April 4, 2026
Home » ସୁବର୍ଣ୍ଣପୁର ଜିଲ୍ଲାକୁ ଐତିହ୍ୟ ଜିଲ୍ଲା ଭାବେ ଘୋଷଣା କରିବାକୁ ଦାବି l

ସୁବର୍ଣ୍ଣପୁର ଜିଲ୍ଲାକୁ ଐତିହ୍ୟ ଜିଲ୍ଲା ଭାବେ ଘୋଷଣା କରିବାକୁ ଦାବି l

0
WhatsApp Image 2026-04-02 at 11.30.15 AM

 

ସୁବର୍ଣ୍ଣପୁର — ବୁଧବାର ଏପ୍ରିଲ ପହିଲା ସୁବର୍ଣ୍ଣପୁର ଜିଲ୍ଲାର ଜନ୍ମ ଦିବସ । ୧୯୯୩ ଏପ୍ରିଲ ୧ ତାରିଖ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସୁବର୍ଣ୍ଣପୁର ଜିଲ୍ଲା ପ୍ରତିଷ୍ଠା କରି ସାଧାରଣ ସଭାରେ କହିଥିଲେ “ମୁଁ ତୁମ୍ଭମାନଙ୍କୁ ଜିଲ୍ଲାଟେ ଦେଉଛି, ତାହାକୁ ବାସ୍ତବରେ ସୁବର୍ଣ୍ଣପୁର ଭାବେ ଗଢି ତୋଳିବା ଦାୟୀତ୍ୱ ତୁମ୍ଭମାନଙ୍କର ।” ସେ ଐତିହ୍ୟପୂର୍ଣ୍ଣ ସୁବର୍ଣ୍ଣପୁରର ଗୌରବଶାଳୀ ଅତୀତର ଇତିହାସ ସଂପର୍କରେ ଭଲଭାବେ ଜାଣିଥିଲେ । ଐତିହାସିକ ଓ ପୂରାତତ୍ତ୍ୱ ଦୃଷ୍ଟିରୁ ଦେଖିଲେ ଖ୍ରୀ.ପୂ. ୮୦୦ ଶତାବ୍ଦୀରୁ ଖ୍ରୀ.ଅ. ୮୦୦ ଶତାବ୍ଦୀ ପର୍ଯ୍ୟନ୍ତ ମହାନଦୀ କୂଳେ କୂଳେ ଏକ ଉନ୍ନତ ମାନବ ସଭ୍ୟତା ବିରାଜମାନ କରୁଥିଲା ଯାହାକୁ ସୁବର୍ଣ୍ଣପୁରୀ ବା ମହାନଦୀ ସଭ୍ୟତା କୁହାଯାଉଥିଲା । ସେତେବେଳେ ଏହି ସଭ୍ୟତା ମାନବ ସମାଜକୁ ସବୁକ୍ଷେତ୍ରରେ ବିଶେଷତଃ ଆଧ୍ୟାତ୍ମିକତା କ୍ଷେତ୍ରରେ ଆଲୋକ ବର୍ତ୍ତିକା ଦେଖାଉଥିଲା । ଏଠାରେ ବୌଦ୍ଧ, ଶାକ୍ତ, ଶୈବ, ବୈଷ୍ଣବ, ନାଥ ତଥା ମହିମା ଧର୍ମର ସମନ୍ୱୟ ଘଟିଛି । ଇନ୍ଦ୍ରଭୂତି, ଲକ୍ଷ୍ମୀକରା, ପଦ୍ମସମ୍ଭବ , ମତ୍ସ୍ୟେନ୍ଦ୍ରନାଥ, ଚନ୍ଦ୍ରମଣି ଦାସ, ଭୀମଭୋଇଙ୍କ ଭଳି ମହାପୁରୁଷମାନଙ୍କ ଏହା ହେଉଛି ସାଧନା ଓ ସିଦ୍ଧି ପୀଠ । ଏହା ହେଉଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଦିପୀଠ । ତେଣୁ ବିଶ୍ୱ ଇତିହାସରେ ସୁବର୍ଣ୍ଣପୁରର ସ୍ୱତନ୍ତ୍ର ସ୍ଥାନ ରହିଛି । ସେହି ଦୃଷ୍ଟିରୁ ଆଜି ଦିନଟି ସୁବର୍ଣ୍ଣପୁରୀ ଦିନ ଭାବରେ ପାଳନ କରିବା ଯଥାର୍ଥ ବୋଲି ଏହି ଉପଲକ୍ଷେ ଅନୁଷ୍ଠିତ ସାଧାରଣ ସଭାରେ ବକ୍ତାମାନେ ମତ ଦେଇଥିଲେ । ସୁବର୍ଣ୍ଣପୁରର ସମୂହ ଉନ୍ନତି ସକାଶେ ଖଇରମାଲ ବ୍ୟାରେଜ ନିର୍ମାଣ , ଏକ ଟେକ୍ସଟାଇଲ ଶିଳ୍ପ ପ୍ରତିଷ୍ଠା, ସମ୍ବଲପୁର ସୁବର୍ଣ୍ଣପୁର ରେଳ ଲାଇନ ନିର୍ମାଣ, ମହାନଦୀ ରିଙ୍ଗରୋଡ ନିର୍ମାଣ, ସୋନପୁର ମହା ବିଦ୍ୟାଳୟକୁ ସରକାରୀ କରିବା, ମତ୍ସ୍ୟ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ଆଦିକାର୍ଯ୍ୟ ଶୀଘ୍ର ଶେଷ କରିବା ପାଇଁ ବକ୍ତାମାନେ ଦୃଢ ଦାବି ଉପସ୍ଥାପିତ କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲାକୁ ଏକ ଐତିହ୍ୟ ଜିଲ୍ଲାଭାବେ ଘୋଷଣା କରିବାକୁ ସର୍ବସମ୍ମତ୍ତିକ୍ରମେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା । ସଭାରେ କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀର ସାଧାରଣ ସମ୍ପାଦକ ବରିଷ୍ଠ ଆଇନଜୀବୀ ତଥା ସାମ୍ବାଦିକ ଗୋରେଖନାଥ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ପୌର ପରିଷଦ ଅଧ୍ୟକ୍ଷା ତାମସୀ ତାମସ୍ମୀତା ନାଏକ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ । ଏଥିରେ ଶତାଧିକ ବୁଦ୍ଧିଜୀବୀ , ସମାଜସେବୀ, ଶିକ୍ଷାବିତ , କଳାକାର, ନାଟ୍ୟକାର, ସ୍ୱେଚ୍ଛାସେବୀ ଯୋଗ ଦେଇ ନିଜ ନିଜ ମତ ରଖିଥିଲେ । ସେମାନଙ୍କ ମଧ୍ୟରେ ଗଦାଧର ବାରିକ, ଶ୍ରୀବତ୍ସ ମଲ୍ଲିକ, ଲଡୁକେଶ୍ୱର ମଲ୍ଲିକ, ଡ. ସନ୍ତୋଷ କୁମାର ପାଢୀ, ଜ୍ୟୋତି ରଂଜନ ପଟ୍ଟନାୟକ, ଆର୍ତ୍ତତ୍ରାଣ ବାବୁ, ଡ. ଉମାକାନ୍ତ ନାଗ, ଦୁର୍ଯ୍ୟୋଧନ ସାହୁ, କଲ୍ୟାଣୀ ପାଣିଗ୍ରାହୀ , ଶ୍ରଦ୍ଧଞ୍ଜଳି ମିଶ୍ର, ଆଶୀଷ କୁମାର ଅଗ୍ରୱାଲ, ମାଧବ କୁମ୍ଭାର, ପଙ୍କଜ କୁମାର ମେହେର, ସୁନନ୍ଦା ସାହୁ, ଦିଲ୍ଲୀପ କୁମାର ରଥ, ବ୍ରଜମୋହନ ଦାନୀ, ସିତାଂଶୁ ମିଶ୍ର ପ୍ରମୁଖ ସୁବର୍ଣ୍ଣପୁର ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ସକାଶେ ଆଲୋକପାତ କରିଥିଲେ । ଶେଷରେ ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ରର ସଭାନେତ୍ରୀ ପ୍ରାଧ୍ୟାପିକା ମୀନା ମହାରଣା ଧନ୍ୟବାଦ ଦେଇଥିଲେ । ତାପରେ ଉପସ୍ଥିତ ସମସ୍ତ ଜନତା ଏକ ଶୋଭାଯାତ୍ରାରେ ବାହାରି ନମଗୁରୁ ସଂକୀର୍ତ୍ତନ ମଣ୍ଡଳୀ ସହ ସହର ପରିକ୍ରମା କରିଥିଲେ ।

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ

Leave a Reply

Your email address will not be published. Required fields are marked *