August 22, 2026
Home » ସଂସ୍କୃତି ସମାଜର ଆତ୍ମା, ନାଟକ ଆମ ଚିନ୍ତାଧାରାକୁ ପ୍ରଦର୍ଶିତ କରିବାର ଏକ ଶକ୍ତିଶାଳୀ ମାଧ୍ୟମ – ମୁଖ୍ୟମନ୍ତ୍ରୀ

ସଂସ୍କୃତି ସମାଜର ଆତ୍ମା, ନାଟକ ଆମ ଚିନ୍ତାଧାରାକୁ ପ୍ରଦର୍ଶିତ କରିବାର ଏକ ଶକ୍ତିଶାଳୀ ମାଧ୍ୟମ – ମୁଖ୍ୟମନ୍ତ୍ରୀ

0
WhatsApp Image 2026-01-13 at 10.39.19 PM (2)

ଭୁବନେଶ୍ୱର: କଳା ଏବଂ ସଂସ୍କୃତି ଯେକୌଣସି ସମାଜର ଆତ୍ମା। ଏହା ଦ୍ବାରା ଆମର ଚିନ୍ତାଧାରା, ଆମର ସଂଘର୍ଷ, ଆମର ଆଶା ଏବଂ ଆମର ସ୍ୱପ୍ନକୁ ପ୍ରତିଫଳିତ ହୋଇଥାଏ ବୋଲି ଆଜି ନୃତ୍ୟ ଅନୁଷ୍ଠାନ ସ୍ପିରଜା ଏବଂ ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ପକ୍ଷରୁ ଆୟୋଜିତ ଅଭିନୟ କର୍ମଶାଳାର ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।କେନ୍ଦୁଝର ଜିଲ୍ଲା ଅଡିଟୋରିୟମଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହା ମଧ୍ଯ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ସହଯୋଗରେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାର ଶାଖା କେନ୍ଦୁଝରରେ ପ୍ରତିଷ୍ଠା ହେବ ଏବଂ ଏହାର ସମସ୍ତ ଆନୁସଙ୍ଗିକ ଉନ୍ନତି ପାଇଁ ରାଜ୍ୟ ସରକାର ସମସ୍ତ ସାହାଯ୍ୟ କରିବେ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ କହିଥିଲେଯେ, ନାଟକ ଆମ ଚିନ୍ତାଧାରାକୁ ପ୍ରଦର୍ଶିତ କରିବାର ଏକ ଶକ୍ତିଶାଳୀ ମାଧ୍ୟମ। ଏହା କେବଳ ମନୋରଞ୍ଜନ କରେ ନାହିଁ ବରଂ ଶିକ୍ଷା ମଧ୍ୟ ଦିଏ। ଏହା ପ୍ରଶ୍ନ ପଚାରେ, ସଚେତନତା ବାଣ୍ଟେ ଆଉ ଦର୍ଶକଙ୍କୁ ଭାବ ସହିତ ସମାଜର ଭାବକୁ ଯୋଡ଼ିଥାଏ। ନାଟକ ମାଧ୍ୟମରେ, ଆମେ ସହାନୁଭୂତି, ଶୃଙ୍ଖଳା, ଦଳଗତ କାର୍ଯ୍ୟ ଏବଂ ଆତ୍ମ-ପ୍ରକାଶ ଶିଖୁ ବୋଲି ସେ କହିଥିଲେ।ସେ କହିଥିଲେଯେ , ଜାତୀୟ ନାଟ୍ୟ ବିଦ୍ୟାଳୟ ଭାରତୀୟ ନାଟ୍ୟଶାଳାକୁ ଗଠନ କରିବାରେ ଏବଂ କଳାକାରମାନଙ୍କୁ ପିଢ଼ି ପରେ ପିଢି ଅଭିନୟ କଳା ସହିତ ଯୋଡି ରଖିବାରେ ଏକ ଐତିହାସିକ ଭୂମିକା ଗ୍ରହଣ କରିଛି। କେନ୍ଦୁଝର ପ୍ରକୃତି, ପରମ୍ପରା ଏବଂ ସାଂସ୍କୃତିକ ଐତିହ୍ୟରେ ସମୃଦ୍ଧ ଭୂମି। ଲୋକ ସଙ୍ଗୀତ ଏବଂ ନୃତ୍ୟଠାରୁ କାହାଣୀ କହିବା ଏବଂ ରୀତିନୀତି ପର୍ଯ୍ୟନ୍ତ, ଏହି ଜିଲ୍ଲା ଏକ ଗଭୀର ସାଂସ୍କୃତିକ ଐତିହ୍ୟ ବହନ କରେ। ଯେତେବେଳେ ଏନଏସଡ଼ି ଭଳି ଜାତୀୟ ପ୍ରତିଷ୍ଠାନ କେନ୍ଦୁଝର ଭଳି ଜିଲ୍ଲାକୁ ଆସନ୍ତି, ସେମାନେ ପାରମ୍ପରିକ ଏବଂ ଆଧୁନିକ କଳା ମଧ୍ୟରେ ସେତୁ ସ୍ଥାପନ କରିବାରେ ସାହାଯ୍ୟ କରନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କଳାକୁ ଏବଂ କଳାକାରକୁ ଉଚିତ ସମ୍ମାନ ଦେଖାଇ ଆମ ସରକାର କଳାକାରମାନଙ୍କ ଭତ୍ତା ବୃଦ୍ଧି କରିଛନ୍ତି। କଳା ଏବଂ ସଂସ୍କୃତିକୁ ପ୍ରୋତ୍ସାହିତ କରିବା, ଯୁବ ପ୍ରତିଭାକୁ ସମର୍ଥନ କରିବା, ପାରମ୍ପରିକ ରୂପ ସଂରକ୍ଷଣ କରିବା, ଏବଂ ସୃଜନଶୀଳ ପ୍ରକାଶନ ପାଇଁ ନୂତନ ପ୍ଲାଟଫର୍ମ ସୃଷ୍ଟି କରିବା ପାଇଁ ଓଡ଼ିଶା ସରକାର ପ୍ରତିଶୃତିବଦ୍ଧ। ଆମେ ଚାହୁଁଛୁ ଯେ ଆମର ଯୁବପିଢ଼ି ବଡ଼ ସ୍ୱପ୍ନ ଦେଖୁ, କିନ୍ତୁ ସେମାନଙ୍କର ମୂଳ ସହିତ ଜଡିତ ରୁହନ୍ତୁ ବୋଲି ସେ କହିଥିଲେ।

ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦୀ ଜୀ ସବୁବେଳେ କହି ଆସୁଛନ୍ତି, ‘ବିକାଶ ଭି, ବିରାଶତ ଭି’। ଆମ ସରକାର ଏହି ମାନତାରେ ଉଦବୁଦ୍ଧ ହୋଇ ବିକାଶ ଏବଂ ଓଡିଶାର ସାଂସ୍କୃତିକ ପରିଚୟକୁ ପ୍ରଚାର ପ୍ରସାର କରିବା ପାଇଁ କାର୍ଯ୍ୟରତ। ଓଡିଆ ଭାଷା, ଓଡିଆ ସଂସ୍କୃତି, ଓଡିଆ ପରମ୍ପରା ଅନନ୍ୟ। ଏହାର ସୁରକ୍ଷା ସହିତ ଏହାର ପ୍ରଚାର-ପ୍ରସାର ପାଇଁ ଆମ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।

ଓଡିଶାର କୋଣ ଅନୁକୋଣରେ ଭରିରହିଛି ଲୋକ ସଙ୍ଗୀତ, ଲୋକ କଳାର ମଧୁର ମୂର୍ଚ୍ଛନା। ଏଥି ସହିତ ଓଡିଶୀ ଏବଂ ଛଉ ପରି ଶାସ୍ତ୍ରୀୟ ନୃତ୍ୟରେ ଓଡିଶାର ଲୋକକଳା ସମୃଦ୍ଧ। ଆଦିବାସୀ ସଂସ୍କୃତି ଉତ୍କଳୀୟ ପରମ୍ପରା ସହିତ ଅଙ୍ଗାଙ୍ଗି ଭାବେ ଜଡିତ। ତେଣୁ ଜନଜାତିଙ୍କ କଳା ଓ ସଂସ୍କୃତିର ପ୍ରଚାର ଓ ପ୍ରସାର କରିବା ପାଇଁ ଆମ ସରକାର ଅନେକ ପଦକ୍ଷେପ ନେଇଛନ୍ତି ବୋଲି ସେ କହିଥିଲେ।ସେ ଆହୁରି ମଧ୍ଯ କହିଥିଲେ, ଓଡିଶାର ଅନନ୍ୟ ଯାତ୍ରା ପରମ୍ପରା ରହିଛି। ଗଞ୍ଜାମ ଜିଲ୍ଲାର ଭାରତ ଲୀଳା ଯାହା ସୁଭଦ୍ରା ଓ ଅର୍ଜୁନଙ୍କ ବିବାହ ଉପରେ ଆଧାରିତ ହୋଇଛି। ଆଉ ଏକ ଅତ୍ୟନ୍ତ ଲୋକପ୍ରିୟ ଗଣ ନାଟ୍ୟ ହେଉଛି ‘ଦଣ୍ଡ ନାଚ’ ଯାହାକୁ ଅନେକ ଜାଗାରେ ‘ଝାମୁ ଯାତ୍ରା’ ବି କୁହାଯାଇଥାଏ। ଏହି ଯାତ୍ରାରେ ଗ୍ରାମାଞ୍ଚଳ ଓ ଜନଜାତିଙ୍କ ଜୀବନଶୈଳୀ ଓ ପରମ୍ପରା ପ୍ରଦର୍ଶିତ ହୋଇଥାଏ। ଆମ ପଡୋଶୀ ଜିଲ୍ଲା ମୟୂରଭଞ୍ଜର ବିଶ୍ଵ ପ୍ରସିଦ୍ଧ ‘ଛଉ ନାଚ’ ଶାସ୍ତ୍ରୀୟ ଏବଂ ମାର୍ଶାଲ ଆର୍ଟ ଫର୍ମର ଏକ ସୁନ୍ଦର ସମାହାର। ତେଣୁ ଓଡିଶାର ଏହିସବୁ ସମ୍ଭ୍ରାନ୍ତ ନାଟ୍ୟ ପରମ୍ପରା ସହିତ ଲୋକକଳା ଓ ଲୋକ ପରମ୍ପରାକୁ ସୁରକ୍ଷିତ ରଖି ତାର ପ୍ରଚାର-ପ୍ରସାର କରିବା ପାଇଁ ଆମେ ବଦ୍ଧ ପରିକର ।

ନୃତ୍ୟ ଅନୁଷ୍ଠାନ ସ୍ପିରଜା ଏବଂ ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ପକ୍ଷରୁ ଆୟୋଜିତ ଏହି ସମାରୋହରେ ସାଂସଦ ଅନନ୍ତ ଚରଣ ନାୟକ, କରଞ୍ଜିଆ ବିଧାୟକ ଶ୍ରୀ ପଦ୍ମ ଚରଣ ହାଇବୁରୁ, ତେଲକୋଇ ବିଧାୟକ ଡାକ୍ତର ଫକୀରମୋହନ ନାଏକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିସହିତ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପାଳ ବିଶାଳ ସିଂହ, ଏନ୍‌ଏସଡ଼ିର ରେଜି‌ଷ୍ଟ୍ରାର ପ୍ରଦୀପ ମହାନ୍ତି, ସ୍ପୀରିଜାର ପ୍ରତିଷ୍ଠାତା ପ୍ରଗତିକା ମହାନ୍ତି ପ୍ରମୁଖ ଉପସ୍ଥି ଥିଲେ।

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।