August 25, 2026
Home » ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ଝୁଲଣ ଜାତ

ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ଝୁଲଣ ଜାତ

0
WhatsApp Image 2026-08-25 at 9.53.34 AM

 

ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଜୀଉଙ୍କ ପ୍ରସିଦ୍ଧ ଝୁଲଣ ଯାତ୍ରା। ଶ୍ରୀମନ୍ଦିରରେ ଏହି ଯାତ୍ରା ମହାସମାରୋହରେ ପାଳିତ ହେଉଥିବା ବେଳେ ଶ୍ରୀକ୍ଷେତ୍ରରେ ଥିବା ମଠବାଡି ଗୁଡ଼ିକରେ ମଧ୍ୟ ଏହି ମହୋତ୍ସବକୁ ବେଶ୍ ଧୁମଧାମରେ ପାଳନ କରାଯାଉଛି। ଏହି ଯାତ୍ରାରେ ରାଧାକୃଷ୍ଣ ଝୁଲଣ କୁଞ୍ଜରେ ରହି ଦୋଳି ଖେଳୁଥିବାବେଳେ ଭକ୍ତ ଶ୍ରଦ୍ଧାଳୁ ମାନେ ଶ୍ରୀମନ୍ଦିର ସହ ବିଭିନ୍ନ ମଠ ମାନଙ୍କୁ ଯାଇ ଏହି ଉତ୍ସବର ମଜା ଉଠାଉଛନ୍ତି।ଶ୍ରୀକ୍ଷେତ୍ରରେ ଦ୍ୱାଦଶ ଯାତ୍ରା ମଧ୍ୟରୁ ଝୁଲଣ ଯାତ୍ରା ହେଉଛି ଅନ୍ୟତମ। ରାଧାକୃଷ୍ଣଙ୍କର ଦାମ୍ପତ୍ୟ ଲୀଳାର ପରିପ୍ରକାଶ ହୋଇଛି ଏହି ଯାତ୍ରାରେ। ଶ୍ରାବଣ ଶୁକ୍ଳ ଦଶମୀ କ୍ଷୟା ପଡିଥିବାରୁ ଆଜି ଏକାଦଶୀ ଠାରୁ ଭାଦ୍ରବ ପ୍ରତିପଦା ୭-ଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା ଅନୁଷ୍ଠିତ ହେବ। ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ପ୍ରାପ୍ତ ହୋଇ ପ୍ରଭୁ ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀଙ୍କ ସହ ଝୁଲଣକୁଞ୍ଜକୁ ବିଜେ କରିବେ। ଶ୍ରୀମନ୍ଦିର ମୁକ୍ତିମଣ୍ଡପରେ ଆକର୍ଷଣୀୟ ଭାବେ ନିର୍ମାଣ କରାଯାଇଥିବା ଝୁଲଣକୁଞ୍ଜରେ ପ୍ରଭୁ ମଦନମୋହନ ପ୍ରାବୃଟ ରାସ କରିବେ। ଏହାକୁ ଶରତ ରାସ ବୋଲି ମଧ୍ୟ କୁହାଯାଏ।ସହରର ବୈଷ୍ଣବ ପନ୍ଥୀ ମଠ ମନ୍ଦିର ଗୁଡ଼ିକ ସହ ଶ୍ରୀମନ୍ଦିରରେ ଏହି ଯାତ୍ରା ବେଶ୍ ଆନନ୍ଦ ଉତ୍ସାହର ସହ ପାଳନ କରାଯାଉଛି। ଏଥିସହ ସୋଲରେ ପ୍ରସ୍ତୁତ ଫୁଲ ଓ କଦମ୍ୱ ମାଳ କୁଞ୍ଜର ଶୋଭାକୁ ଆହୁରି ବଢ଼ାଇଛି। ସୋଲରେ ପ୍ରସ୍ତୁତ ବିଭିନ୍ନ ପକ୍ଷୀ କୁଞ୍ଜ ପରିବେଶକୁ ଅଧିକ ଆକର୍ଷଣୀୟ କରିଛନ୍ତି। ତେବେ ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନେ ଝୁଲଣ କୁଞ୍ଜରେ ବିଜେ ହେବା ପରେ ସେବକ ତଥା ପ୍ରସିଦ୍ଧ ଗାୟକଙ୍କ ଦ୍ଵାରା ପାରମ୍ପରିକ ଚମ୍ପୁ, ଛାନ୍ଦ ଓ ପୁରାତନ ଝୁଲଣର ରାସ ଗୀତ ପରିବେଷିତ ହୋଇଥାଏ।ଶ୍ରୀକୃଷ୍ଣଙ୍କ ଅବତାର ଭାବେ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଶ୍ରୀଦେବୀ, ଭୂଦେବୀ ଏହି ଯାତ୍ରାରେ ଭାଗ ନେଇଛନ୍ତି। ଶ୍ରୀମନ୍ଦିର ପରିସରରେ ଥିବା ଝୁଲଣ ମଣ୍ତପକୁ ଆକର୍ଷଣୀୟ ଭାବେ ସଜ୍ଜିତ କରାଯାଇ ୭ ଦିନ ପର୍ଯ୍ୟନ୍ତ ଚାଲେ ଏହି ଯାତ୍ରା। ଝୁଲଣ ମଣ୍ତପରେ ରାଧାକୃଷ୍ଣଙ୍କୁ ବସାଯାଇ ଦୋଳି ଖେଳିବାର ପରମ୍ପରା ରହିଛି ଏହି ଉତ୍ସବରେ।
ସେହିପରି ପୁରୀର ବିଭନ୍ନ ମଠ ଓ ରାଧାକୃଷ୍ଣ ମନ୍ଦିର ମାନଙ୍କରେ ଏହି ଯାତ୍ରାକୁ ଆକର୍ଷଣୀୟ ଭାବେ ପାଳନ କରାଯାଉଛି। ଝୁଲଣ ମଣ୍ତପ ଗୁଡ଼ିକୁ ସୋଲ, ଜରି ଓ ଜମ୍ବୁରରେ ସଜ୍ଜିତ କରାଯାଇଥିବା ବେଳେ ବିଭିନ୍ନ ରଙ୍ଗର ଆଲୋକ ସଜ୍ଜା ମଧ୍ୟ କରାଯାଇଛି। ପାରମ୍ପରିକ କାରିଗର ମାନଙ୍କ ସାଜସଜ୍ଜାରେ ଝୁଲଣ କୁଞ୍ଜ ଝଲସୁଥିବା ବେଳେ କୁଞ୍ଜରେ ଶୁଆ,ଶାରୀ,ବଣି,ପାରା,ମାଙ୍କଡ଼, ଗୁଣ୍ଡୁଚିମୂଷା,ଗାଇ,ଆଦି ମୂର୍ତ୍ତି ଖଞ୍ଜାଯାଇଛି। ପୁରୀର ଉତ୍ତରପାର୍ଶ୍ୱ ମଠ,ରାଧାବଲ୍ଲଭ ମଠ,, ଜିଅର ସ୍ୱାମୀ ମଠ,,ମଣିରାମ ମଠ,, ଗୌଡ଼ିଆ ମଠ ସହ ଜଗନ୍ନାଥ ବଲ୍ଲଭ ମଠ ଓ ବିଭିନ୍ନ ମଠ ମାନଙ୍କରେ ବେଶ୍ ଧୁମଧାମରେ ପାଳନ ହେଉଛି ଏହି ମହୋତ୍ସବ। ବିଭନ୍ନ ମଠ ଗୁଡ଼ିକରେ ନୃତ୍ୟ, ସଂଗୀତ ଓ ପ୍ରବଚନ ଇତ୍ୟାଦି କାର୍ଯ୍ୟକ୍ରମର ମଧ୍ୟ ଚାଲୁଅଛି। ରାଧାକୃଷ୍ଣଙ୍କର ଅପୂର୍ବ ଲୀଳାର ପ୍ରତୀକ ଭାବେ ଏହି ଝୁଲଣ ଯାତ୍ରା ଭକ୍ତ ଗଣଙ୍କୁ ବେଶ୍ ଆକର୍ଷିତ କରିଛି। ସାତ ଦିନ ବ୍ୟାପି ଶ୍ରୀକ୍ଷେତ୍ରରଜ ଏହି ଝୁଲଣ ଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିପାଇଁ ଚଳଚଞ୍ଚଳ ହୋଇଛି ପୁରୀ। ଭକ୍ତ ଓ ପୁରୀ ସହରବାସୀ ଏହି ଝୁଲଣ ଯାତ୍ରାକୁ ଦେଖିବା ସହ ଝୁଲଣ କୁଞ୍ଜରେ ଠାକୁରଙ୍କ ଦର୍ଶନ କରି ବେଶ୍ ଖୁସି ପ୍ରକଟ କରିଛନ୍ତି।

Leave a Reply

Your email address will not be published. Required fields are marked *