୧୨୦ ଦିନରେ ପହଞ୍ଚିଲା ନୀରବ ସତ୍ୟାଗ୍ରହ ପଦଯାତ୍ରା
ପୁରୀ : ଗତ ୧୨୦ ଦିନ ଧରି ନାହିଁ କୌଣସି ସ୍ଲୋଗାନ, ନାହିଁ କୌଣସି ପ୍ରତିବାଦର କୋଳାହଳ; କେବଳ ହାତ ଯୋଡ଼ି, ମହାପ୍ରଭୁଙ୍କ ନାମ ସ୍ମରଣ କରି, ସତ୍ୟ, ଅହିଂସା ଓ ନୀରବତାକୁ ସାଥୀ କରି ପୁରୀବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପାଇଁ ପଦଯାତ୍ରା ଅବ୍ୟାହତ ରହିଛି। ଏହି ନୀରବତା ଦୁର୍ବଳତାର ନୁହେଁ, ବରଂ ଭକ୍ତି, ବିଶ୍ୱାସ ଓ ସତ୍ୟାଗ୍ରହର ଶକ୍ତିର ପ୍ରତୀକ।ଆଜି ନୀଳକନ୍ଦରରେ ବିରାଜମାନ ମହାପ୍ରଭୁ ବିଶ୍ୱନିୟନ୍ତା ଶ୍ରୀଜଗନ୍ନାଥଙ୍କୁ ସତ୍ୟାଗ୍ରହୀମାନେ ଭାବବିହ୍ୱଳ କଣ୍ଠରେ ପ୍ରାର୍ଥନା କରିଛନ୍ତି, “ହେ କାଳିଆ ସାଆନ୍ତ ! ତୁମେ ଯେପରି ସମସ୍ତଙ୍କର, ସେପରି ତୁମ ଦର୍ଶନ ମଧ୍ୟ ସମସ୍ତଙ୍କ ପାଇଁ ସମାନ ହେଉ। କୌଣସି ଭକ୍ତ ତୁମ ଦ୍ୱାରରୁ ବଞ୍ଚିତ ହୋଇ ଫେରନ୍ତୁ ନାହିଁ। ପୁରୀବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପିତ କରି ଜଗନ୍ନାଥ ସଂସ୍କୃତିର ସମତା, କରୁଣା ଓ ସାର୍ବଜନୀନତାର ମହାବାର୍ତ୍ତାକୁ ଚିରସ୍ଥାୟୀ କର।”ସତ୍ୟାଗ୍ରହୀମାନେ କହିଛନ୍ତି, ଏହି ଆନ୍ଦୋଳନ କାହା ବିରୋଧରେ ନୁହେଁ; ଏହା ମହାପ୍ରଭୁଙ୍କ ଚରଣେ ଜଣେ ଭକ୍ତର ନୀରବ ନିବେଦନ। ଏହା ଅଧିକାର ସହ ଆସ୍ଥାର, ପରମ୍ପରା ସହ ନ୍ୟାୟର ଏବଂ ଭକ୍ତି ସହ ସମତାର ଏକ ପବିତ୍ର ସାଧନା।

ଆଜିର ପଦଯାତ୍ରାରେ ସର୍ବଶ୍ରୀ ହରିଶଙ୍କର ମିଶ୍ର, ଶିବସୁନ୍ଦର ମିଶ୍ର, ଚକ୍ରଧର ମହାପାତ୍ର, ସୁକାନ୍ତ ପଣ୍ଡା, ନୃସିଂହନାଥ ନାୟକ, ମନୋରଞ୍ଜନ ରଣସିଂହ, ସନ୍ଧ୍ୟାରାଣୀ ମିଶ୍ର, ମମତା ଦାସ, ଅରୁଣା ପଟ୍ଟନାୟକ, ବେବି ଚୌଧୁରୀ, ଶ୍ରାବଣୀ କୁମାରୀ, ପ୍ରୀତି, ନେହା, ବବଲି, କଣ୍ଢେଇ, ନିହାରିକା ତ୍ରିପାଠୀ, ପ୍ରଜ୍ଞା ପାରମିତା ନନ୍ଦ, ମମତା ସ୍ବାଇଁ, ଯାଦବାନନ୍ଦ ରାୟ, ଲିଙ୍ଗରାଜ ସାହୁ, କିଶୋର ଚନ୍ଦ୍ର ଦାସ, ସନ୍ତୋଷ ସେନାପତି, ଗଦାଧର ମହାରଣା, ମାନସ ପଟ୍ଟନାୟକ, ରବି ନାରାୟଣ ଜେନା, ସୁବାଷ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ନୀରବ ସତ୍ୟାଗ୍ରହ ପ୍ରତି ନିଜର ସମର୍ଥନ ଜଣାଇଥିଲେ।ପଦଯାତ୍ରାର ଆବାହକ ଶ୍ରୀ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି ଯେ, ଗତକାଲି ନୀଳାଚଳ ଅବଢ଼ା ଅବସରରେ ପୁରୀବାସୀଙ୍କ ସହ ଘଟିଥିବା ଘଟଣା ସମଗ୍ର ଜଗନ୍ନାଥପ୍ରେମୀ ସମାଜକୁ ଗଭୀର ଭାବେ ମର୍ମାହତ କରିଛି। ପଶ୍ଚିମ ଦ୍ୱାର ଦେଇ ଆଧାର କାର୍ଡ ଦେଖାଇ ଶ୍ରୀମନ୍ଦିର ପ୍ରବେଶ କରୁଥିବା ପୁରୀବାସୀଙ୍କୁ ପୋଲିସ ଜନସେବା କେନ୍ଦ୍ରକୁ ଯାଇ ଆଧାର କାର୍ଡ ଦେଖାଇବାକୁ କହିଥିଲେ। ଫଳରେ ଅନେକ ପୁରୀବାସୀ ନୀଳାଚଳ ଅବଢ଼ା ମହାପ୍ରସାଦ ପାଇବାରୁ ବଞ୍ଚିତ ହୋଇଥିଲେ। ଯେଉଁ ପୁରୀବାସୀମାନେ ପିଢ଼ି ପିଢ଼ି ଧରି ମହାପ୍ରଭୁଙ୍କ ସେବା ଓ ପରମ୍ପରା ସହ ଜଡ଼ିତ, ସେମାନଙ୍କୁ ଏଭଳି ହଇରାଣ କରିବା ଅତ୍ୟନ୍ତ ଦୁଃଖଦ ଓ ଅଗ୍ରହଣୀୟ। ଏହି ଘଟଣା ପୁନର୍ବାର ପ୍ରମାଣ କରିଛି ଯେ, ପୁରୀବାସୀଙ୍କ ପୂର୍ବପରି ସହଜ ଦର୍ଶନ ଅଧିକାର ଓ ନୀଳାଚଳ ଅବଢ଼ା ପ୍ରାପ୍ତିର ବ୍ୟବସ୍ଥା ତୁରନ୍ତ ପୁନଃସ୍ଥାପନ କରିବା ସମୟର ଦାବି। ମହାପ୍ରଭୁଙ୍କ ନିଜ ସହରର ଲୋକମାନଙ୍କୁ ଏପରି ଅପମାନ ଓ ବଞ୍ଚନାର ସମ୍ମୁଖୀନ କରାଇବା କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ। ପୁରୀବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ସମ୍ପୂର୍ଣ୍ଣ ଭାବେ ପୁନଃସ୍ଥାପିତ ନହେବା ପର୍ଯ୍ୟନ୍ତ ଏହି ନୀରବ ସତ୍ୟାଗ୍ରହ ଅବିରତ ଚାଲିବ। ଏହା କାହାକୁ ପରାଜିତ କରିବାର ସଂଘର୍ଷ ନୁହେଁ; ବରଂ ମହାପ୍ରଭୁଙ୍କ ଦ୍ୱାରରେ ସମସ୍ତ ଭକ୍ତଙ୍କ ସମାନ ଅଧିକାର ପାଇଁ ଜଣେ ଭକ୍ତର ଅବିରତ ପ୍ରାର୍ଥନା। “ସମସ୍ତେ ଜଗନ୍ନାଥଙ୍କର, ଜଗନ୍ନାଥ ସମସ୍ତଙ୍କର”— ଏହି ଚିରନ୍ତନ ବାଣୀ କେବଳ ଉଚ୍ଚାରଣରେ ନୁହେଁ, ବରଂ ଆଚରଣରେ ମଧ୍ୟ ପ୍ରତିଫଳିତ ହେଉ। ଏହାହିଁ ୧୨୦ ଦିନର ନୀରବ ସତ୍ୟାଗ୍ରହର ଏକମାତ୍ର ପ୍ରାର୍ଥନା।
soubhagya pattanayak nka report
