October 1, 2026
Home » ସ୍ବାଧୀନତାର ୮୦ ବର୍ଷ, ହେଲେ ରାସ୍ତାରୁ ଏବେ ବି ‘ସ୍ବାଧୀନ’ ନୁହେଁ ଆମ୍ବୁଲାନ୍ସ !

ସ୍ବାଧୀନତାର ୮୦ ବର୍ଷ, ହେଲେ ରାସ୍ତାରୁ ଏବେ ବି ‘ସ୍ବାଧୀନ’ ନୁହେଁ ଆମ୍ବୁଲାନ୍ସ !

0
WhatsApp Image 2026-08-13 at 11.25.09 AM (1)

 

ପୁଣି ଅଟକିଲା ଆମ୍ବୁଲାନ୍ସ, ୮ କିଲୋମିଟର ଖଟିଆରେ ବୁହା ହେଲା ଦାଦନ ଶ୍ରମିକଙ୍କ ଶବ।

ଦେଶ ଆଉ ଦୁଇ ଦିନ ପରେ ପାଳିବ ୮୦ତମ ସ୍ବାଧୀନତା ଦିବସ। । ଗାଁଠୁଁ ସହର, ସବୁଠି ତ୍ରିରଙ୍ଗାର ରଙ୍ଗ। ବିକାଶର ବଡ଼ ବଡ଼ ଦାବି ଓ ଉତ୍ସବର ଆଡ଼ମ୍ବର ଭିତରେ କିନ୍ତୁ କଳାହାଣ୍ଡିର ଆଦିବାସୀ ଅଧ୍ଯୁଷିତ ଅଞ୍ଚଳର ଚିତ୍ର ଦେଖିଲେ ଲାଗୁଛି, ଏଠାରେ ସ୍ବାଧୀନତା ଏବେ ବେ ବି ରାସ୍ତା ଖୋଜୁଛି।କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଞ୍ଚଳର ମୌଳିକ ସୁବିଧା ନେଇ ପ୍ରଶାସନିକ କାର୍ଯ୍ୟକଳାପ କେତେ ବାସ୍ତବ ତାହା ନେଇ ଏବେ ପ୍ରଶ୍ନ ଉଠିଛି ।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ପାଡେପଦର ପଞ୍ଚାୟତ ଅନ୍ତର୍ଗତ ଖମାରପଦର ଭାଟିଫାସ ଗାଁ ଗାଁର ଦାଦନ ଶ୍ରମିକ ଶିବ ମାଝୀଙ୍କ ହାଇଦ୍ରାବାଦରେ ମୃତ୍ୟୁ ହୋଇଥିଲା। ପରିବାର ଲୋକଙ୍କୁ ପାଖକୁ ଶବ ନେଇ ଆସିଥିଲା ଆମ୍ବୁଲାନ୍ସ। କିନ୍ତୁ ଗାଁ ଯାଏଁ ଯିବାକୁ ଯତେବେଳେ ରାସ୍ତା ହିଁ ନାହିଁ, ତେବେ ଆମ୍ବୁଲାନ୍ସ କିପରି ପହଞ୍ଚିବ?କାଦୁଅ ପଚପଚ ରାସ୍ତାରେ ଡୁମୁଣୀ ନାଳ ନିକଟରେ ଅଟକିଗଲା ଆମ୍ବୁଲାନ୍ସ। ଶବ ସହ ରାତିସାରା ସେଠାରେ ପଡ଼ି ରହିଲା ଆମ୍ବୁଲାନ୍ସ।ସକାଳ ହେବା ପରେ ପରିବାର ଓ ଗ୍ରାମବାସୀ ଖଟିଆରେ ଶିବ ମାଝୀଙ୍କ ଶବକୁ ପ୍ରାୟ ୮ କିଲୋମିଟର ବୋହି ଗାଁକୁ ନେଲେ। ଏଠି ପ୍ରଶ୍ନ ଶବ ବୁହା ହେଲା କିଏ? ପରିବାର ନା ସରକାରୀ ବ୍ୟବସ୍ଥା?ଯେଉଁଠି ଜୀବନ୍ତ ରୋଗୀଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ଦରକାର, ସେଠାରେ ରାସ୍ତା ଅଭାବରୁ ଆମ୍ବୁଲାନ୍ସ ଗାଁ ଭିତରକୁ ଯାଇପାରୁନି। ଗର୍ଭବତୀ ମହିଳାଙ୍କ ପ୍ରସବ ଯନ୍ତ୍ରଣା ହେଉ କି ମୁମୂର୍ଷୁ ରୋଗୀଙ୍କ ଜୀବନ ବଞ୍ଚାଇବାର ଜରୁରୀ ମୁହୂର୍ତ୍ତ –ପ୍ରତିଥର ରାସ୍ତା ହିଁ ଏଠାରେ ସବୁଠାରୁ ବଡ଼ ପ୍ରତିବନ୍ଧକ।ଏହା କେବଳ ଗୋଟିଏ ଗୋଟିଏ ଶବକୁ Γ କିଲୋମିଟର ବୋହିବାର ଘଟଣା ନୁହେଁ। ଏହା ସେହି ବ୍ୟବସ୍ଥାର ଚିତ୍ର, ଯେଉଁଠି କାଗଜରେ ଜରୁରୀ ସ୍ବାସ୍ଥ୍ୟ ସେବା ଗାଁ ଦୁଆରେ ପହଞ୍ଚିଛି, କିନ୍ତୁ ବାସ୍ତବରେ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁଠୁ ୮ କିଲୋମିଟର ଅଟକି ଯାଉଛି।ସ୍ବାଧୀନତା ଦିବସରେ ତ୍ରିରଙ୍ଗା ଉଡ଼ିବ, ଭାଷଣ ହେବ, ବିକାଶର ଗୁଣଗାନ ହେବ। କିନ୍ତୁ କଳାହାଣ୍ଡିର ଏହି ଗାଁ ପଚାରିବ– “ଆମ ପାଇଁ ସ୍ବାଧୀନତା କେବେ ରାସ୍ତା ହୋଇ ଆସିବ?”

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *