July 4, 2025
Home » ନର୍ସମାନେ ଆଗ ଧାଡ଼ିର ସୈନିକ: ସୋଆ ଉପସଭାପତି

ନର୍ସମାନେ ଆଗ ଧାଡ଼ିର ସୈନିକ: ସୋଆ ଉପସଭାପତି

0
international nurses

ଭୁବନେଶ୍ୱର,: କୋଭିଡ ମହାମାରୀ ବିରୁଦ୍ଧରେ ହେଉ ଅଥବା ହସ୍ପିଟାଲରେ ରୋଗୀ ସେବା-ଏହି କାର୍ଯ୍ୟକୁ ଅକୁଣ୍ଠ ଚିତରେ ସମର୍ପଣ ଭାବ ରଖି ନର୍ସମାନେ ଆଗ ଧାଡ଼ିର ସୈନିକ ଭଳି କାର୍ଯ୍ୟ କରିଥାନ୍ତି। ସବୁ ପରିସ୍ଥିତିରେ ନର୍ସମାନେ ନିଜ ସୁଖସ୍ୱାଚ୍ଛନ୍ଦ୍ୟକୁ ଜଳାଞ୍ଜଳି ଦେଇ କାର୍ଯ୍ୟ କରି ଆସିଛନ୍ତି ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ। ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ ଆଣ୍ଡ ସମ
ହସ୍ପିଟାଲ୍ ପକ୍ଷରୁ ଶୁକ୍ରବାର ଆୟୋଜିତ ଆନ୍ତର୍ଜାତିକ ସେବିକା ସପ୍ତାହ-୨୦୨୫ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତି ଦାସ କହିଛନ୍ତି ଯେ ସମ୍‌ ହସ୍ପିଟାଲ ତରଫରୁ ଗ୍ରାମାଂଚଳରେ ଆୟୋଜିତ ହେଉଥିବା ବିଭିନ୍ନ ସ୍ୱାସ୍ଥ୍ୟ ମେଳାଗୁଡ଼ିକରେ ନର୍ସମାନଙ୍କର ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ। ଫ୍ଲୋରେନ୍ସ ନାଇଟିଙ୍ଗଲ୍‌ଙ୍କର ମହାନ ସେବା କାର୍ଯ୍ୟକୁ ସ୍ମରଣ କରିବା ନିମନ୍ତେ ତାଙ୍କ ଜନ୍ମ ଦିନକୁ ସାରା ବିଶ୍ୱରେ ଆନ୍ତର୍ଜାତିକ ସେବିକା ଦିବସ ଭାବେ ପାଳନ କରାଯାଉଥିବା ବେଳେ ସମ୍ ହସ୍ପିଟାଲ୍ ପକ୍ଷରୁ ଏକ ସପ୍ତାହବ୍ୟାପୀ ଏହି ଉତ୍ସବ ପାଳନ କରାଯାଇଛି। ସେବିକାମାନଙ୍କୁ ସମାଜରେ ସେମାନଙ୍କ ଅବଦାନ ପାଇଁ ସମ୍ମାନ ଜଣାଇବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀମତି ଦାସ କହିଛନ୍ତି। ଏହି ଅବସରରେ କଟକ ସ୍ଥିତ ଏସ୍‌ସିବି ନର୍ସିଂ କଲେଜର ଅଧ୍ୟକ୍ଷା ଡକ୍ଟର ମମତା
ଆଚାର୍ଯ୍ୟ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସେବିକାମାନେ ଶୃଙ୍ଖଳିତ ଭାବେ କାର୍ଯ୍ୟ କରିବା ପାଇଁ ଉପଦେଶ ଦେଇଥିଲେ। ଏହି ଅବସରରେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ଇନ୍‌ଚାର୍ଜ ପ୍ରଫେସର (ଡାକ୍ତର) ସୌମ୍ୟରଞ୍ଜନ ଦାଶ ଓ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନର୍ସମାନଙ୍କୁ ସମ୍ ହସ୍ପିଟାଲର ମେରୁଦଣ୍ଡ ବୋଲି କହିବା ସହ ସୀମାରେ ସୈନିକମାନେ ଦେଶକୁ ଜଗିବା ଭଳି ରୋଗୀମାନଙ୍କ ଜୀବନ ରକ୍ଷା ନିମନ୍ତେ ନର୍ସମାନେ ନିରନ୍ତର କାର୍ଯ୍ୟ କରୁଛନ୍ତି ବୋଲି କହିଥିଲେ। ଏହି ଅବସରରେ ନର୍ସମାନେ ଫ୍ଲୋରେନ୍ସ ନାଇଟିଙ୍ଗଲ୍‌ଙ୍କ ଶପଥ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି ମିନତୀ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆଡିସ୍‌ନାଲ୍ ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି ଶୋଭାମଞ୍ଜରୀ ସାମଲ ନିଜର ବକ୍ତବ୍ୟ ରଖିଥିଲେ। ଡେପୁଟି ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି କାବେରୀ ରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *