ବର୍ଷା ରେ ଚାଲିଛି ପିଚୁ କାମ , ବିଭାଗ ର ନିର୍ଦ୍ଦେଶକୁ ଠିକାଦାର ମାନୁନାହାନ୍ତି

ସୁବର୍ଣ୍ଣପୁର — ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତାର ଉନ୍ନତି କାର୍ଯ୍ୟ ତ୍ୱରାନ୍ୱିତ କରାଉଥିଲେ ମଧ୍ୟ ସୁବର୍ଣ୍ଣପୁର ଜିଲ୍ଲା ବିନିକା ରେ ବ୍ୟତିକ୍ରମ ଦେଖିବାକୁ ମିଲିଛି । ଗତକାଲି ସୋନପୁର – ବିନିକା ଡ଼ୁଙ୍ଗୁରିପାଲି ମୂଖ୍ୟ ରାସ୍ତା ବିନିକା ମଧ୍ୟରେ ପୂର୍ତ୍ତବିଭାଗ ରାସ୍ତା ବର୍ଷା ହେଉଥିଲେ ମଧ୍ୟ ବେଧଡକ ଚାଲିଛି ପିଚୁ କାମ। ଏତେ ବର୍ଷାରେ ପିଚୁ କାମ ଚାଲିଥିଲେ ମଧ୍ୟ ଜିଲ୍ଲା ପୂର୍ତ୍ତ ବିଭାଗ ନୀରବଦ୍ରଷ୍ଟା ସାଜିଥିବାରୁ ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ଜୋର ଧରିଛି। ବିନିକା ସହର ରେ ଝିପି ଝିପି ବର୍ଷାରେ ବିନିକା ସହର ରାସ୍ତାରେ ପିଚୁ କାମ ଚାଲିଥିଲା । ଏତେ ଝିପିଝିପି ବର୍ଷା ସତ୍ଵେ ମଧ୍ୟ ପିଚୁ କାମ ଜୋରସୋରରେ ଚାଲିଥିବାରୁ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେଉଛି । ବର୍ଷାରେ ଦିନ ଓ ରାତି ରେ ପିଚୁ କାମ ହେଉଥିବାରୁ ସ୍ଥାୟୀତ୍ଵକୁ ନେଇ ଜନସାଧାରଣଙ୍କ ମନରେ ବିଭିନ୍ନ ପ୍ରକାର ପ୍ରଶ୍ନ ଉଙ୍କି ମାରୁଛି । କାହା ନିର୍ଦ୍ଦେଶରେ ବର୍ଷା ସମୟରେ ରାତି ଓ ଦିନରେ ଏଭଳି କାମ ହେଉଛି ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ପୂର୍ତ୍ତ ବିଭାଗ ଠିକାଦାରଙ୍କୁ ରୋକ ଲଗାଇଥିଲେ ମଧ୍ୟ କାହାର ବଳରେ ବଳିଆନ ହୋଇ ମନମାନି କାମ କରୁଥିବା ଚର୍ଚ୍ଚା ହେଉଛି । ଗତ କିଛିଦିନ ହେବ ବିନିକା ଅଞ୍ଚଳରେ ବର୍ଷା ଲାଗି ରହିଥିଲେ ମଧ୍ୟ ଠିକାଦାର ରାତିରେ ରାସ୍ତା କାମ ସହ ପିଚୁ କାମ କରାଉ ଥିବାରୁ ଜନ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ଏନେଇ ବିନିକା ବ୍ଳକ ରେ ଗତ ସୋମବାର ଦିନ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିରରେ ବିଭାଗୀୟ ଏସ୍ଡ଼ିଓଙ୍କ ସହତି ବର୍ଷା ରେ ପିଚୁକାମ ଉପରେ ଆଲୋଚନା ସମୟରେ ଠିକାଦାରକୁ ବର୍ଷା ସମୟରେ ପିଚୁ କାମ ନ କରିବାକୁ ନିର୍ଦ୍ଦେଶ ଦେଇଥିବା ପ୍ରକାଶ କରିଥିଲେ । କିନ୍ତୁ ବିଭାଗୀୟ ଏସଡ଼ିଓ ଙ୍କ କଥା ପାଣିର ଗାର ହୋଇ ଯାଇଥିଲା । ଠିକାଦାରଙ୍କ ମନମାନି ରେ କାର୍ଯ୍ୟ ଚାଲିଥିବାରୁ ଦିନ ରାତି ବର୍ଷା ଚାଲିଥିବା ସମୟରେ ପିଚୁକାମ ହେଉଥିବାରୁ ଜନସାଧାରଣ ବିଭାଗୀୟ ଅଧିକାରୀଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି । ନିମ୍ନ ମାନର କାମ ହେଉଥିବାରୁ କେତେକ ସ୍ଥାନରେ ପିଚୁ ଉଠି ଗର୍ତ୍ତ ହୋଇଥିବା ବେଳେ ରାସ୍ତା ପାର୍ଶ୍ୱ ରେ ହୋଇଥିବା ଡ଼୍ରେନ କାମ ନ କହିବା ଭଲ । ଅନେକ ସ୍ଥାନରେ ଡ୍ରେନ କାମ ଅସମ୍ପୂର୍ଣ୍ଣ ହୋଇ ପଡ଼ିଥିଲା ବେଳେ ବିଭିନ୍ନ ସ୍ଥାନରେ ଡ଼୍ରେନ ଭାଙ୍ଗି ଯାଇଥିବା ଜନସାଧାରଣ ଅଭିଯୋଗ ହେଉଛି । ଏନେଇ ସୋନପୁର ପୂର୍ତ୍ତବିଭାଗ ଏସଇ ଅଜାତ ଶତୃ ସାହୁଙ୍କୁ ପଚରାଯିବାରୁ ବିଭାଗ ପକ୍ଷରୁ ଗତ ୨୦ ତାରିଖରୁ ବର୍ଷା ସମୟରେ ପିଚୁ କାମ ନ କରିବାକୁ ନିର୍ଦ୍ଦେଶ ଦିଆ ଯାଇଛି। କିନ୍ତୁ ଆଜି ପୁଣି ବର୍ଷା ଚାଲିଥିବା ସମୟରେ ବିନିକା ସହର ରାସ୍ତାରେ ପିଚୁ କାମ ହେଉଥିବା ଖବର ପାଇ ଉକ୍ତ ଠିକାସଂସ୍ଥାର ଏମଡିଙ୍କ ସହିତ ଆଲୋଚନା କରାଯାଇଛି । ପୁର୍ତ୍ତ ବିଭାଗ ର ନିର୍ଦ୍ଦେଶ ନ ହେବା ପର୍ଯ୍ୟନ୍ତ ପିଚୁ କାମ କରାହେବ ନାହିଁ ବୋଲି ପ୍ରକାଶ କରିଥିଲେ ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..