ସୁବର୍ଣ୍ଣପୁର : ପଶ୍ଚିମ ଓଡିଶାରେ ପାଳନ କରାଯାଉଛି ଭାଇଜିଉଁନ୍ତିଆ ଓଷା ।ହେଲେ ସୁବର୍ଣ୍ଣପୁରରେ ଭାଇଜୁଇନ୍ତିଆ କୁ ନେଇ ରହିଛି ଏକ ନିଆରା ପରମ୍ପରା ।ସ୍ୱୟଂ ଦେବୀ ମାଁ ଦୁର୍ଗା ନିଜ ଦେବ ସ୍ୱରୁପ ଭାଇ ମହାବଳୀ ପାଇଁ କରିଛନ୍ତି ଭାଇଜିଉଁନ୍ତିଆ ଓଷା ।ଦୁର୍ଗାଦେବୀ ଭାଇଜିଉଁନ୍ତିଆ ପାଇଁ ଖମ୍ବେଶ୍ୱରୀ ମନ୍ଦିର କୁ ବିଜେ କରିବା ପରେ ଅଂଚଳର ଭଉଣୀମାନେ ପାଳନ କରିଥାନ୍ତି ଏହି ଉଷା ।
ଭାଇଜୁଇନ୍ତିଆ ଓଷା । ଭାଇର ମଙ୍ଗଳ ତଥା ଦିର୍ଘାୟୁ କାମନା କରି ଭଉଣୀ ମାନେ ପାଳନକରିଥାନ୍ତି ଏହି ଓଷା ।ସୁବର୍ଣ୍ଣପୁରରେ ଦେବୀ ମାଁ ଦୁର୍ଗା ନିଜ ଦେବ ସ୍ୱରୂପ ଭାଇ ମହାବଳୀ ପାଇଁ ଏହି ଓଷା କରିବାର ପରମ୍ପରା ରହିଛି କାହିଁ କେତେଦିନରୁ ।ସପ୍ତମୀ ତିଥିର ରାତ୍ରପ୍ରହର ରେ ରାଜପୁରୋହିତ ଙ୍କ ବାସଭବନରୁ ମାଁ ସମଲେଇଶ୍ୱରୀ ମନ୍ଦିର କୁ ବିଜେ କରିଥାନ୍ତି ଦେବୀ କନକ ଦୁର୍ଗା ।ପରମ୍ପରାକ୍ରମେ ଦେବୀ ଦୁର୍ଗା ,ଭୁବନେଶ୍ୱରୀ , ଓ ମହାକାଳୀ ଙ୍କ ସହିତ ପୁଜାପାଇଥାନ୍ତି ସମଲେଇଶ୍ୱରୀ ମନ୍ଦିରରେ ।ସପ୍ତମୀ ତିଥି ରାତ୍ରିରେ ଦେବୀ ଦୁର୍ଗା ଆରାଧନା ପରେ ଖମ୍ବେଶ୍ୱରୀ ମନ୍ଦିରକୁ ଭାଇଜୁଇନ୍ତିଆ ପାଇଁ ବିଜେ କରିଥାନ୍ତି ।
ଦୁର୍ଗା ଦେବୀଙ୍କ ଅଷ୍ଟମୀ ପୁଜାପରେ ସାରା ସହରରେ ଭଉଣୀ ମାନେ ପାଳନ କରିଥାନ୍ତି ଭାଇଜୁଇନ୍ତିଆ ଓଷା ।ଦିନସାରା ନିର୍ଜଳା ଉପବାସ ରହି ସଂଧ୍ୟାରେ ଧୁପ ଦୀପ ନୈବେଦ୍ୟ ଚଢାଇ ପୁଜାକରିଥାନ୍ତି ଦେବୀ ଦୁର୍ଗାଙ୍କୁ । ସାତ ପ୍ରକାର ଫୁଲ ଫଳ ସହିତ ସାତୋଟି ଜୁଗାର ତିଆରି କରି ପୁଜାସାମଗ୍ରୀନେଇ ଭାଇର ମଙ୍ଗଳ କାମନା କରିଥାନ୍ତି ଦେବୀ ଦୁର୍ଗା ଙ୍କ ପାଖରେ ।ପ୍ରତିଟି ଭାଇପାଇଁ ଶହେ ଆଠ ଦୁବ ଓ ଅକ୍ଷତ ଅରୁଆ ଚାଉଳ କୁ ଏକାଠିକରି ଜୁଇନ୍ତିଆରେ ବାନ୍ଧି ସମର୍ପିତ କରିଥାନ୍ତି ଦେବୀଙ୍କ ପାଖରେ ।ପରଦିନ ଭୋର ସକାଳେ ବନ୍ଧାହୋଇଥିବା ଦୁବ ବିଡାକୁ ନେଇ ଭାଇ କୁ ବନ୍ଦାଇଥାନ୍ତି ଭାଇର ମଙ୍ଗଳ କାମନାକରି । ଏହି ପର୍ବରେ ସୁବର୍ଣ୍ଣପୁର ର ଖମ୍ବେଶ୍ୱରୀ ମନ୍ଦିର ର ଏକ ଗୁରୁତ୍ୱପୁର୍ଣ୍ଣ ଭୁମିକା ରହିଛି ରାଜାରାଜୁଡା ଅମଳରୁ ।ଭଉଣୀମାନେ ଏଠାରେ ଯେ ଖାଲି ଭାଇଜୁଇନ୍ତିଆ ଓଷା ପାଳନ କରିଥାନ୍ତି ତାହା ନୁହେଁ ଦେବୀ ମାଁ କନକଦୁର୍ଗାଙ୍କ ଅଶିର୍ବାଦ ଭିକ୍ଷା ମଧ୍ୟ କରିଥାନ୍ତି ନିଜ ପରିବାରର ସୁଖ ସମୃଦ୍ଧି ପାଇଁ । ଦେବୀ ମାଁ କନକ ଦ୍ରୁ୍ଗା ଭାଇଜୁଇନ୍ତିଆ ଓଷା ପାଳନ କରିବା ପରମ୍ପରା ଖୁବ ପ୍ରାଚୀନ ।ଯାହା କେବଳ ସୁବର୍ଣ୍ଣପୁର ରେ ହିଁ ଦେଖିବାକୁ ମିଳେ ।
ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )