ସାତ୍ତ୍ୱିକ ସୋଲ୍ ସଂଗଠନ ଓ ସେ ୟାର୍ଥ ତରଫରୁ 500ଲୁଣା ଚାରାରୋପଣ

ବିପଦର ସାଥୀ,ପ୍ରକୃତିର ଅନବଦ୍ୟ ବରଦାନ,ଦୁର୍ବିପାକ ନିରୋଧୀ ହେନ୍ତାଳ ବଣ ହେଉଛି ମଣିଷର ଜୀବନ ଆଉ ଜୀବିକା ପାଇଁ ଅମୂଲ ମୂଲ.ପ୍ରାକୃତିକ ଦୁର୍ବିପାକ ସମୟରେ ଏ ଲୁଣା ଜଙ୍ଗଲ ହେଉଛି କବଚ.ବନ୍ୟା,ବାତ୍ୟା ଅବା ଜୁଆର ମାଡ଼ି ଆସିଲେ ଅଭେଦ୍ୟ ଦୁର୍ଗ ଭଳି ହେନ୍ତାଳ ବଣ ଆମ ପାଇଁ ସାଜେ ସୁରକ୍ଷା ବଳୟ. ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ଓଡ଼ିଶା. ପ୍ରାୟ ପ୍ରତିବର୍ଷ ଆମକୁ ବନ୍ୟା, ବାତ୍ୟା ଭଳି ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼େ. ଅତୀତରେ ୧୯୯୯ ମହାବାତ୍ୟାରୁ ଆରମ୍ଭ କରି ଫଣି, ଫାଇଲିନ୍ ଭଳି ବହୁ ସାମୁଦ୍ରିକ ଝଡ଼ ରାଜ୍ୟକୁ ଧ୍ବସ୍ତ ବିଧ୍ବସ୍ତ କରିଛନ୍ତି.ଧନ ଯାଇଛି, ଜୀବନ ବି. ହେଲେ ବହୁ ସମୟରେ ଏ ଦାରୁଣ ବିପର୍ଯ୍ୟୟକୁ ମୁକାବିଲା କରିଛି ହେନ୍ତାଳ ବଣ. ଜନବସତି ଓ ସମୁଦ୍ର ମଧ୍ୟରେ ପାଚେରୀ ଭଳି ଦମ୍ଭର ସହ ଛିଡ଼ା ହୋଇଛି.ଏପରିକି ପାଣିପାଗ ଓ ପରିବେଶ ବିଜ୍ଞାନୀଙ୍କ ଯୁକ୍ତି, ୧୯୯୯ ମହାବାତ୍ୟା,ହୁଡହୁଡ,ଫାଇଲିନ,ୟାସ୍ ଓ ଦାନା ଭଳି ବାତ୍ୟା ଭିତରକନିକା ପାଖାପାଖି ମାଡ଼ ହେଲା. ଘଞ୍ଚ ହେନ୍ତାଳ ବଣ ହିଁ ଦେଲା ସୁରକ୍ଷା.ଜଳବାୟୁ ପରିବର୍ତ୍ତନ ଏବେ ବଡ଼ ଚାଲେଞ୍ଜ.ବଢ଼ି ଚାଲିଛି ବିଶ୍ଵର ତାପମାତ୍ରା. ଆଗମୀ ଦୁଇ ଦଶନ୍ଧିରେ ଏହା ଆହୁରି ୧.୫ ଡିଗ୍ରୀ ସେଲ୍ସିୟସ ବଢିବ.୨୧୦୦ ମସିହା ବେଳକୁ ୪.୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ବୋଲି ଜାତିସଂଘ ଜଳବାୟୁ ପରିବର୍ତ୍ତନ ରିପୋର୍ଟ କହୁଛି. କ’ଣ ହେବ ଆମ ଅବସ୍ଥା?ଉପକୂଳ ସୁରକ୍ଷା, ଜୈବ ବିବିଧତା ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଲୁଣା ଜଙ୍ଗଲର ଭୂମିକା ଅତି ଗୁରୁତ୍ବପୂର୍ଣ.କେବଳ ବାତ୍ୟା ପ୍ରତିରୋଧକ ନୁହେଁ, ମୃତ୍ତିକା ସଂରକ୍ଷଣ, ବନ୍ୟା ନିୟନ୍ତ୍ରଣ ଓ ଅଙ୍ଗାରକାମ୍ଳ ସଂରକ୍ଷଣର ଉତ୍ତମ ଭଣ୍ଡାର ହେଉଛି ଲୁଣା ଜଙ୍ଗଲ.