November 13, 2025
Home » ଆୟୁଷ୍ମାନ ଯୋଜନାରେ ଏତେ କମ୍‌ ଖର୍ଚ୍ଚରେ ଚିକିତ୍ସା କରିବାକୁ ଘରୋଇ ଡାକ୍ତରଖାନା ଅରାଜି, ରୋଗୀ ହନ୍ତସନ୍ତ

ଆୟୁଷ୍ମାନ ଯୋଜନାରେ ଏତେ କମ୍‌ ଖର୍ଚ୍ଚରେ ଚିକିତ୍ସା କରିବାକୁ ଘରୋଇ ଡାକ୍ତରଖାନା ଅରାଜି, ରୋଗୀ ହନ୍ତସନ୍ତ

0
WhatsApp Image 2025-05-01 at 9.15.42 AM

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)କୁ ବନ୍ଦ କରାଯାଇ ରାଜ୍ୟରେ ‘ଆୟୁଷ୍ମାନ’ ଲାଗୁ ହେବା ପରଠାରୁ ବଢ଼ିବାରେ ଲାଗିଛି ରୋଗୀଙ୍କ ସମସ୍ୟା। ଆୟୁଷ୍ମାନ ଯୋଜନାରେ ବିଭିନ୍ନ ରୋଗ ପାଇଁ ଅପେକ୍ଷାକୃତ କମ୍‌ ଅର୍ଥ ବରାଦ ଯୋଗୁଁ ଚିକିତ୍ସା ସେବା ବ୍ୟାହତ ହୋଇଛି ଓ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି। କମ୍‌ ପାଉଣାରେ ବଡ଼ବଡ଼ ରୋଗର ଚିକିତ୍ସା କରାଯାଇ ପାରିବ ନାହିଁ ବୋଲି ଘରୋଇ ଡାକ୍ତରଖାନା ଗୁଡିକ ସରକାରଙ୍କୁ ସଫା ସଫା ଶୁଣାଇ ଦେଇଛନ୍ତି। ଯାହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଦୋ ଛକିରେ ପଡିଛି। ଗୋଟିଏ ପଟେ ସରକାର ପ୍ୟାକେଜ୍‌ ମୂଲ୍ୟ ବୃଦ୍ଧି ନ କଲେ ରୋଗୀଙ୍କ ଚିକିତ୍ସା ଅସମ୍ଭବ ହୋଇପଡିବ, ଅନ୍ୟ ପଟେ କେନ୍ଦ୍ର ସରକାର କେବଳ ଗୋଟିଏ ରାଜ୍ୟ ପାଇଁ ଆୟୁଷ୍ମାନ ଭାରତ ପ୍ୟାକେଜ୍‌ ବଢ଼ାଇ ପାରିବେ ନାହିଁ। ଯାହାକୁ ନେଇ ଅକଳରେ ପଡ଼ିଛନ୍ତି ରାଜ୍ୟ ସରକାର। ଏ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନେ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗଙ୍କୁ ପ୍ରଶ୍ନ କରିଥିଲେ ହେଁ ମନ୍ତ୍ରୀ ‘ଅନୁଧ୍ୟାନ କରାଯାଉଛି’ ଉତ୍ତର ଦେଇ ଚତୁରତାର ସହ ପ୍ରଶ୍ନକୁ ଏଡ଼ାଇ ଯାଇଛନ୍ତି ।

ସାରା ଦେଶରେ ଆୟୁଷ୍ମାନ ଭାରତର ଗୋଟିଏ ପ୍ୟାକେଜ୍‌ ଲାଗୁ କରାଯାଇଛି। ବିଏସ୍‌କେୱାଇ ପ୍ୟାକେଜ୍‌ ଓ ସାମ୍ପ୍ରତିକ ବଜାର ଚିକିତ୍ସା ମୂଲ୍ୟ ତୁଳନାରେ ଆୟୁଷ୍ମାନ ଭାରତର ଚିକିତ୍ସା ପ୍ୟାକେଜ୍‌ ବହୁତ କମ୍‌ ରହିଛି। ଚଳିତ ମାସ ୧୧ ତାରିଖରେ ବିଏସ୍‌କେୱାଇ ବନ୍ଦ ହୋଇ ଆୟୁଷ୍ମାନ ପ୍ରଚଳନ ହେବା ପରେ ରାଜ୍ୟରେ ମାଗଣା ସ୍ୱାସ୍ଥ୍ୟ ସେବା ଚିତ୍ର ବଦଳି ଯାଇଛି। ବିଏସ୍‌କେୱାଇରେ ପଞ୍ଜିକୃତ ହୋଇଥିବା ଘରୋଇ ଡାକ୍ତରଖାନାଗୁଡିକୁ ଆୟୁଷ୍ମାନ ଭାରତରେ ସାମିଲ କରାଯାଇଛି। ବିଏସ୍‌କେୱାଇରେ ସରକାର ଦେଉଥିବା ଚିକିତ୍ସା ପ୍ୟାକେଜ୍‌କୁ ନେଇ ଘରୋଇ ଡାକ୍ତରଖାନା କେବେ ଅଭିଯୋଗ ଆଣି ନ ଥିଲେ। ବଜାର ମୂଲ୍ୟ ବୃଦ୍ଧି ହେତୁ ପ୍ୟାକେଜ୍‌ ଗୁଡିକରେ ଅନ୍ୟୁନ ୨୦% ବୃଦ୍ଧି କରାଯାଉ ବୋଲି ସ୍ୱାସ୍ଥ୍ୟ ବିଭାଗ ପାଖରେ ଦାବି କରୁଥିଲେ। କିନ୍ତୁ ଆୟୁଷ୍ମାନ ଭାରତରେ ଶତାଧିକ ରୋଗକୁ ଚିକିତ୍ସା ତାଲିକାରୁ ବାଦ୍‌ ଦିଆଯାଇ ଥିବା ବେଳେ ପ୍ୟାକେଜ୍‌ ୫୦%କୁ ଖସି ଆସିଛି।

କିଛି ରୋଗର ପ୍ୟାକେଜ୍‌ ୭୦% ପର୍ଯ୍ୟନ୍ତ ହ୍ରାସ ପାଇଛି। ସିଟି, ଏମ୍‌ଆରଆଇ, ପିଏଫ୍‌ଟି, ଏନ୍‌ସିଭି, ଇଏମ୍‌ଜି ଭଳି ବ୍ୟୟବହୁଳ ନିଦାନ ବ୍ୟବସ୍ଥା ଚିକିତ୍ସା ପ୍ୟାକେଜରେ ନାହିଁ। ହୃଦରୋଗୀଙ୍କ ଜୀବନ ରକ୍ଷା ପାଇଁ ପ୍ରତିରୋପଣ ହେଉଥିବା ପେସ୍‌ମେକର୍‌ ଦାମ୍‌ ଦେଢ଼ ଲକ୍ଷ ଟଙ୍କା। ଏଥିରେ ୭୫୦୦୦ ଟଙ୍କା ଦିଆଯାଉଛି। ସେହିପରି କାର୍ଡିଓଟୋକୋଗ୍ରାଫୀ (ସିଟିଜି), ମେରୁଦଣ୍ଡ ଚିକିତ୍ସା,ମସ୍ତିଷ୍କ ରୋଗ, କିଡ୍‌ନୀ ରୋଗ, ସ୍ନାୟୁ ରୋଗ, ବିଭିନ୍ନ ପ୍ରକାର ଅସ୍ତ୍ରୋପଚାର ଭଳି ଗୁରୁତର ମାମଲାରେ ଚିକିତ୍ସା ଖର୍ଚ୍ଚ ବହୁତ କମ୍‌ ରହିଛି। ଏତେ କମ୍‌ ପ୍ୟାକେଜରେ ଚିକିତ୍ସା କରିହେବ ନାହିଁ ବୋଲି ଅଲ ଓଡିଶା ପ୍ରାଇଭେଟ୍‌ ମେଡିକାଲ ଏଷ୍ଟାବ୍ଲିସ୍‌ମେଣ୍ଟ ଫୋରମ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କହି ସାରିଛି। ଦୁଇ ଥର ବୈଠକ ବି ହେଲାଣି। କିନ୍ତୁ କିଛି ସୁଫଳ ବାହାରୁ ଥିବା ପରି ଜଣାପଡୁ ନାହିଁ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ କୌଣସି ପରିସ୍ଥିତିରେ ବି ଗୋଟିଏ ନିର୍ଦ୍ଦିଷ୍ଟ ରାଜ୍ୟ ପାଇଁ ଆୟୁଷ୍ମାନ ପ୍ୟାକେଜ୍‌ ବୃଦ୍ଧି କରାଯାଇ ପାରିବ ନାହିଁ। ରାଜ୍ୟ ସରକାର ଚାହିଁଲେ ରୋଗୀଙ୍କ ଅତିରିକ୍ତ ଖର୍ଚ୍ଚ ନିଜ ହାତରୁ ବହନ କରିପାରିବେ। ଯେଉଁଠି ବିଏସ୍‌କେୱାଇରେ ଲୋକେ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ପାଇଛନ୍ତି ସେଠି ଡାକ୍ତରଖାନା ବିଲ୍‌ରୁ ଅଧା ଖର୍ଚ୍ଚ ବହନ କରିବା ଗରିବ ଲୋକ ପକ୍ଷେ ସମ୍ଭବ ନୁହେଁ। ଏପରି ସ୍ଥିତିରେ ପୁଣି ଲୋକମାନଙ୍କୁ ଘରଦ୍ୱାର ବନ୍ଧା ପକାଇବାକୁ ପଡ଼ିବ ଓ ଜମିବାଡ଼ି ବିକ୍ରି କରିବାକୁ ସେମାନେ ବାଧ୍ୟ ହେବେ।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *