ଶ୍ରୀଅରବିନ୍ଦ ପାଠଚକ୍ରର ସୁବର୍ଣ୍ଣ ଜୟନ୍ତୀ ଉଦ୍ଯାପିତ
ବରଗଡ/ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ସ୍ଥିତ ଶ୍ରୀଅରବିନ୍ଦ ପାଠଚକ୍ରର ଦୁଇ ଦିନିଆ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶରେ ସଫଳତାର ସହ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ, ମାନବ ଜୀବନର ସର୍ବାଙ୍ଗୀନ ରୂପାନ୍ତରଣ ପାଇଁ ଶ୍ରୀଅରବିନ୍ଦଙ୍କ ଦ୍ୱାରା ପ୍ରତିପାଦିତ ପୂର୍ଣ୍ଣାଙ୍ଗ ଯୋଗ ହିଁ ସର୍ବାଧିକ ପ୍ରକୂଷ୍ଟ ଓ କାର୍ଯ୍ୟକାରୀ ମାଧ୍ୟମ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ । ଆଧ୍ୟାତ୍ମିକତା ସହ ସାମାଜିକ ଓ ମାନସିକ ବିକାଶକୁ ସମନ୍ୱୟ କରିବାରେ ଏହି ପାଠଚକ୍ରର ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ମତ ପ୍ରକାଶ ପାଇଥିଲା । ଏହି ଅବସରରେ ବକ୍ତାମାନେ ସାମ୍ବାଦିକମାନଙ୍କ ଭୂମିକାକୁ ଉଚ୍ଚ ପ୍ରଶଂସା କରି କହିଥିଲେ ଯେ, ସମାଜରେ ସତ୍ୟ, ସଚେତନତା ଓ ସକାରାତ୍ମକ ଚିନ୍ତାଧାରା ପ୍ରଚାରରେ ସାମ୍ବାଦିକମାନେ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ।

ଶ୍ରୀଅରବିନ୍ଦଙ୍କ ଆଧ୍ୟାତ୍ମିକ ଚିନ୍ତାଧାରା, ପୂର୍ଣ୍ଣାଙ୍ଗ ଯୋଗ ଓ ମାନବ ରୂପାନ୍ତରଣର ବାର୍ତ୍ତାକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବାରେ ସାମ୍ବାଦିକମାନେ ସେତୁର ଭୂମିକା ନିର୍ବାହ କରୁଛନ୍ତି । ସମାଜ ଗଢ଼ଣରେ ସାମ୍ବାଦିକଙ୍କ ନିଷ୍ଠା, ଦାୟିତ୍ୱବୋଧ ଓ ସେବା ମନୋଭାବ ସଦା ସ୍ମରଣୀୟ ବୋଲି ସେମାନେ ମତ ପ୍ରକାଶ କରିଥିଲେ ।ଏହି ଅବସରରେ ସଭାପତି ଲୋକନାଥ ମେହେର, ମୁଖ୍ୟ ଅତିଥି ବ୍ଲକ ଅଧ୍ୟକ୍ଷ ଜୟକୃଷ୍ଣ ଡନସନା, ସମ୍ମାନୀତ ଅତିଥି ବିଜେପୁର କଲେଜର ଅଧ୍ୟକ୍ଷ ପ୍ରଦୀପ କୁମାର ମିଶ୍ର, କୃଷି ପ୍ରଯୁକ୍ତି ପରିଚାଳନା ସଂସ୍ଥାର ଅଧ୍ୟକ୍ଷ ଯୋଗିନ୍ଦ୍ର ପଧାନ, ସମ୍ପାଦିକା ସୁଶ୍ରୀ ପ୍ରତିମା ଗୁରୁ ସମେତ ଅତିଥିଗଣ ସାମ୍ବାଦିକ ନିରଞ୍ଜନ ତ୍ରିପାଠୀ, ପାଣ୍ଡବ ପଧାନ, ଜିତେନ୍ଦ୍ର ମେହେର, ଆକାଶ ମେହେର, ସୁନୀଲ ମିଶ୍ର, ଜଗନ୍ନାଥ କୁମ୍ଭାର, ଅମୁଲ୍ୟ ସୁନା ଓ ସୁଶାନ୍ତ ସାହୁଙ୍କୁ ଉପଢୌକନ ପ୍ରଦାନ କରି ସମ୍ମାନୀତ କରିଥିଲେ ଓ ବିଭିନ୍ନ କ୍ଷେତ୍ରରେ ଅବଦାନ ପାଇଁ ଶିକ୍ଷାନୁଷ୍ଠାନର ଅପା ଭାଇ, କମିଟୀ ସଦସ୍ୟ/ସଦସ୍ୟାଙ୍କ ସମେତ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ କରାଯାଇଥିଲା । ଦୁଇ ଦିନିଆ କାର୍ଯ୍ୟକ୍ରମରେ ଆଧ୍ୟାତ୍ମିକ ଆଲୋଚନା, ଧ୍ୟାନ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଶ୍ରୀଅରବିନ୍ଦଙ୍କ ଚିନ୍ତାଧାରା ଉପରେ ଆଲୋକପାତ କରାଯାଇଥିଲା । ଉତ୍ସବ ସଫଳ କରିବାରେ ପାଠଚକ୍ରର ସମସ୍ତ ସଦସ୍ୟଙ୍କ ଭୂମିକା ପ୍ରଶଂସନୀୟ ଥିଲା ।
ଇପିଏର ଜିଲ୍ଳା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ(ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସୀ) ରିପୋର୍ଟ,
