ବିଏମ୍ ସି ନିୟୋଜିତ କଲା ରାପିଡ୍ ଇଲେକ୍ଟ୍ରିକାଲ ଆକ୍ସନ ଫୋର୍ସ
ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି) ପକ୍ଷରୁ ନିୟୋଜିତ ହେଲା ‘ରାପିଡ୍ ଇଲେକ୍ଟ୍ରିକାଲ ଆକ୍ସନ ଫୋର୍ସ’ । ବିଏମ୍ ସି ଅଂଚଳରେ ବିଦ୍ୟୁତ୍ ଆଲୋକ ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ଏହି ଆରଇଏଏଫ୍ ନିୟୋଜିତ କରାଯାଇଛି । ଏଥିପାଇଁ 3ଟି ସ୍ୱତନ୍ତ୍ର ଗାଡିରେ ହାଇଡ୍ରୋଲିକ ଲ୍ୟାଡର ସହ ଦକ୍ଷ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଖୁବ୍ ଶୀଘ୍ର ଆଉ ଏକ ଗାଡି ନିୟୋଜିତ କରାଯିବ ବୋଲି ବିଏମ୍ ସି ପକ୍ଷରୁ କୁହାଯାଇଛି । ବିଏମ୍ ସି ଅଂଚଳର ଯେ କୌଣସି ସ୍ଥାନରେ ଷ୍ଟ୍ରିଟ୍ ଲାଇଟ୍ ଖରାପ ହେବା ଅଭିଯୋଗ ଆସିଲେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମରାମତି କରିବେ । ପ୍ରତି ଗାଡିରେ 3 ଜଣ ଲେଖାଏଁ ରହିବେ । ସେମାନଙ୍କ ମଧ୍ୟରେ ଜଣେ ଜମାଦାର, ଜଣେ ଇଲେକ୍ଟ୍ରିସିଆନ ଆଉ ଜଣେ ଡ୍ରାଇଭର । ଏହି ସବୁ ଗାଡିଗୁଡିକୁ ସଂଚାଳନ କରିବା ପାଇଁ ଜଣେ ଟିମ୍ ଲିଡରଙ୍କୁ ନିୟୋଜିତ କରାଯାଇଛି । ଆବଶ୍ୟକ ପଡିଲେ ଘଟଣାସ୍ଥଳକୁ ଅଧିକ କର୍ମଚାରୀ ମଧ୍ୟ ଯିବେ । ଏହି କର୍ମଚାରୀମାନେ ଦୈନିକ ଅତି କମରେ ଦୁଇଟି ଲେଖାଏଁ ଓ୍ୱାର୍ଡ ବୁଲି ଷ୍ଟ୍ରିଟ୍ ଲାଇଟ୍ ମରାମତି କାମ କରିବେ । ଏହା ବାଦ୍ ଯେଉଁ ଅଂଚଳରୁ ଅଭିଯୋଗ ଆସିବ, ସେସ୍ଥାନକୁ ତୁରନ୍ତ ଯିବେ ।
ବର୍ତ୍ତମାନ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ 78 ହଜାର 500ରୁ ଅଧିକ ଲାଇଟ୍ ରହିଥିବା ବେଳେ 180ଟି ହାଇମାଷ୍ଟ ଲାଇଟ୍ ପୋଷ୍ଟ ରହିଛି । ଖାସ୍ କରି 2024-25 ଆର୍ଥିକ ବର୍ଷରେ ବିଏମ୍ ସି ଅଂଚଳରେ 2 ହଜାର 400 ନୂତନ ପୋଲ ପଡିଥିବା ବେଳେ 5 ହଜାରରୁ ଅଧିକ ଲାଇଟ୍ ଲାଗିଛି । ବିଏମ୍ ସି ଅଂଚଳର ବିଭିନ୍ନ ଛକରେ ମୋଟ 34ଟି ହାଇମାଷ୍ଟ ଲାଇଟ୍ ମଧ୍ୟ ଲାଗିଛି ।
ଏହି ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ହାଇଡ୍ରୋଲିକ୍ ଗାଡିଗୁଡିକର ଲୋକାର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ, କର୍ପୋରେଟର ସନ୍ତୋଷ କୁମାର ସିଂଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ମାନନୀୟା ମେୟର ଓ ଅନ୍ୟ ଅତିଥିମାନେ ପତାକା ଦେଖାଇ ଗାଡିଗୁଡିକର ଶୁଭାରମ୍ଭ କରିଛନ୍ତି ।
ରାସ୍ତା ସଫେଇ, ବୁଶ୍ କଟିଂ ସହ ବିଦ୍ୟୁତ୍ ଆଲୋକ ପ୍ରତିମଧ୍ୟ ସମାନ ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି ବିଏମ୍ ସି କମିଶନର ଶ୍ରୀ ଚଞ୍ଚଳ ରାଣା ।
ଗତାନୁଗତିକ ଭାବେ ରାସ୍ତାପାର୍ଶ୍ୱ ଲାଇଟର ମରାମତି ହେଉଥିଲେ ମଧ୍ୟ ଲୋକମାନଙ୍କର ଅଭିଯୋଗକୁ ଗୁରୁତ୍ୱ ଦେଇ ଏହି ପଦକ୍ଷେପ ନିଆଯାଇଛି । ଏହି ରାପିଡ୍ ଇଲେକ୍ଟ୍ରିକାଲ ଆକ୍ସନ ଫୋର୍ସକୁ ଗାଡି ଏବଂ ଆବଶ୍ୟକ ଯନ୍ତ୍ରପାତି ଦିଆଯାଇଛି । ଅଭିଯୋଗ ପାଇବା ମାତ୍ରେ, ଏହି ଟିମ୍ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ସମସ୍ୟାର ସମାଧାନ କରିବ । ଏହା ଦ୍ୱାରା ଆଗାମୀ ଦିନରେ ଆଉ ବିଦ୍ୟୁତ୍ ଆଲୋକ ସମସ୍ୟା ବହୁଗୁଣରେ ସମାଧାନ ହୋଇପାରିବ ବୋଲି କହିଛନ୍ତି ମାନନୀୟା ମେୟର ଶ୍ରୀମତୀ ଦାସ ।
