February 21, 2026
Home » 2026-27 ପାଇଁ ବିଏମ୍ ସିର 1050 କୋଟି ଟଙ୍କାର ଚିଠା ବଜେଟ୍ ଆଗତ

2026-27 ପାଇଁ ବିଏମ୍ ସିର 1050 କୋଟି ଟଙ୍କାର ଚିଠା ବଜେଟ୍ ଆଗତ

0
WhatsApp Image 2026-01-29 at 4.44.36 PM (2)
ଭୁବନେଶ୍ୱର: :ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ର 38 ତମ ସାଧାରଣ ପରିଷଦ ଓ ସ୍ୱତନ୍ତ୍ର ଚିଠା ବଜେଟ୍ ଉପସ୍ଥାପନ ବୈଠକ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ମହାନଗର ପାଳ ଶ୍ରୀମତୀ ସୁଲୋନଚା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର, କମିଶନର ଶ୍ରୀ ଚଞ୍ଚଳ ରାଣା, ଫାଇନାନ୍ସ ଓ ଟାକ୍ସସନ ଷାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ରାଜକିଶୋର ଦାସ, ସିଟି ଇଂଜିନିୟର ଶ୍ରୀ ନାରଦ ଚନ୍ଦ୍ର ରଥ, ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ, ଶ୍ରୀ କୈଳାସ ଚନ୍ଦ୍ର ଦାସ, ମୁଖ୍ୟ ବିତ୍ତ ଅଧିକାରୀ ଶ୍ରୀ ଦୀପକ ରଂଜନ ବେହେରା ମଞ୍ଚାସୀନ ଥିଲେ । ଆଲୋଚନା ଆରମ୍ଭ ପୂର୍ବରୁ ରାଜ୍ୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା । ପରେ ପୂର୍ବତନ କର୍ପୋରେଟର ଅପନି ପାଟ୍ଟଶାଣୀ ଓ ନିହାର ସାହୁଙ୍କ ବିୟୋଗରେ 2 ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।
ପରେ ଏଜେଣ୍ଡା ଅନୁସାରେ ଗୃହର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସ୍ୱାଗତ ଅଭିଭାଷଣ ପ୍ରଦାନ ପୂର୍ବକ ଇମ୍ଫୋସିଟିଠାରେ ହେବାକୁ ଥିବା ପଥ ଉତ୍ସବକୁ ସରସ, ସୁନ୍ଦର ଓ ଚିତ୍ତାକର୍ଷକ କରିବା ପାଇଁ ସମସ୍ତ କର୍ପୋରେଟଙ୍କର ସହଯୋଗ କାମନା କରିଥିଲେ କମିଶନର ଶ୍ରୀ ଚଞ୍ଚଳ ରାଣା । ଗତ ମାସରେ ହୋଇଥିବା ଦୁଇ ଦୁଇଟି ପଥ ଉତ୍ସବର ସଫଳତା ପାଇଁ ସେ ସମସ୍ତ କର୍ପୋରେଟର ଓ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ, ଅଧ୍ୟକ୍ଷାଙ୍କୁ ଧନ୍ୟବାଦ ଜଣାଇଥିଲେ । ଖଣ୍ଡଗିରି କୁମ୍ଭମେଳା ମଧ୍ୟ ସୁରୁଖୁରୁରେ ଚାଲିଥିବା ସେ ଗୃହକୁ ଅବଗତ କରାଇଥିଲେ । ସେହିପରି ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରାକୁ ସୁରଖୁରୁରେ କରିବା ପାଇଁ ମଧ୍ୟ ସମସ୍ତ କର୍ପୋରେଟରଙ୍କର ସହଯୋଗ କାମନା କରିଥିଲେ କମିଶନର ।
ନିଜ ନିଜ ଓ୍ୱାର୍ଡକୁ ସ୍ୱଚ୍ଛ, ସବୁଜ ଓ ସୁନ୍ଦର କରିବା ପାଇଁ କର୍ପୋରେଟରମାନେ ଜୋରଦାର ଉଦ୍ୟମ କରିବାକୁ ଅନୁରୋଧ କରିଛନ୍ତି କମିଶନର । 