July 4, 2025
Home » ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ଆୟୋଜନ ହେଲା ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ

ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ଆୟୋଜନ ହେଲା ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ

0
WhatsApp Image 2025-04-02 at 3.49.07 PM (1)

ଓଡିଆ ଅସ୍ମିତାକୁ ବଜାୟ ରଖିବା ପାଇଁ ଏପ୍ରିଲ୍ ପହିଲାରୁ ମହାବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ସାରା ରାଜ୍ୟରେ ପାଳନ କରାଯାଉଛି ଓଡ଼ିଆ ପକ୍ଷ। ଓଡ଼ିଆ ପକ୍ଷ ପାଳନ ନେଇ ସମଗ୍ର ଶିକ୍ଷା ଅଭିଯାନ ପକ୍ଷରୁ ଆଜି ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ପାଳନ କରାଯାଇଛି। ମାଲକାନଗିରି ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ କରିଛନ୍ତି।

ଏହି ରଥ ଏପ୍ରିଲ ୨ ରୁ ୫ ପର୍ଯ୍ୟନ୍ତ ଚାରି ଦିନ ଧରି ପ୍ରତ୍ୟେକ ପଞ୍ଚାୟତ ଭ୍ରମଣ କରି ପ୍ରାଥମିକ ବିଦ୍ୟାଳୟରେ ଶିଶୁଙ୍କ ଖଡ଼ି ଛୁଆଁ ଲାଗି ସଚେତନତା ସୃଷ୍ଟି କରିବ। ଜିଲ୍ଲାର ସମସ୍ତ ବ୍ଲକରେ ସାତ ଗୋଟି ରଥର ଶୁଭାରମ୍ଭ କରାଯାଇଛି । ଜିଲ୍ଲାପାଳ ବୁଟିଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରବେଶ ଉତ୍ସବରେ ଯୋଗ ଦେଇ ଶିଶୁଙ୍କୁ ପରମ୍ପରା ଅନୁସାରେ ଖଡ଼ି ଛୁଆଁଇଥିଲେ। ସେହିପରି ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ ଚାଲାଣଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖଡ଼ି ଛୁଆଁ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମାଲକାନଗିରି ବିଧାୟକ ପ୍ରତିନିଧି ନିହାର ରୟ ସିନ୍ଧ୍ରିମାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ଗୋବିନ୍ଦ ପାତ୍ର ଚିତ୍ରକୋଣ୍ଡା ଟେମ୍ପରାରି କଲୋନୀ ସ୍ଥିତ ବିଦ୍ୟାଳୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ଶିକ୍ଷା ବିଭାଗ ପକ୍ଷରୁ ନୂତନ ଭାବେ ବିଦ୍ୟାଳୟରେ ପ୍ରବେଶ କରିଥିବା କୁନି ଶିଶୁ ମାନଙ୍କୁ ଶିକ୍ଷା ଉପକରଣ ବଣ୍ଟନ କରାଯାଇଥିଲା। ସମସ୍ତ ଭାରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଉମା ପ୍ରସାଦ ଦାସଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ସମଗ୍ର ଶିକ୍ଷା ଅଭିଯାନ କନିଷ୍ଠ ଯନ୍ତ୍ରୀ ସରୋଜ ସାମନ୍ତରାୟ, ଶୈକ୍ଷିକ ସଂଯୋଜକ ଶେଷ ଶଙ୍କର ମହାଲିକ, ଶୈକ୍ଷିକ ପରାମର୍ଶଦାତା ସୀତାରାମ ଗୌଡ, ବ୍ଲକ ଶିକ୍ଷା ଅଧିକାରୀ ରବିନ୍ଦ୍ର କୁମାର ଧର, ବ୍ଲକ ସାଧନ କେନ୍ଦ୍ର ସଂଯୋଜକ ଓ ପଞ୍ଚାୟତ ସାଧନ କେନ୍ଦ୍ର ସଂଯୋଜକ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ଆୟୋଜନ କରିବାରେ ସମଗ୍ର ଶିକ୍ଷା ଅଭିଯାନର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *