November 18, 2026
Home » ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜରେ ଛାତ୍ର ଅସନ୍ତୋଷ

ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜରେ ଛାତ୍ର ଅସନ୍ତୋଷ

0
WhatsApp Image 2026-11-18 at 1.36.59 PM

 

ଭବାନୀପାଟଣା :ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ହସ୍ପିଟାଲରେ ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ଦାବିରେ ଆଜି ଛାତ୍ର ଅସନ୍ତୋଷ ଦେଖାଦେଇଛି। ଦୀର୍ଘଦିନ ଧରି ଛାତ୍ରଛାତ୍ରୀମାନେ ସମ୍ମୁଖୀନ ହେଉଥିବା ହଷ୍ଟେଲରେ ପାନିୟ ଜଳ ଓ ବିଦ୍ୟୁତ ସରବରାହ, ଶିକ୍ଷା, କ୍ୟାମ୍ପସ ସୁରକ୍ଷା ଓ ହସ୍ପିଟାଲର ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଆଜି ମେଡିକାଲ କଲେଜର ମୁଖ୍ୟ ଫାଟକ ବନ୍ଦ କରି ଛାତ୍ରଛାତ୍ରୀମାନେ ଧାରଣାରେ ବସିଥିଲେ। ଆଗାମୀ ଦିନରେ ଦାବିଗୁଡ଼ିକର ସମାଧାନ ନହେଲେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।ଛାତ୍ରଛାତ୍ରୀଙ୍କ ପକ୍ଷରୁ ଉଠାଯାଇଥିବା ପ୍ରମୁଖ ସମସ୍ୟାଗୁଡ଼ିକ ମଧ୍ୟରେ ହଷ୍ଟେଲର ଭିତ୍ତିଭୂମି ଓ ରକ୍ଷଣାବେକ୍ଷଣ, ପାନୀୟ ଜଳ ଓ ବିଦ୍ୟୁତ୍ ସମସ୍ୟାର ସ୍ଥାୟୀ ସମାଧାନ, କ୍ୟାମ୍ପସ ଆଲୋକୀକରଣ ଓ ସୁରକ୍ଷା, କ୍ୟାମ୍ପସର ବିଭିନ୍ନ ସ୍ଥାନରେ ପର୍ଯ୍ୟାପ୍ତ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା, ଖେଳପଡିଆର ଉନ୍ନତିକରଣ ସହ ଜିମ୍ନାସିୟମରେ ଆବଶ୍ୟକୀୟ ଉପକରଣ ଯୋଗାଇବା, ପ୍ରଧ୍ୟାପକ ପଦବୀ ପୁରଣ, ନୂତନ ହସ୍ପିଟାଲରେ ରୋଗୀ ସେବା ଆରମ୍ଭ ଆଦି ଦାବି ରହିଥିଲା । ବହୁ ବିଳମ୍ବରେ ଭବାନୀପାଟଣା ଉପ ଜିଲ୍ଲାପାଳ ଆସି ବୁଝାସୁଝା କରି ଏକ ମାସ ମଧ୍ୟରେ ଦାବି ପୂରଣର ପ୍ରତିଶୃତି ପରେ ଛାତ୍ର ଛାତ୍ରୀ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ।


ଓଡ଼ିଶା ସରକାରଙ୍କ ସ୍ଵାସ୍ଥ୍ୟ ମନ୍ତ୍ରୀ ପଡୋଶୀ ଜିଲ୍ଲାରୁ ହୋଇ ସୁଦ୍ଧା କଳାହାଣ୍ଡି ଜିଲ୍ଲାର ସ୍ବାସ୍ଥ୍ୟ ସେବା ଓ ମେଡିକାଲ କଲେଜର ଛାତ୍ର ଅବହେଳିତ ଅବସ୍ଥାରେ ଅଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରୀ ବାରମ୍ବାର କଳାହାଣ୍ଡି ଗସ୍ତ କଲେ ମଧ୍ୟ ସମସ୍ୟାର ସମାଧାନ ପାଇଁ ବଳିଷ୍ଠ ପଦକ୍ଷେପ ନେଉନାହାନ୍ତି ବୋଲି ଯୁବ ବିଜେଡି ସଭାପତି ଅବିନାଶ ଠାକୁର କହିଛନ୍ତି। ଛାତ୍ରଛାତ୍ରୀଙ୍କ ଦାବିକୁ ଅଣଦେଖା ନକରି ମେଡିକାଲ କଲେଜ କର୍ତ୍ତୃପକ୍ଷ ତୁରନ୍ତ ଆଲୋଚନା କରି ସମସ୍ତ ସମସ୍ୟାର ସମାଧାନ ପାଇଁ ଠୋସ୍ ପଦକ୍ଷେପ ନିଅନ୍ତୁ। ପୂର୍ବରୁ ଡାକ୍ତରଙ୍କ ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ରଞ୍ଜି ରଞ୍ଜନ ଦାସଙ୍କ ଘଟଣାର ତଦନ୍ତ ରିପୋର୍ଟ ସାର୍ବଜନୀନ ସହ ଛାତ୍ର ଛାତ୍ରୀଙ୍କ ସମସ୍ୟାର ସମାଧାନ ଦାବୀ କରି ଆସନ୍ତା ଶୁକ୍ରବାର ଦିନ ବିଜୁ ଯୁବ ଜନତା ଦଳ, କଳାହାଣ୍ଡି ପକ୍ଷରୁ ମେଡିକାଲ କଲେଜର ଡିନ୍ ଓ ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଯୁବ ବିଜେଡି ସଭାପତି ଅବିନାଶ ଠାକୁର ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *