November 13, 2025
Home » ସରକାରୀ ଓକିଲ, ବନ ଏବଂ ଅବକାରୀ ବିଭାଗର ଅଧିକାରୀଙ୍କ ପାଇଁ ଆଇନ ସଚେତନତା କାର୍ଯ୍ୟକ୍ରମ

ସରକାରୀ ଓକିଲ, ବନ ଏବଂ ଅବକାରୀ ବିଭାଗର ଅଧିକାରୀଙ୍କ ପାଇଁ ଆଇନ ସଚେତନତା କାର୍ଯ୍ୟକ୍ରମ

0
WhatsApp Image 2025-04-20 at 6.34.03 PM

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ ଅନୁଯାଇ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ସରକାରୀ ଓକିଲ, ବନ ଏବଂ ଅବକାରୀ ବିଭାଗର ଅଧିକାରୀମାନଙ୍କ ପାଇଁ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ଅଦାଲତର ସମ୍ମିଳନୀ କକ୍ଷରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀନିବାସ ପ୍ରତିହାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜଜ୍ ହର ପ୍ରସାଦ ପଟ୍ଟନାୟକ, ପୋସ୍କୋ ଅଦାଲତ ବିଚାରପତି ଗାର୍ଗୀ ପଟ୍ଟନାୟକ, ବିଚାର ବିଭାଗୀୟ ମୁଖ୍ୟ ମାଜିଷ୍ଟ୍ରେଟ ନୀଳିମା ପଣ୍ଡା, ପ୍ରାଧିକରଣର ସଚିବ ବି.ଡି.ଡି ଚନ୍ଦନା, ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସଦକ କାଟଜେ ଏବଂ ଅଙ୍କିତ ଦେୱାଙ୍ଗନ ମଞ୍ଚାସୀନ ଥିଲେ । ଅଧ୍ୟକ୍ଷ ଶ୍ରୀ ପ୍ରତିହାରୀ ଅଦାଲତରେ ଅବକାରୀ ମାମଲା କିପରି ପରିଚାଳନା କରାଯାଏ ଏବଂ ମୋକଦ୍ଦମା ପରିଚାଳନାରେ ତଦନ୍ତକରି ସଂସ୍ଥାର କର୍ତ୍ତବ୍ୟ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ଏଫ୍.ଆଇ.ଆର୍, ଜେରୋ ଏଫ୍.ଆଇ.ଆର୍, ଥାନାରେ ଏତେଲା ଦାୟାର କଲାବେଳେ ପୁଲିସର କର୍ତବ୍ୟ, ସମନ ପଠାଇବା ଶୈଳୀ, ଓଡିଶା ଉଚ୍ଚନ୍ୟାୟାଳୟ ଭିଡିଓ କନଫରେନ୍ସିଂ ନିୟମ, ୨୦୨୦, ଅଦାଲତରେ ଆଭାସୀ ମାଧ୍ୟମରେ କିପରି ସାକ୍ଷୀ କରାଯାଏ, ଆଭାସୀ ମାଧ୍ୟମରେ ସାକ୍ଷୀ କରିବାର କାରଣ, ପୁଲିସଦ୍ଵାରା କିପରି ଗିରଫ ପରୱାନା କାର୍ଯ୍ୟକାରୀ ହେବ ଉଚିତ, କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତଦନ୍ତକରି ସଂସ୍ଥା କିପରି ଆପତିଜନକ ପଦାର୍ଥ ଜବତ କରିବ, ମୋକଦ୍ଦମା ପରିଚାଳନାରେ ସରକାରୀ ଓକିଲ, ପ୍ରତିରକ୍ଷା ଉକିଲ, ଫୋରେନସିକ୍ ବିଜ୍ଞାନ ବିଭାଗ, ତଦନ୍ତକରି ସଂସ୍ଥାର ଦାୟିତ୍ଵ ଓ କର୍ତବ୍ୟ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏହା ସହ ସରକାରୀ ଅଧିକାରୀ ଏବଂ ଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତାଙ୍କୁ ଆଭାସୀ ମାଧ୍ୟମରେ ସାକ୍ଷୀ କରାଇବାପାଇଁ ଗୁରୁତ୍ଵାରୋପ କରିବା ସହ ରଞ୍ଜନ କୁମାର ଛାଧା ବନାମ ହିମାଞ୍ଚଳ ପ୍ରଦେଶ ମାମଲାର ଶୁଣାଣି କରି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ରାୟରେ ଉଲ୍ଲେଖ ଥିବା ନିର୍ଦ୍ଦେଶାବଳୀକୁ ଅନୁସରଣ କରିବା ପାଇଁ ଅବକାରୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହାପରେ ବିଚାର ବିଭାଗୀୟ ମୁଖ୍ୟ ମାଜିଷ୍ଟ୍ରେଟ ଶ୍ରୀମତୀ ପଣ୍ଡା ଅପିଲ୍ ଏବଂ ପ୍ଲି- ବାର୍ଗେନିଙ୍ଗ ସମ୍ବନ୍ଧରେ ଆଲୋକପାତ କରାଇଥିଲେ । ଅନ୍ୟତମ ବକ୍ତାଭାବେ ଉପ ମୁଖ୍ୟ ଆଇନ ସହାୟତା ପ୍ରତିରକ୍ଷା ଓକିଲ ଧିରେନ୍ଦ୍ରନାଥ ଆଚାର୍ଯ୍ୟ ଆଇନ ସେବା ପ୍ରାଧିକରଣ ଜରିଆରେ ବନ୍ଦୀଙ୍କୁ କିପରି ଆଇନ ସେବା ଦିଆଯାଏ ଏହି ସମ୍ପର୍କରେ ଅବଗତ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଆଇନ ସହାୟତା ପ୍ରତିରକ୍ଷା ଓକିଲ ଓଜଦ୍ଵିତି ମହାନ୍ତି, ଜିଲ୍ଲାର ସମସ୍ତ ସରକାରୀ ଓକିଲ, ବନ ଏବଂ ଅବକାରୀ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବି.ଡି.ଡି ଚନ୍ଦନା ପରିଚାଳନା କରିଥିଲେ ।

ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ, ଇପିଏ ନିୟୁଜୁ

Leave a Reply

Your email address will not be published. Required fields are marked *