ଗଜପତିରେ ଗୃହରକ୍ଷୀ ବାହିନୀର ଚୟନ ପ୍ରକ୍ରିୟା ବେଳେ ଅଘଟଣ, ଜଣେ ମୃତ, ପାଞ୍ଚ ଅସୁସ୍ଥ

ଗଜପତି ଜିଲ୍ଲାରେ ଗୃହରକ୍ଷୀ ପଦବୀ ନିମନ୍ତେ ଶାରିରୀକ ପରୀକ୍ଷାରେ ଏକ ଅଘଟଣ ଘଟିଛି । ଏଥିରେ ଜଣେ ମୃତ୍ୟୁବରଣ କରିଥିବା ବେଳେ 5 ଜଣ ଅସୁସ୍ଥ ହୋଇଛନ୍ତି । ମୃତ ପରୀକ୍ଷାର୍ଥୀ ଜଣକ ହେଉଛନ୍ତି ରାମଗିରି ଥାନା ଅନ୍ତର୍ଗତ ପରିସଲ ଗ୍ରାମର ସୁଲନ୍ତ ମିଶାଲ ବୋଲି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ଗୃହରକ୍ଷୀ ବାହିନୀର 144 ଟି ପଦବୀ ନିମନ୍ତେ ଗତ 2 ମାସ ହେଲା ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଚୟନ ପ୍ରକ୍ରୀୟାରେ ଆବେଦନକାରୀଙ୍କ ଶାରିରୀକ ପରୀକ୍ଷା ଅନୁଷ୍ଠିତ ହେଉଥିଲା । ଏଥିରେ ଆବେଦନକାରୀ ମାନଙ୍କୁ ଦୁଇ କିମି ଦୌଡିବାର ଥିଲା । ଏହି ପରୀକ୍ଷା ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇ ଏକ କିଲୋମିଟର ଗଲାପରେ ସେଠାରୁ ପୁଣି ପ୍ରାରମ୍ଭ ସ୍ଥାନକୁ ଫେରିବାର ଥିଲା । ଏଥିରେ ପ୍ରଥମ ପର୍ଯ୍ୟାୟରେ ମହିଳାମାନଙ୍କ ଦୌଡ ପ୍ରକ୍ରିୟା ରହିଥିଲା । ଏହାପରେ ପୁରୁଷ ମାନଙ୍କ ଦୌଡ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।
ଏହି ସମୟରେ ସୁଲନ୍ତ ମିଶାଲଙ୍କ ନିଜର ଦୌଡ ଶେଷ କରିବା ପରେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ତାଙ୍କ ଚୟନସ୍ଥଳରେ ଉପସ୍ଥିତଥିବା ଡାକ୍ତରମାନେ ଚିକିତ୍ସା କରି ନିୟୋଜିତ ହୋଇଥିବା ଆମ୍ବୁଲାନ୍ସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଇଥିଲେ । ସେଠାରେ ସୁଲନ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସେହି ସମୟରେ ଆଉ ପାଞ୍ଚ ଜଣ ପରୀକ୍ଷାର୍ଥୀ ମଧ୍ୟ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କୁ ମଧ୍ୟ ପରୀକ୍ଷା ସ୍ଥଳରେ ପ୍ରାଥମିକ ଚିକିତ୍ସା କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଠାଯାଇଥିଲା । ସେଠାରେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ଥିବା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ପଣ୍ଡା ସୂଚନା ପ୍ରଦାନ କରିଛନ୍ତି । ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ।
ଗଜପତି ଜିଲ୍ଲା ଇପିଏ ରୁ ଦିଲ୍ଲୀପ ଶତପଥୀଙ୍କ ରିପୋର୍ଟ