15ତମ ଫାଇନାନ୍ସ କମିଶନରଙ୍କ ଅର୍ଥ ଆସିବାର ଅଛି । ଗୋଶାଳା, ବିଭିନ୍ନ ମାର୍କେଟ ଆଦିର ନବୀକରଣ ନିମନ୍ତେ ମଧ୍ୟ ସରକାରୀ ଅନୁଦାନ ମିଳିବ । ସେହିପରି ରାସ୍ତା, ଡ୍ରେନ, ଆଦି କାର୍ଯ୍ୟ ପାଇଁ ମଧ୍ୟ ସରକାରୀ ସହାୟତା ମିଳିବ । କେତେକ କାର୍ଯ୍ୟପାଇଁ ଟେଣ୍ଡର ହୋଇଥିବା ବେଳେ ଆଉ କେତେକ କାର୍ଯ୍ୟ ଟେଣ୍ଡର ପ୍ରକ୍ରିୟାରେ ରହିଥିବା ଗୃହକୁ ଅବଗତ କରାଇଥିଲେ କମିଶନର । ମାନନୀୟା ମେୟର ଶ୍ରୀମତୀ ତାଙ୍କ ଅଭିଭାଷଣରେ ବିଏମ୍ ସିର ଆୟ ବୃଦ୍ଧି କରିବା ସଂପର୍କରେ ଗୁରୁତ୍ୱାରୋପ କରିଥିଲେ । ବିଏମ୍ ସିର ଆୟ ଯେଉଁ ଅନୁପାତରେ ବୃଦ୍ଧି ପାଇବ, ସେହି ଅନୁପାତରେ 15 ଓ 16 ତମ ଫାଇନାନ୍ସ କମିଶନରଙ୍କ ଅନୁଦାନ ମିଳିବ । ତେଣୁ ବିଏମ୍ ସିର ଆୟ ବୃଦ୍ଧି କରିବା ନିମନ୍ତେ ନିୟମ ଅନୁଯାୟୀ କାର୍ଯ୍ୟକରିବାକୁ ସମସ୍ତ ଅଧିକାରୀଙ୍କୁ ସେ ପରାମର୍ଶ ଦେଇଛନ୍ତି । ଭଡାରେ ଚାଲିଥିବା ଅର୍ବାନ ହେଲ୍ଥ ଆଣ୍ଡ ଓ୍ୱେଲନେସ୍ ସେଣ୍ଟର (UHWC)କୁ ଏଣିକି ସରକାର ଭଡା ଦେବେ ନାହିଁ । ସରକାରୀ ଗୃହ କିମ୍ବା ନିଜସ୍ୱ ଗୃହରେ ଚଳାଇବାକୁ ସରକାର ନିର୍ଦେଶ ଦେଇଛନ୍ତି । ତେବେ ବିଏମ୍ ସିର କୌଣସି ୟୁଏଚ୍ ଡବ୍ଲ୍ୟୁସିକୁ ବନ୍ଦ କରାଯିବ ନାହିଁ ବୋଲି ଗୃହରେ ନିଷ୍ପତ୍ତି ହୋଇଛି ।
ପାଣ୍ଡରା ନିକଟରେ ଅତ୍ୟାଧୁନିକ ମାଛ ମାର୍କେଟ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ବର୍ଷା ଦିନ ପୂର୍ବରୁ ଇସ୍କନ ଓ ରସୁଲଗଡ ଡ୍ରେନ କାମ ବର୍ଷା ଋତୁ ପୂର୍ବରୁ ସାରିବାକୁ ନିର୍ଦେଶ ଦିଆଯାଇଛି । ସେହିପରି ପ୍ରମୁଖ ଡ୍ରେନ ସହ ବିଭିନ୍ ଗଳିକନ୍ଦିରେ ଥିବା ଡ୍ରେନଗୁଡିକରୁ ପଙ୍କୋଦ୍ଧାର କାର୍ଯ୍ୟ ମଧ୍ୟ ବର୍ଷାଋତୁ ପୂର୍ବରୁ ସାରିବା ପାଇଁ କୁହାଯାଇଛି । ଚନ୍ଦ୍ରଶେଖରପୁର କଲ୍ୟାଣ ମଣ୍ଡପ ନବୀକରଣ କାର୍ଯ୍ୟ ତୁରନ୍ତ ଆରମ୍ଭ ହେବ ।  1 ନମ୍ବର ହାଟପୋଡି ପ୍ରଭାବିତଙ୍କୁ 30 ଦିନ ମଧ୍ୟରେ ଥଇଥାନ କରିବା ପାଇଁ ମଧ୍ୟ ଗୃହରେ ଆଲୋଚନା ହୋଇଛି ।  ଆସନ୍ତା ଆର୍ଥିକ ବର୍ଷ ଶେଷ ସୁଦ୍ଧା ସବୁ ଓ୍ୱାର୍ଡରେ ଓ୍ୱାର୍ଡ ଅଫିସ ନିର୍ମାଣ କରିବାକୁ ମାନନୀୟା ମେୟର ପ୍ରସ୍ତାବ ଆଗତ କରିଥିଲେ । ଗୁଟଖା ବିକ୍ରି ବନ୍ଦ:ବିଏମ୍ ସି ଅଂଚଳରେ ସଂପୂର୍ଣ୍ଣ ନିଷେଧ ହେବ ଗୁଟଖା ବିକ୍ରି । ଭେଣ୍ଡିଂ ଜୋନ୍  ଓ ଓମ୍ଫେଡ୍ ବୁଥ୍ ରେ ଗୁଟଖା ବିକ୍ରି କଲେ, ସେମାନଙ୍କର ଲାଇସେନ୍ସ ବାତିଲ କରାଯିବ । ଅନ୍ୟ ସବୁ ଅଂଚଳରେ ଗୁଟଖା ବିକ୍ରିକୁ ନିଷେଧ କରାଯିବ ସହ ଗୁଟଖା ଏନଫୋର୍ସମେଣ୍ଟକୁ ଜୋରଦାର କରାଯିବ । ସରକାର କରିଥିବା ଗୁଟଖା ନିଷେଧ ଆଇନକୁ କଡାକଡି ଭାବେ ବିଏମ୍ ସି କାର୍ଯ୍ୟକାରୀ କରିବାକୁ ଆଜିର ସାଧାରଣ ପରିଷଦ ବୈଠକରେ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି  । ଏପରକି ବିଏମ୍ ସି ଅଂଚଳରେ ଗୁଟଖା ହୋଡିଂକୁ ହଟାଇ ଦିଆଯିବ । ଯଦି କୌଣସି ଏଜେନ୍ସି ଗୁଟଖା ହୋର୍ଡିଂ ମାରନ୍ତି, ତେବେ ସେମାନଙ୍କଠାରୁ ଜୋରିମାନା ଆଦାୟ କରାଯିବ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *