ଜନ ଜାଗରଣ ଭାଷାକୁ ସମୃଦ୍ଧ କରେ – ପଦ୍ମଶ୍ରୀ ମହେନ୍ଦ୍ର ମିଶ୍ର
ଭୁବନେଶ୍ୱର: ବିଶିଷ୍ଟ ପ୍ରାବନ୍ଧିକ, ଲୋକସଂସ୍କୃତି ଗବେଷକ ପଦ୍ମଶ୍ରୀ ଡ. ମହେନ୍ଦ୍ର କୁମାର ମିଶ୍ର ଙ୍କ ଗବେଷଣାତ୍ମକ ସାହିତ୍ୟକୃତି ୧୯୯୯ ବର୍ଷ ପାଇଁ ଆଣି ଦେଇଥିଲା ସମ୍ମାନଜନକ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର | ‘କଳାହାଣ୍ଡିର ଲୋକସଂସ୍କୃତି’, ପଶ୍ଚିମ ଓଡ଼ିଶାର ଲୋକସଂସ୍କୃତି, ଲୋକସଂସ୍କୃତି ପରିକ୍ରମା ଏବଂ Folk Songs of Kalahandi (ଫୋକ୍ ସଂଗ୍ ଅଫ୍ କଳାହାଣ୍ଡି) ତାଙ୍କର ପ୍ରମୁଖ ସାହିତ୍ୟ କୃତି | ପଦ୍ମଶ୍ରୀ ଡ. ମିଶ୍ର ଓଡ଼ିଆ ଭାଷା ସାହିତ୍ୟର ଗବେଷକ ଭାବେ ଦଶନ୍ଧି ଦଶନ୍ଧି ଧରି ଭାଷା, ସାହିତ୍ୟ ଓ ଲୋକ ସଂସ୍କୃତିର ପୂଜାରୀ ଭାବରେ ନିରବ ସାଧନା ଜାରୀ ରଖିଛନ୍ତି। ଚଳିତ ବର୍ଷ ପାଇଁ ଭାରତ ସରକାର ଭାଷା ତପସ୍ବୀ ଡ. ମହେନ୍ଦ୍ର କୁମାର ମିଶ୍ରଙ୍କୁ ଦେଶର ଅନ୍ୟତମ ସର୍ବୋଚ୍ଚ ନାଗରିକ ସମ୍ମାନ ‘ପଦ୍ମଶ୍ରୀ’ ଉପାଧିରେ ବିଭୂଷିତ କରିଛନ୍ତି | ଗତ ୨୫ ତାରିଖରେ ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କଲାପରେ ଡ. ମିଶ୍ର ପ୍ରଥମ ଥର ପାଇଁ ଭୁବନେଶ୍ୱର ଗସ୍ତରେ ଆସିଛନ୍ତି |


ତାଙ୍କର ବ୍ୟସ୍ତ ବହୁଳ ଗସ୍ତ କାର୍ଯ୍ୟକ୍ରମ ମଧ୍ୟରେ ଭାଷା ଆନ୍ଦୋଳନ,ଓଡିଶା ଓ ଉତ୍କଳ ସାମ୍ବାଦିକ ସଂଘ ଆନୁକୂଲ୍ୟରେ ଏକ ନାଗରିକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି। ସମ୍ବର୍ଦ୍ଧନା ଅବସରରେ ଡଃ. ମିଶ୍ର କହିଥିଲେ କି, ଭାଷାକୁ ସମୃଦ୍ଧ କରିବାକୁ ହେଲେ ବ୍ୟପକ ଜନଜାଗରଣ ସହ ପାରସ୍ପର ମଧ୍ୟରେ ଥିବା ବୌଦ୍ଧିକ ସଂକିର୍ଣତା ଦୂର କରିବାକୁ ହେବ। ଭାଷା ଆନ୍ଦୋଳନ ସଭାପତି ଜାନକୀଶ ବଡ଼ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୂତି ଭୂଷଣ କର ଅତିଥି ମାନଙ୍କୁ ସ୍ୱାଗତ କରିବା ସହ ଅଧ୍ୟକ୍ଷ ଇଂ . ଚକ୍ରଧର ମହନ୍ତ ଓ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ନିଜ ନିଜର ବକ୍ତବ୍ୟରେ ଡଃ. ମିଶ୍ରଙ୍କ ଜୀବନ ଯାତ୍ରା ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ଭାଷା ଆନ୍ଦୋଳନ ଆବାହକ ପବିତ୍ର ମହାରଥା ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଅବସରରେ ବିଜେପି ମୂଖ ପାତ୍ର ପୂର୍ଣ୍ଣ ଚନ୍ଦ୍ର ମଲ୍ଲିକ,ଡଃ.ଉଦୟନାଥ ସାହୁ ,ଡଃ.ମିହିର୍ ସାହୁ, ସହଦେବ ଜୟସିଂହ (ଆଇ ଓ ଏମ୍ ), ହିମାଂଶୁ ଖଟୁଆ, ପଣ୍ଡିତ ହରିଶଙ୍କର ମିଶ୍ର, ଡମ୍ବରୁଧର ହରଣସିଂ,କିଶନ୍ ବରାଇ, ଉପେନ୍ଦ୍ର ସାମନ୍ତସିଂହାର,ସନତ ମିଶ୍ର,ରୁତୁରାଜ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକା ସୁପ୍ରିୟା ଦାସ, ଅଶୋକ ସାହୁ,ମନୋଜ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଭାଷା ଆନ୍ଦୋଳନ, ଉତ୍କଳ ସାମ୍ବାଦିକ ସଂଘ, ଉତ୍କଳୀୟ ସ୍ୱାଭିମାନ ଅନୁଷ୍ଠାନ, ଓଡ଼ିଶା ସଂସ୍କୃତି ସୁରକ୍ଷା ଟ୍ରଷ୍ଟ, ଦୂରଦର୍ଶୀ ପ୍ରମୁଖ ଅନୁଷ୍ଠାନ ସମେତ ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ଏହି ସଭାକୁ ସ୍ତମ୍ଭକାର ଶ୍ରୃତକିର୍ତ୍ତି ତ୍ରିପାଠୀ ଓ ଶାରଦା ପ୍ରସାଦ ମହାପାତ୍ର ପରିଚାଳନା କରିଥିଲେ।
