October 18, 2026
Home » ଶ୍ରୀଜଗନ୍ନାଥଙ୍କ ଦିବ୍ୟ ଭଜନ ସମାରୋହ ଓ ମହାପ୍ରଭୁଙ୍କ ବିଭିନ୍ନ ବେଶ ଦର୍ଶନ ପାଇଁ ସର୍ବସାଧାରଣଙ୍କୁ ଆହ୍ୱାନ

ଶ୍ରୀଜଗନ୍ନାଥଙ୍କ ଦିବ୍ୟ ଭଜନ ସମାରୋହ ଓ ମହାପ୍ରଭୁଙ୍କ ବିଭିନ୍ନ ବେଶ ଦର୍ଶନ ପାଇଁ ସର୍ବସାଧାରଣଙ୍କୁ ଆହ୍ୱାନ

0
WhatsApp Image 2026-10-17 at 1.09.22 PM

ସୁବର୍ଣ୍ଣପୁର –ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି, ଆଧ୍ୟାତ୍ମିକତା ତଥା ଓଡ଼ିଆ ଧାର୍ମିକ ଓ ସାଂସ୍କୃତିକ ପରମ୍ପରାର ବ୍ୟାପକ ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ବୌଦ୍ଧ ଜିଲ୍ଲାର ପ୍ରସିଦ୍ଧ ପାତାଳୀ ଶ୍ରୀକ୍ଷେତ୍ର, ନାୟକପଡ଼ା ଗୁମ୍ଫାଠାରେ ଏକ ସ୍ୱତନ୍ତ୍ର ଶ୍ରୀଜଗନ୍ନାଥ ଦିବ୍ୟ ଭଜନ ସମାରୋହ ଓ ମହାପ୍ରଭୁଙ୍କ ବିଭିନ୍ନ ବେଶ ଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି।
ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ୨୧ ଅକ୍ଟୋବରରୁ ୨୭ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ପ୍ରତ୍ୟହ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ଏହି ପବିତ୍ର ଆୟୋଜନରେ ବୌଦ୍ଧ ଜିଲ୍ଲାରେ ବସବାସ କରୁଥିବା ଆଧ୍ୟାତ୍ମିକ ରୁଚିସମ୍ପନ୍ନ ଭକ୍ତ, ଶ୍ରଦ୍ଧାଳୁ, ସାଧାରଣ ନାଗରିକ, ଶ୍ରୀଜଗନ୍ନାଥପ୍ରେମୀ, ବିଭିନ୍ନ ଧାର୍ମିକ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, ସ୍ୱେଚ୍ଛାସେବୀ ସଂଗଠନ, ସାଧୁ, ସନ୍ଥ, ମହନ୍ତ, ବୈଷ୍ଣବ, ଜଗନ୍ନାଥ ସଂସ୍କୃତିର ଗବେଷକ ଓ ପ୍ରଚାରକ, ପଣ୍ଡିତ ତଥା ଆବାଳ ବୃଦ୍ଧ ବନିତାଙ୍କୁ ବହୁ ସଂଖ୍ୟାରେ ଯୋଗଦେବା ପାଇଁ ଆୟୋଜକମାନଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।
ଏହି ଅବସରରେ ଓଡ଼ିଶା ସର୍ଭିସ୍ ସେଣ୍ଟର ଫର୍ ଦିବ୍ୟାଙ୍ଗ ପିପୁଲ୍‌ର ସଭାପତି ଶ୍ରୀ ଭବାନୀ ଶଙ୍କର ପାଢ଼ୀ, ବିଶ୍ୱ ହିନ୍ଦୁ ପରିଷଦର ବୌଦ୍ଧ ଜିଲ୍ଲା ସଭାପତି ଶ୍ରୀ ଶମ୍ଭୁ ପ୍ରସାଦ ମିଶ୍ର, ସମ୍ପାଦକ ଶ୍ରୀ ଚକିତ ଭଞ୍ଜ ଓ ଉପସଭାପତି ଶ୍ରୀ ସାର ପ୍ରଧାନ, ଶ୍ରୀ ପାତାଳୀ ଶ୍ରୀକ୍ଷେତ୍ର ନାୟକପଡ଼ା କମିଟିର ସଭାପତି ଶ୍ରୀ ଶରତ ପ୍ରଧାନ ଓ ସମ୍ପାଦକ ଶ୍ରୀ ହୃଦାନନ୍ଦ ସାହୁ ପ୍ରମୁଖ ସମସ୍ତ ଜନସାଧାରଣଙ୍କୁ ଏହି ଭକ୍ତିମୟ ଆୟୋଜନରେ ସାମିଲ ହେବାକୁ ନିବେଦନ କରିଛନ୍ତି।
କାର୍ଯ୍ୟକ୍ରମର ଏକ ପ୍ରମୁଖ ଆକର୍ଷଣ ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ଶ୍ରୀବଳଭଦ୍ର ଓ ଦେବୀ ମା’ ସୁଭଦ୍ରାଙ୍କ ବିଭିନ୍ନ ମନୋରମ ବେଶ ଦର୍ଶନ। ଏଥିସହିତ ଭଜନ ଓ କୀର୍ତ୍ତନର ଆଧ୍ୟାତ୍ମିକ ପରିବେଶ ଭକ୍ତମାନଙ୍କ ମନରେ ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ଚେତନାକୁ ଅଧିକ ସୁଦୃଢ଼ କରିବ ବୋଲି ଆୟୋଜକମାନେ ଆଶା ପ୍ରକାଶ କରିଛନ୍ତି।
ବକ୍ତାମାନେ ମତବ୍ୟକ୍ତ କରିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥ କେବଳ ଓଡ଼ିଆ ଜାତିର ଆରାଧ୍ୟ ଦେବତା ନୁହନ୍ତି, ସେ ସମଗ୍ର ମାନବ ସମାଜର ଆରାଧ୍ୟ। ତାଙ୍କର ମହାନ ଭକ୍ତି, ସଂସ୍କୃତି, ସମାନତା, ଭାଇଚାରା ଓ ମାନବିକତାର ବାର୍ତ୍ତା ସମାଜର ପ୍ରତ୍ୟେକ ବର୍ଗରେ ପହଞ୍ଚାଇବା ଆମ ସମସ୍ତଙ୍କର ଦାୟିତ୍ୱ।
ତେଣୁ ବୌଦ୍ଧ ଜିଲ୍ଲା ସମେତ ରାଜ୍ୟର ସମସ୍ତ ଶ୍ରୀଜଗନ୍ନାଥପ୍ରେମୀ, ଆଧ୍ୟାତ୍ମିକ ଅନୁରାଗୀ, ଭକ୍ତ ଓ ସାଧାରଣ ନାଗରିକଙ୍କୁ ନିଜ ପରିବାର ସହିତ ଏହି ପବିତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମହାପ୍ରଭୁଙ୍କ ଦିବ୍ୟ ବେଶ ଦର୍ଶନ ଓ ଭଜନ ସମାରୋହର ଆଧ୍ୟାତ୍ମିକ ଆନନ୍ଦ ଲାଭ କରିବାକୁ ଆୟୋଜକମାନଙ୍କ ପକ୍ଷରୁ ବିଶେଷ ଅନୁରୋଧ କରାଯାଇଛି।“ଆସନ୍ତୁ, ମହାପ୍ରଭୁଙ୍କ ଚରଣରେ ନିଜ ମନକୁ ସମର୍ପଣ କରିବା, ଭକ୍ତି ଓ ଆଧ୍ୟାତ୍ମିକତାରେ ନିଜ ଜୀବନକୁ ପବିତ୍ର କରିବା।”

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *