ଅତିରିକ୍ତ ଅର୍ଥ ଫେରସ୍ତ ଏବଂ ବେଆଇନ ବିଦ୍ୟୁତ କାଟ ବନ୍ଦ କରିବା ସମ୍ପର୍କରେ ଜିଲ୍ଲାପାଳ ଙ୍କ ଠାରେ ଅଭିଯୋଗ
ସୁବର୍ଣ୍ଣପୁର— ସୁବର୍ଣ୍ଣପୁର ଜିଲ୍ଲାର ଜନସାଧାରଣ ଓ ଚାଷୀକୂଳ ଜିଲ୍ଲାପାଳ ଙ୍କ ଜରିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଯେ, ବିଦ୍ୟୁତ ବିତରଣ କମ୍ପାନୀ (ଟାଟା ପାୱାର) ଦ୍ୱାରା ସାଧାରଣ ଖାଉଟିମାନେ ଆର୍ଥିକ ଶୋଷଣ ଓ ମାନସିକ ନିର୍ଯାତନାର ଶିକାର ହେଉଛନ୍ତି lଆର୍ଥିକ ଅନିୟମିତତାର ତଥ୍ୟ ମଧ୍ୟ ଉଲ୍ଲେଖ କରାଯାଇଛି lଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (OERC) ର ତଥ୍ୟ ଅନୁଯାୟୀ, ୨୦୧୭-୧୮ ରୁ ୨୦୨୪-୨୫ ଆର୍ଥିକ ବର୍ଷ ମଧ୍ୟରେ ବିଦ୍ୟୁତ ବିତରଣ କମ୍ପାନୀଗୁଡ଼ିକ ଗ୍ରାହକଙ୍କ ଠାରୁ ପ୍ରାୟ ୬,୧୯୯ କୋଟି ଟଙ୍କା ଅଧିକ ଆଦାୟ କରିଛନ୍ତି । ଏଥିସହିତ କେନ୍ଦ୍ର ସରକାରଙ୍କ ତରଫରୁ ମିଳିଥିବା ପ୍ରାୟ ୧,୨୫୦ କୋଟି ଟଙ୍କାର ରିବେଟ୍ (Rebate) ମଧ୍ୟ ଗ୍ରାହକଙ୍କୁ ଫେରସ୍ତ କରାଯାଇ ନାହିଁ ଏ ପର୍ଯ୍ୟନ୍ତ l ସମାନ ଭାବେ ଆନ୍ଧ୍ରପ୍ରଦେଶରେ ବିଦ୍ୟୁତ କମ୍ପାନୀଗୁଡ଼ିକ ଗ୍ରାହକଙ୍କ ଠାରୁ ଅଧିକ ଅର୍ଥ ଆଦାୟ କରିଥିଲେ । ମାତ୍ର ସେଠାରେ କୋର୍ଟଙ୍କ ନିଷ୍ପତ୍ତି ପରେ କମ୍ପାନୀ ପ୍ରାୟ ୭୫୦ କୋଟି ଟଙ୍କାର ରିବେଟ୍ ଅର୍ଥକୁ ୧୦ଟି କିସ୍ତିରେ ଗ୍ରାହକଙ୍କୁ ଫେରସ୍ତ କରିବାକୁ ବାଧ୍ୟ ହୋଇଛନ୍ତି । ଓଡ଼ିଶାରେ ଟାଟା ପାୱାର ଏହି ନିୟମ ପାଳନ ନକରି ଗ୍ରାହକଙ୍କୁ ଶୋଷଣ କରିବା ଦୁର୍ଭାଗ୍ୟଜନକ ।

ଅତ୍ୟନ୍ତ ପରିତାପର ବିଷୟ ଯେ, ବେଦାନ୍ତ ପରି ବଡ଼ ବଡ଼ ଶିଳ୍ପ ସଂସ୍ଥାର ପ୍ରାୟ ୩,୦୦୦ କୋଟି ଟଙ୍କାର ବିଦ୍ୟୁତ ବିଲ୍ ବକେୟା ଥିଲେ ମଧ୍ୟ ସେମାନଙ୍କୁ କମ୍ପାନୀ ରିହାତି ଦେଉଛି । କିନ୍ତୁ ଅନ୍ୟପଟେ ସାମାନ୍ୟ କିଛି ଟଙ୍କା ବକେୟା ପାଇଁ ଗରିବ ଖାଉଟି ଏବଂ ଚାଷୀଙ୍କ ବିଦ୍ୟୁତ ସଂଯୋଗ କାଟି ଦିଆଯାଉଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଚାଷ କାର୍ଯ୍ୟ ସମୟରେ ଏପରି ବିଦ୍ୟୁତ କାଟ ସମ୍ପୂର୍ଣ୍ଣ ଅମାନୁଷିକ । ଯେ ପର୍ଯ୍ୟନ୍ତ ଗ୍ରାହକଙ୍କ ଠାରୁ ଅଧିକ ନିଆଯାଇଥିବା ପ୍ରାୟ ୭,୪୪୯ କୋଟି ଟଙ୍କା (୬,୧୯୯ କୋଟି ୧,୨୫୦ କୋଟି) ର ହିସାବ କରାଯାଇ ନାହିଁ କିମ୍ବା ଫେରସ୍ତ କରାଯାଇ ନାହିଁ, ସେ ପର୍ଯ୍ୟନ୍ତ କୌଣସି ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇ ପାରିବ ନାହିଁ । ଲୁଟ୍ ହୋଇଥିବା ଏହି ଅର୍ଥ କମ୍ପାନୀ କିପରି ଫେରସ୍ତ କରିବ, ସେ ନେଇ ପ୍ରଶାସନ ତୁରନ୍ତ ଶ୍ଵେତପତ୍ର ପ୍ରକାଶ କରୁ ବୋଲି ଦାବି କରାଯାଇଛି l ଗରିବଙ୍କ ଉପରେ ଜୁଲମ କରିବା ପୂର୍ବରୁ କମ୍ପାନୀ ବଡ଼ ବଡ଼ ଶିଳ୍ପପତିଙ୍କ ଠାରୁ ବକେୟା ଟଙ୍କା ଆଦାୟ କରିବାକୁ ଦାବି ହୋଇଛି l
ଯଦି ପ୍ରଶାସନ ଏହି ଦିଗରେ ଦୃଢ ପଦକ୍ଷେପ ନିଏ ନାହିଁ ତେବେ ଆଗାମୀ ଦିନରେ ଜିଲ୍ଲାବ୍ୟାପୀ ଅଶାନ୍ତି ଓ ଆନ୍ଦୋଳନ ହେବାର ସମ୍ଭାବନା ରହିଛି ଯେଉଁଥିପାଇଁ କମ୍ପାନୀ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ଦାବି ପତ୍ର ରେ ଉଲ୍ଲେଖ କରାଯାଇଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
