February 24, 2026
Home » ମାଙ୍କିଡ଼ିଆଙ୍କ ମୃତ୍ୟୁ ନେଇ ପ୍ରଶାସନିକ ତତ୍ପରତା

ମାଙ୍କିଡ଼ିଆଙ୍କ ମୃତ୍ୟୁ ନେଇ ପ୍ରଶାସନିକ ତତ୍ପରତା

0
WhatsApp Image 2025-12-08 at 7.13.35 PM

 ଯାଜପୁର : ଯାଜପୁର ଜିଲ୍ଲା ସୁକିନ୍ଦ‌ା ବ୍ଲକ ମାଙ୍କିଡ଼ିଆ ବସ୍ତି ଗସ୍ତ କରିଛନ୍ତି। ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ କୁମାର ମିଶ୍ର ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ପୌରହିତ୍ୟରେ ବସ୍ତିର ଜୀବନଜ୍ୟୋତି ପ୍ରାର୍ଥନା ଗୃହରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ଶିବିରରେ ପ୍ରମୁଖ ସଚିବ ଶ୍ରୀ ମିଶ୍ର ୪୦ ମିନିଟ୍‌ ଧରି ସବୁବର୍ଗର ମାଙ୍କିଡ଼ିଆ ଜନଜାତିଙ୍କ ସହିତ ଖୋଲା ଆଲୋଚନା କରିଥିଲେ। ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ରୋଜଗାର ଓ ଋଣ ବିନିଯୋଗ ପଚାରି ବୁଝିଥିଲେ। ଆମ କଳିକା ଓ ଅଙ୍ଗନବାଡ଼ି କେନ୍ଦ୍ରରେ ପଞ୍ଜିକୃତ ଶିଶୁମାନଙ୍କ ସମସ୍ୟା ପଚାରିଥିଲେ। ବସ୍ତିରେ ଅଙ୍ଗନବାଡ଼ି କେନ୍ଦ୍ର ନଥିବା ଜାଣି ପ୍ରସ୍ତାବିତ କୁସୁମୁଣ୍ଡିଆ ମାଙ୍କିଡ଼ିଆ ଥଇଥାନ କଲୋନିରେ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ବସ୍ତିରେ ୨ ଜଣ ଦୁର୍ବଳ ସାମ୍‌ ଓ ୫ ଜଣ ମାମ୍‌ ଶିଶୁ ଥିବା ଜାଣି ସେମାନଙ୍କ ସ୍ବାସ୍ଥ୍ୟସେବା ଓ ଯତ୍ନ ପାଇଁ ପରାମର୍ଶ ଦେଇଥିଲେ। ଆଇଟିଡିଏ ପ୍ରକଳ୍ପ ଭଳି ବିରହୋର ଜୁଆଙ୍ଗ ଉନ୍ନୟନ ସଂସ୍ଥା(ବିଜେଡିଏ)କୁ ତ୍ବରାନ୍ବିତ କରାଇବାକୁ କହିଥିଲେ।
୨୦୧୭ ମସିହାରୁ ମାଙ୍କିଡ଼ିଆ ଥଇଥାନ କଲୋନି କାମ ଆରମ୍ଭ ହୋଇଥିଲେ ମଧ୍ୟ ଏଯାବତ୍ ଏହା ଶେଷ ହୋଇନଥିବା ଜାଣି ଚିନ୍ତା ପ୍ରକଟ କରିଥିଲେ। ବୈଧ ଆଧାରକାର୍ଡ ଓ ଭୋଟର କାର୍ଡ ଅଭାବରୁ ଅଧିକାଂଶ ବୁଢ଼ାବୁଢ଼ୀ ଭତ୍ତା ପାଉନଥିବା ଜାଣି ବସ୍ତିରେ ସ୍ବତନ୍ତ୍ର ଆଧାରକାର୍ଡ ପ୍ରସ୍ତୁତି ଓ ସଂଶୋଧନ ଶିବିର ଆୟୋଜନ ପରାମର୍ଶ ଦେଇଥିଲେ। ଅଧାରୁ ପାଠ ଛାଡ଼ିଥିବା ଯୁବତୀ, କିଶୋରୀ ଓ ଯୁବକମାନଙ୍କ ସହ ଆଲୋଚନା କରି ସେମାନଙ୍କ ପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ ବ୍ୟବସ୍ଥା ଉପରେ ସଚିବ ଶ୍ରୀ ମିଶ୍ର ଗୁରୁତ୍ବାରୋପ କରିଥିଲେ। ସିଡିଇଓ ଦେବୀ ପ୍ରସାଦ ମହାନ୍ତି, ଏଡିଏମ୍‌ ସପନ କୁମାର ନନ୍ଦ ଓ ଯୁଧିଷ୍ଠିର ନାଏକ, ଉପଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ, ସିଡିଏମ୍‌ଓ ଡାକ୍ତର ବିଜୟ କୁମାର ମିଶ୍ର, ତହସିଲଦ‌ାର ମାନସ ରଞ୍ଜନ ତ୍ରିପାଠୀ, ବିଡିଓ ପ୍ରଜ୍ଞ‌ା ପରିମିତା ପୃଷ୍ଟି, ଡିପିଓ ସନ୍ତୋଷ କୁମାର ସାହୁ, ଡିଇଓ ମହେଶ୍ବର ସାହୁ, ଡିଡବ୍ଲ୍ୟୁଓ ଶରତ ଚନ୍ଦ୍ର ବେହେରା, ସିଡିଏଓ ତପନ କୁମାର ମହାପାତ୍ର, ବିଇଓ ନାରାୟଣ ଦାସ, ଡିଏମ୍‌ଏଫ୍ ଟିମ୍‌ ଲିଡର ଡ. ସତ୍ୟ ସ୍ବରୂପ ପଣ୍ଡ‌ା, ଏମ୍‌ଆଇ ଶୁଭାଙ୍ଗୀ ରାୟ, ସରପଞ୍ଚ କନକଲତା ସର୍ଦ୍ଦାର ପ୍ରମୁଖ ଉପସ୍ଥିତ ଥିଲେ।ସୁଚନାଯୋଗ୍ୟ: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ବିଧାୟକ ଦଳ ଉପନେତା ବ‌ାସୁଦେବପୁର ବିଧାୟକ ଅଶୋକ କୁମାର ଦାସଙ୍କ ନେତୃତ୍ବରେ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ମାଙ୍କିଡ଼ିଆ ବସ୍ତି ଗସ୍ତ କରିଥିଲେ। ‌କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହାକୁ ଅନାହାର ମୃତ୍ୟୁ ଆଖ୍ୟା ଦିଆଯାଇଥିଲା। ନଭେମ୍ବର ପହିଲାରେ ଉଚ୍ଚସ୍ତରୀୟ କଂଗ୍ରେସ ପ୍ରତିନିଧି ଦଳ ମହାମହିମ ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କୁ ଭେଟି ନ୍ୟାୟିକ ତଦନ୍ତ ଓ ଉପେକ୍ଷିତ ଜନଜାତି ପରିବାର ସମୂହର‌ ମୌଳିକ ସମସ୍ୟା ସମାଧାନ ଦାବି କରିଥିଲେ। ସେଦିନ ବିଡିଓ ଓ ସିଏସ୍‌ଓ ଦିଲ୍ଲୀପ କୁମାର ପାଣିଗ୍ରାହୀ ଏବଂ ଗତ ୨୧ ତାରିଖରେ ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଅବନୀକାନ୍ତ ସାହୁ ଓ ଉପଜିଲ୍ଲାପାଳ ଏହି ମାଙ୍କିଡ଼ିଆ ବସ୍ତି ଆସି ସ୍ଥିତି ପରଖିଥିଲେ।

ଯାଜପୁର ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ,

ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *