ଶିକ୍ଷାବିତଙ୍କ ଶ୍ରଦ୍ଧାଞ୍ଜଳି ସଭା
ଗଣିଆ: ଗଣିଆର ବରିଷ୍ଠ ଶିକ୍ଷାବିତ୍, ନାଟ୍ୟଗୁରୁ ସ୍ବର୍ଗତ ଦ୍ବିତୀକୃଷ୍ନ ସାହୁଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଗଣିଆ ପାଟଣାସାହିସ୍ଥିତ ତାଙ୍କ ବାସଭବନରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ସାମାଜିକ କର୍ମୀ ଆନନ୍ଦ ଚନ୍ଦ୍ର ବେହେରା, ଶିକ୍ଷାବିତ୍ ଦୁର୍ଯ୍ୟୋଧନ ସାହୁ, ଅବସରପ୍ରାପ୍ତ ଶିକ୍ଷକ ଉଦ୍ୟନାଥ ସାହୁ, ଶିକ୍ଷାବିତ୍ ନିରଞ୍ଜନ ସାହୁ, ଶିକ୍ଷକ ବାମନ ଚରଣ ବାରିକି, ଶିକ୍ଷକ ସୁରେଶ କୁମାର ବେହେରା,ସାନୁଜ ରାମ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ବରିଷ୍ଠ ନାଗରିକ, ପରିବାରବର୍ଗ ତଥା ସ୍ଥାନୀୟ ବୁଦ୍ଧିଜୀବୀ ମାନେ ପ୍ରଥମେ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସ୍ବର୍ଗତ ସାହୁଙ୍କ ବିୟୋଗରେ ତାଙ୍କର ଅମର ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା । ଜଣେ ସରଳ, ନିଃସ୍ଵାର୍ଥପର,ପ୍ରଭୁବତ୍ସଳ, ସଂଗଠନ ପ୍ରେମୀ ଭାବେ ସେ ବେଶ୍ ପରିଚିତ ଥିଲେ । ଗଣିଆ ରାମ ମନ୍ଦିରର ଟ୍ରଷ୍ଟି ହିସାବରେ ଲଙ୍କାପୋଡି ଯାତ୍ରାକୁ ଆଗକୁ ନେବାରେ ତାଙ୍କର ଅବଦାନ ଅତୁଳନୀୟ ଥିଲା । ଜୀବନସାରା ରାମନାମ ନେଇ ସେ ମୃତ୍ୟୁବରଣ କରିଥିଲେ । ଉପସ୍ଥିତ ଲୋକେ ତାଙ୍କ ସହିତ ବିତାଇଥିବା ସ୍ମରଣୀୟ ମୁହୂର୍ତ୍ତ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଆଜିର ଶ୍ରଦ୍ଧାଞ୍ଜଳି ସଭାରେ ଗଣିଆ ବ୍ଲକର ପ୍ରାୟ ଏକ ହଜାରରୁ ଅଧିକ ଜନସାଧାରଣ ଉପସ୍ଥିତ ଥିଲେ ।