ଉପକୂଳ ଅଞ୍ଚଳର ଜୀବନ ଓ ଜୀବିକାରେ ଲୁଣା ଜଙ୍ଗଲ ଏବେ ବି ତୁଲାଉଛି ବଡ଼ ଭୂମିକା। ହଜାର ହଜାର ପଶୁ ପକ୍ଷୀ ମଧ୍ୟ ସେମାନଙ୍କ ବଂଶ ବିସ୍ତାର, ଖାଦ୍ୟ ପାଇଁ ସିଧାସଳଖ ଲୁଣା ଜଙ୍ଗଲ ଉପରେ ନିର୍ଭରଶୀଳ.ସମୁଦ୍ର ଉପକୂଳ ଆର୍ଦ୍ରଭୂମି ଅଞ୍ଚଳରେ ହେନ୍ତାଳ ଚାରା ରୋପଣ କଲେ ତାପମାତ୍ରା କେତେକାଂଶରେ କମାଇ ହେବ.ଗବେଷଣା କହୁଛି, ହେନ୍ତାଳ ପ୍ରଜାତି ଗଛର ଅଧିକ ପରିମାଣରେ ଅଙ୍ଗାରକାମ୍ଳ ଅବଶୋଷଣ କରିବାର କ୍ଷମତା ରହିଛି. ବାତ୍ୟା, ସୁନାମୀ ସହ ଲଢ଼େଇ, ବାୟୁମଣ୍ଡଳକୁ ଅପେକ୍ଷାକୃତ ଶୀତଳ ରଖିବାରେ ଲୁଣା ଜଙ୍ଗଲର ଅଛି ବଡ଼ ଭୂମିକା .ଯେଉଁ ମୁହାଣରେ ନଦୀଗୁଡ଼ିକ ସମୁଦ୍ରରେ ମିଶିଥାଏ, ସେଠି ହେନ୍ତାଳ ଗଛ ଭଲ ବଢ଼େ.ରାଜ୍ୟରେ ପ୍ରାୟ ୧୨ଟି ବଡ଼ ନଦୀ ସମୁଦ୍ରରେ ପଡ଼ିଛି. ବହୁ ଛୋଟ ନଦୀ ବି ସମୁଦ୍ରରେ ମିଶିଛନ୍ତି. ହେଲେ ରାଜ୍ୟରେ ଅଛି ମାତ୍ର ୨୫୯ ବର୍ଗ କିମିର ହେନ୍ତାଳ ବଣ. କେନ୍ଦ୍ରାପଡ଼ାରେ ସର୍ବାଧିକ ୨୧୨ ବର୍ଗ କିମି ହେନ୍ତାଳ ବଣ ରହିଛି. ଭଦ୍ରକରେ ୩୨, ଜଗତସିଂହପୁରରେ ୮, ବାଲେଶ୍ଵରରେ ମାତ୍ର ୫ ଏବଂ ପୁରୀରେ ମାତ୍ର ୦.୭୪ ବର୍ଗ କିମି ହେନ୍ତାଳ ବଣ ଅଛି.୨୦୧୧ରୁ ଏଯାଏଁ ମାତ୍ର ୩୭ ବର୍ଗ କିମି ଏ ଜଙ୍ଗଲ ବଢ଼ିଛି. ପାରାଦ୍ଵୀପ ନୂଆଗଡ ଗ୍ରାମପଞ୍ଚାୟତ ମହାନଦୀ ଅବବାହିକା ରେ ସାତ୍ତ୍ୱିକ ସୋଲ୍ ସଂଗଠନ ଓ ସେ ୟାର୍ଥ୍ ତରଫରୁ ଆୟୋଜିତ ହେନ୍ତାଳ ବଣ ଚାରାରୋପଣ କାର୍ଯ୍ୟକ୍ରମ ରେ ନୂଆଗଡ ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀ ଦେବେନ୍ଦ୍ର କୁମାର ରାଉତ ଏବଂ ସାତ୍ତ୍ୱିକ ସୋଲ ସଂଗଠନର ଜିଲ୍ଲା ସଂଯୋଜକ ବିଶ୍ୱଜିତ୍ ସାମଲ,ଧର୍ମପଦ ବାଡୋଇ,ରାଜକମଲ ସ୍ୱାଇଁ,ଗାୟତ୍ରୀ ସ୍ୱାଇଁ,ଲିପିକା ସ୍ୱାଇଁ,ଅବନୀ ପାଇଟଲ,ଅବିନାଶ ଦାସ,ନିରଞ୍ଜନ ପାଢ଼ୀ,କୈବଲ୍ୟ କଣିକା ପରିଡା,ପ୍ରମୋଦ କୁମାର ବାରିକ,ସୁବୋଧ ବେହେରା,ସରୋଜ ମହାକୁଡ଼,ସିତୁନ ମହାନ୍ତି,ଏସ ପ୍ରଭାବାସୁ,ଅଶ୍ୱିନୀ କୁମାର ପାଇଟଲ,ସୌମେନ୍ଦ୍ର ରାଉଳ,ସାବିତ୍ରୀ ସ୍ୱାଇଁ ,ସ୍ଵର୍ଣ୍ଣଲତା ସ୍ୱାଇଁ,ପିଙ୍କି ପ୍ରଧାନ ଓ ନୂଆଗଡ ଗ୍ରାମପଞ୍ଚାୟତର ଗ୍ରାମବାସୀ, ସ୍କୁଲ ଛାତ୍ରଛାତ୍ରୀ ସମୁଦାୟ ପାଖାପାଖି ୧୦୦ ଜଣ ଯୋଗଦାନ କରିଥିଲେ.