ସାମାନ୍ୟ କଥାକୁ କେନ୍ଦ୍ରକରି ଖଣ୍ଡାରେ ହାଣି ଆତଙ୍କ ସୃଷ୍ଟି କଲେ ଦୁର୍ବୁତ୍ତ
ପୁଣି ପୁରୀରେ ବୁଲିଲା ଖଣ୍ଡା। ସାମାନ୍ୟ କଥାକୁ କେନ୍ଦ୍ରକରି ଦୁଇଜଣ ଯୁବକଙ୍କୁ ଖଣ୍ଡାରେ ହାଣି ଆତଙ୍କ ସୃଷ୍ଟି କଲେ ଦୁର୍ବୁତ୍ତ। ପୁରୀ ମାଟିଆପଡା ଛକରେ ଘଟିଛି ଏଭଳି ଘଟଣା। ଦୁର୍ବୁତ୍ତଙ୍କ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛି। ଆକ୍ରମଣର ଶିକାର ହୋଇଥିବା ଦୁଇ ଯୁବକ ହେଉଛନ୍ତି ରାକେଶ କୁମାର ବାରିକ ଏବଂ ରଣଜିତ ଗୋଛାୟତ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଦୁର୍ବୁତ୍ତଙ୍କ ଆକ୍ରମଣରେ ରାକେଶର ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି। ରାକେଶର ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଛି।

ସେହିପରି ରଣଜିତର ପିଠି ଓ କାନ୍ଧରେ ଆଘାତ ଲାଗିଥିବା ବେଳେ ତାକୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ କୁମ୍ଭାରପଡ଼ା ଥାନା ପୋଲିସ ଘଟଣାସ୍ଥଳରେ ଓ ହସ୍ପିଟାଲ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ରାକେଶ ଓ ରଣଜିତ ସନ୍ଧ୍ୟା ସମୟରେ ମାଟିଆପଡା ଛକ ନିକଟ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ଠାରେ ବସିଥିଲେ। ଷ୍ଟେସନ ବଜାର ନିକଟ ବାଲି ଉପର ବସ୍ତିର ଯୁବକଙ୍କ ସହ ଉଭୟଙ୍କ ମଧ୍ୟରେ ସେଠାରେ କୌଣସି କାରଣକୁ ନେଇ ପ୍ରଥମେ କଥା କଟାକଟି ପରେ ରାକେଶ ଓ ରଣଜିତଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଛି। ଘଟଣାକୁ ନେଇ ତଦନ୍ତ ଜାରି ରଖିଛି ପୁରୀ କୁମ୍ଭାରପଡ଼ା ଥାନା ପୋଲିସ୍। ଅନ୍ୟପଟେ ପୁରୀ ସ୍ୱର୍ଗଦ୍ୱାର ନିକଟ ଭାରତ ସେବାଶ୍ରମ ଛକରେ ଜଣେ ଅଟୋ ଡ୍ରାଇଭରକୁ ମଧ୍ୟ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣର ଶିକାର ଅଟୋ ଡ୍ରାଇଭର ଜଣକ ବାଲିସାହି ଅଞ୍ଚଳର କୃଷ୍ଣଚନ୍ଦ୍ର ବେହେରା। କୃଷ୍ଣଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ଚିକିତ୍ସା ପାଇଁ ତାଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାକୁ ନେଇ ସମୁଦ୍ର କୂଳ ଥାନା ପୋଲିସ ତଦନ୍ତ ଜାରି ରଖିଛି।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
