ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘ ର ଆଲୋଚନା ଚକ୍ର : ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଘୋର ଅବହେଳିତ l
ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘ ଆନୁକୂଲ୍ୟରେ ଆଜି ଜିଲ୍ଲା ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଏଭଳି ମତାମତ ପ୍ରକାଶ ପାଇଥିଲା ଯେ ଗଣତନ୍ତ୍ରର ଚାରୋଟି ସ୍ତମ୍ଭ ମଧ୍ୟରୁ ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ଆଧୁନିକ ଯୁଗରେ ଯେତିକି ଅବହେଳିତ ସେତିକି ଅସୁରକ୍ଷିତ I କର୍ପୋରେଟ ହାଉସ, ଶିଳ୍ପପତି, ରାଜନୈତିକ ଦଳ ହାତରେ ଗଣମାଧ୍ୟମ ଏବେ ଅଧିକ ଲଗାମଛଡା ହୋଇ ଯାଇଛି I ତାହାସତ୍ତ୍ବେ ଏହା ଗଣତନ୍ତ୍ରର ମୂଳଦୁଆକୁ ମଜବୁତ କରିବାରେ ସହାୟକ ହେଉଛି I ଗଣତନ୍ତ୍ରର ଅନ୍ୟ ତିନୋଟି ସ୍ତମ୍ଭ ଯେପରି ସୁବିଧା ସୁଯୋଗ ଉପଭୋଗ କରୁଛନ୍ତି ଚତୁର୍ଥ ସ୍ତମ୍ଭ ମଧ୍ୟ ସେହିପରି ସୁବିଧା ସୁଯୋଗ ପାଇବା ଉଚିତ ବୋଲି ବକ୍ତମାନେ ମତ ଦେଇଥିଲେ I “ଗଣତନ୍ତ୍ର ସୁରକ୍ଷାରେ ଗଣମାଧ୍ୟମର ଭୂମିକା” ଶୀର୍ଷକ ଏହି ଆଲୋଚନା ଚକ୍ର ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଗୋରେଖନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା I ଏଥିରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ମୁଖ୍ୟ ଅତିଥି ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାମ୍ବାଦିକ ତଥା ବୁଦ୍ଧିଜୀବୀମାନଙ୍କୁ ଉଦବୋଧନ ଦେଇଥିଲେ I ବରିଷ୍ଠ ସାମ୍ବାଦିକ ସ୍ବୟଂମ୍ଭୁନାଥ ଖଣ୍ଡଗିରି, ଅଶୋକ କୁମାର ସାହୁ, ଇନ୍ଦ୍ରମଣି ଦାଶ, ପର୍ଶୁରାମ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ I କିଶୋର କୁମାର ହୋତା, ପବିତ୍ର ମୋହନ ପାଣ୍ଡିଆ, ରାଜେଶ ମେହେର, ଜ. ଜ୍ୟୋତି ରଂଜନ ବହିଦାର ପ୍ରମୁଖ ନିଜସ୍ବ ବକ୍ତବ୍ୟ ପ୍ରଦାନ କରିଥିଲେ I ସଂଘର ସାଧାରଣ ସଂପାଦକ ବ୍ୟୋମକେଶ ଦାଶ ବିବରଣୀ ଉପସ୍ଥପିତ କରିଥିଲେ I ଶେଷରେ ଯୁଗଳ କିଶୋର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ I ଏହି ଉପଲକ୍ଷେ ଉପସ୍ଥିତ ସମସ୍ତଙ୍କୁ ସିନେମା “ଜଙ୍ଗଲ ଜଲୁଛେ”ର ଟ୍ରେଲର ପ୍ରଦର୍ଶିତ ହୋଇଥିଲା I ଏଥିରେ ସିନେମାର ନିର୍ଦ୍ଦେଶକ ସରୋଜ କୁମାର ଭୂୟାଁ ସହଯୋଗ କରିଥିଲେ I ଏହି ଆଲୋଚନା ଚକ୍ରରେ ଜିଲ୍ଲା ସଦର ମହକୁମା ସହିତ ଛଅଗୋଟି ବ୍ଲକର ସାମ୍ବାଦିକମାନ ତଥା ସହରର ବରିଷ୍ଠ ନାଗରୀକ ,ବୁଦ୍ଧିଜୀବିମାନେ ଯୋଗଦେଇଥିଲେ l ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
