ତି । ଉଦଘାଟନୀ ଅଧିବେଶନ ଅଭିଭାଷଣରେ ଉପମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦେଶର ନବୀକରଣୀୟ ଶକ୍ତି କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ପ୍ରତିବଦ୍ଧ। ୨୦୩୦ ସୁଦ୍ଧା ଭାରତ ସୁଦ୍ଧା ୫୦୦ ଗିଗାୱାଟ କ୍ଷମତା ବିଶିଷ୍ଟ ଅଣ-ଜୀବାଶ୍ମ ଶକ୍ତିସମ୍ପନ୍ନ ରାଷ୍ଟ୍ର ହେବାକୁ ଲକ୍ଷ୍ୟ ରଖିଛି ଏବଂ ସମତାଳରେ ଓଡ଼ିଶା ଏଥିରେ ଅର୍ଥପୂର୍ଣ୍ଣ ଯୋଗଦାନ ଦେଉଛି। ଉପକୂଳ ରାଜ୍ୟ ଭାବେ ଓଡ଼ିଶାରେ ସୌର ଏବଂ କ୍ଷୁଦ୍ର ଜଳବିଦ୍ୟୁତ ସହିତ ପବନ ଶକ୍ତି ବିକାଶ ପାଇଁ ବିଶେଷ ସମ୍ଭାବନା ରହିଛି l ନିୟାମକ କ୍ଷେତ୍ରରେ ଆମେ ଦୃଢ଼ ନୀତି ଓ ଅନୁକୂଳ ଅନୁମୋଦନ ପ୍ରକ୍ରିୟା ପ୍ରଦାନ କରୁଛୁ । ଏହି ଦୁଇ ଦିନିଆ ନିବେଶକ ସମ୍ମିଳନୀ ଓଡ଼ିଶାର ନବୀକରଣୀୟ ଶକ୍ତିର ଅଭିବୃଦ୍ଧିକୁ ସମର୍ଥନ କରିବା ସହ ଦେଶ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହେବ।ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ କହିଛନ୍ତି ଯେ, ଆମର ଉଦ୍ଦେଶ୍ୟ କେବଳ ନବୀକରଣୀୟ ଶକ୍ତିର କ୍ଷମତା ବୃଦ୍ଧି ନୁହେଁ ବରଂ ସିଷ୍ଟମର ଇଣ୍ଟିଗ୍ରେସନ । ନବୀକରଣ ସହିତ ପମ୍ପଡ୍ ଷ୍ଟୋରେଜ୍ ଏବଂ ବ୍ୟାଟେରୀ ସିଷ୍ଟମକୁ ଆଗକୁ ବଢ଼ାଇ ଆମେ ଗ୍ରୀଡ୍ ସ୍ଥିରତା ଏବଂ ଦୀର୍ଘକାଳୀନ ଶକ୍ତି ସୁରକ୍ଷା ସୁନିଶ୍ଚିତ କରୁଛୁ। ଓଡ଼ିଶାରେ ନବୀକରଣୀୟ ଶକ୍ତି ସ୍କେଲ୍-ଅପ୍ ଏକ ନୀତିଗତ ଢାଞ୍ଚାରେ ରହିଛି, ଯାହାକୁ ରାଜ୍ୟ ଓ ଜିଲ୍ଲା ସ୍ତରରେ ସମର୍ପିତ ସଂସ୍ଥାଗୁଡ଼ିକ ମଧ୍ୟ ସମର୍ଥନ କଋଛନ୍ତି। ଆମେ ଶିଳ୍ପ-ନେତୃତ୍ୱାଧୀନ ନବୀକରଣୀୟ ଶକ୍ତି ଅଭିବୃଦ୍ଧି ଉପରେ ସ୍ପଷ୍ଟ ଧ୍ୟାନ ଦେଉଛୁ। ଏହି ବର୍ଷ ନବୀକରଣୀୟ ଶକ୍ତି ନିବେଶକ ସମ୍ମିଳନୀରେ ସ୍ୱାକ୍ଷରିତ ନିବେଶକ ପ୍ରତିଶ୍ରୁତି ଏବଂ ବୁଝାମଣାପତ୍ର ମାଧ୍ୟମରେ ୬.୮ ଗିଗାୱାଟ କ୍ଷମତା ବିଶିଷ୍ଟ ୬୭୦୦୦ କୋଟି ଟଙ୍କାର ନିବେଶ ସଂଗ୍ରହ କରିଛୁ।ନବୀକରଣୀୟ ଶକ୍ତି ଗ୍ରହଣ କରିବା କେବଳ ପରିବେଶ ଓ ଜଳବାୟୁ ପାଇଁ ଜରୁରୀ ତାହା ନୁହେଁ – ଏହା ଏକ ଅର୍ଥନୈତିକ ଶକ୍ତି ମଧ୍ୟ । ଭାସମାନ ସୌର ଓ ପବନ କ୍ଷେତ୍ରରେ ଓଡ଼ିଶାରେ ଯଥେଷ୍ଟ ସମ୍ଭାବନା ଅଛି, ଏବଂ ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ ମାଧ୍ୟମରେ ଏକ ପ୍ରମୁଖ ସଂରକ୍ଷଣ କେନ୍ଦ୍ର ହୋଇପାରିବ ବୋଲି ଏସଇସିଆଇର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଆକାଶ ତ୍ରିପାଠୀ କହିଛନ୍ତି।
ଆଇଫରେଷ୍ଟର ସିଇଓ ତଥା ସଭାପତି ଡକ୍ଟର ଚନ୍ଦ୍ର ଭୂଷଣ ଗୁରୁତ୍ବାରୋପ କରିଛନ୍ତି ଯେ, ପୂର୍ବ ଭାରତରେ ଅବ୍ୟବହୃତ ନବୀକରଣୀୟ ଶକ୍ତିର ଅପାର ସମ୍ଭାବନା ରହିଛି। ଭାସମାନ ସୌର, ପମ୍ପଡ୍ ଷ୍ଟୋରେଜ୍ ଏବଂ ବ୍ୟାଟେରୀ ଷ୍ଟୋରେଜ୍ ସମାଧାନ ବିକାଶ ପାଇଁ ଓଡ଼ିଶାର ସକ୍ରିୟ ଆଭିମୁଖ୍ୟ ଭାରତର ନବୀକରଣୀୟ ଶକ୍ତି ପ୍ରସାରଣର ପରବର୍ତ୍ତୀ ପର୍ଯ୍ୟାୟର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଭାବରେ କାର୍ଯ୍ୟ କରିବ।
ସମ୍ମିଳନୀ ସମୟରେ, ଓଡ଼ିଶା ଉତ୍ପାଦନ ଏବଂ ସଂରକ୍ଷଣ ପ୍ରଯୁକ୍ତିବିଦ୍ୟାରେ ଏକ ଦୃଢ଼ ଓ ବିବିଧ ପ୍ରକଳ୍ପ ସୂଚୀ ଉପସ୍ଥାପନ କରିଥିଲା। ଏଥିରେ ୫୦୦୦ ମେଗାୱାଟରୁ ଅଧିକ ଭାସମାନ ସୌର ଫଟୋଭୋଲଟାଇକ୍ (FSPV) ପ୍ରକଳ୍ପ; ୩୬ ଟି ଚିହ୍ନଟ ସ୍ଥାନରେ ୧୮ ହଜାର ମେଗାୱାଟର ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ (PSP); ଏବଂ ୫୦୦ MWh ବ୍ୟାଟେରୀ ଶକ୍ତି ସଂରକ୍ଷଣ ପ୍ରଣାଳୀ (BESS) ରହିଛି, ଯାହା ଭାୟାବିଲିଟି ଗ୍ୟାପ୍ ପାଣ୍ଠି ଦ୍ୱାରା ସମର୍ଥିତ। ପବନ ଶକ୍ତି, ଆବଣ୍ଟିତ ନବୀକରଣୀୟ ଶକ୍ତି, କ୍ଷୁଦ୍ର ଜଳବିଦ୍ୟୁତ, କୃଷି ଏବଂ ଅପଚୟରୁ ଶକ୍ତି କ୍ଷେତ୍ରରେ ଉଦୀୟମାନ ସୁଯୋଗଗୁଡ଼ିକ ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା।ଗ୍ରିଡକୋ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ସତ୍ୟପ୍ରିୟ ରଥ ଆହୁରି ମଧ୍ୟ କହିଛନ୍ତି, ନବୀକରଣୀୟ ଶକ୍ତି ନୋଡାଲ୍ ଏଜେନ୍ସି (RENA) ସେଲ୍ ମାଧ୍ୟମରେ, ଗ୍ରିଡକୋ ପ୍ରକଳ୍ପ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବିକାଶକୁ ସହଜ କରୁଛି। ଆମେ ସ୍ୱଚ୍ଛ କ୍ରୟ, ଏବଂ ସମୟୋଚିତ ବିଡ୍ ପ୍ରକ୍ରିୟାକୁ ସକ୍ଷମ କରିବା ପାଇଁ ପ୍ରତିବଦ୍ଧ ଅଛୁ ।
ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ ପକ୍ଷରୁ ଗ୍ରିଡକୋ ଏବଂ ନିବେଶକଙ୍କ ମଧ୍ୟରେ ସମୁଦାୟ ପାଞ୍ଚଗୋଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା:
NHPC – ୧୦୦୦ ମେଗାୱାଟ ବିଶିଷ୍ଟ ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପର ବିକାଶ।BPCL – ଭୂସ୍ଥାପିତ ସୌର, ଭାସମାନ ସୌର ଫୋଟୋଭୋଲ୍ଟାଇକ, ଏବଂ ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପର ବିକାଶ।NEEPCO – ୮୦୦ ମେଗାୱାଟ ବିଶିଷ୍ଟ ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପର ବିକାଶ।ABC କ୍ଲିନ୍ଟେକ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଆକ୍ସିସ୍ ଏନର୍ଜି ଭେଞ୍ଚର୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ – ବ୍ଯାଟେରୀ ଏନର୍ଜି ଷ୍ଟୋରେଜ ସିଷ୍ଟମ ସହିତ ପବନ, କୃଷି-ଭୋଲଟାଇକ୍, ସୌର ଶକ୍ତି, ପବନ ହାଇବ୍ରିଡ୍ / ସୌର କ୍ଷେତ୍ରରେ ୫୦୦୦ ମେଗାୱାଟ୍ ର ବିକାଶ, ଏବଂ ସବୁଜ ହାଇଡ୍ରୋଜେନ୍ ଏବଂ ଉତ୍ପାଦ ।ବସୁଧା – ଭାସମାନ ସୌର ଫୋଟୋଭୋଲ୍ଟାଇକ ଏବଂ କୃଷି ପ୍ରକଳ୍ପ ଉପରେ ନଲେଜ ପାର୍ଟନର ଭାବେ ସହଯୋଗ।ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ଅଧ୍ୟକ୍ଷ-ତଥା-ପରିଚାଳନା ନିର୍ଦ୍ଦେଶକ, ଓପିଟିସିଏଲ ମଧ୍ୟ କନକ୍ଲେଭରେ ଉପସ୍ଥିତ ଥିଲେ। କନକ୍ଲେଭରେ ଘରୋଇ କ୍ଷେତ୍ରର ଦୃଢ଼ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା, ଡେଭଲପର ଓ ନିବେଶକମାନେ ଓଡ଼ିଶାର ସ୍ୱଚ୍ଛ ଶକ୍ତିରେ ନିବେଶ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ। ଏହି କନକ୍ଲେଭରେ କ୍ଷୁଦ୍ର ଜଳବିଦ୍ୟୁତ ଉପରେ ପ୍ରଯୁକ୍ତିବିଦ୍ୟା ସମ୍ବଳିତ ନିର୍ଦ୍ଦିଷ୍ଟ ଅଧିବେଶନ ମଧ୍ୟ ଆୟୋଜନ ହୋଇଥିଲା ।
