VB-G-RAM-G Act 2025 କାର୍ଯ୍ୟକ୍ରମରେ ମିଶନ ଶକ୍ତି ମହିଳାଙ୍କୁ ଅଣଦେଖା ଅଭିଯୋଗ
ସୁବର୍ଣ୍ଣପୁର— ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ VB-G-RAM-G Act 2025 କାର୍ଯ୍ୟକ୍ରମରେ ମିଶନ ଶକ୍ତି ମହିଳାମାନଙ୍କୁ ଅଣଦେଖା ଓ ଅପମାନ କରାଯାଇଥିବା ନେଇ ବୌଦ୍ଧ ଜିଲ୍ଲାରେ ଚର୍ଚ୍ଚା ଯୋର ଧରିଛି । ଏହି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଧଳପୁର ପଞ୍ଚାୟତରେ, ଯେଉଁଠାରେ ୨୪ ଡିସେମ୍ବର ୨୦୨୫ ଗତକାଲି ( ବୁଧବାର ) ଉକ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ବିଭିନ୍ନ ଅବ୍ୟବସ୍ଥା ଦେଖାଦେଇଥିଲା | ମିଶନ ଶକ୍ତି ମହିଳାଙ୍କ କହିବା ଅନୁଯାୟୀ, କାର୍ଯ୍ୟକ୍ରମର ପୂର୍ବ ପ୍ରସ୍ତୁତି ସମୟରେ ଅନଲାଇନ ମିଟିଂ ମାଧ୍ୟମରେ ବ୍ଲକ ଉନ୍ନୟନ ଅଧିକାରୀ (ବିଡ଼ିଓ) ସ୍ପଷ୍ଟଭାବେ ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କ ପାଇଁ ଜଳଖିଆ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହି ଅନୁସାରେ ମହିଳାମାନେ ଜଳଖିଆ ଆଶାରେ ଥିଲେ । କିନ୍ତୁ କାର୍ଯ୍ୟକ୍ରମ ଆରମ୍ଭରୁ ହିଁ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା | ଏକାଧିକ ମହିଳାଙ୍କୁ ଯୋଗଦାନ ପାଇଁ ଡ଼ାକିଥିବା ବେଳେ ସେମାନେ ବସିବାକୁ କୌଣସି ବ୍ୟବସ୍ଥା କରାଯାଇନଥିଲା, କୌଣସି ପାଲ ନ ପକାଇ ତଳେ ମାଟିରେ ବସିବା ପାଇଁ କୁହାଯାଇଥିଲା | କିନ୍ତୁ କାର୍ଯ୍ୟକ୍ରମ ସମାପ୍ତି ସମୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ପଞ୍ଚାୟତ ତରଫରୁ ପ୍ରତି ମହିଳାଙ୍କୁ ଶୁଖିଲା ବିସ୍କୁଟ ଦେଇ ଦାୟିତ୍ୱ ସାରିଦେଇଥିଲେ ବୋଲି ଅଭିଯୋଗ ହୋଇଛି| ସବୁଠାରୁ ଦୁଃଖର ବିଷୟ ହେଉଛି ଯେ, ସମସ୍ତ ଉପସ୍ଥିତ ମିଶନ ଶକ୍ତି ମହିଳାଙ୍କୁ ମଧ୍ୟ ସେହି ବିସ୍କୁଟ ମିଳିନଥିଲା । ଅନେକ ମହିଳା ଦିନଭରି କାର୍ଯ୍ୟକ୍ରମରେ ବସିଥିଲେ ମଧ୍ୟ କୌଣସି ପ୍ରକାର ଜଳଖିଆ ବା ସମ୍ମାନଜନକ ବ୍ୟବହାର ପାଇନଥିବା ଅଭିଯୋଗ କରିଛନ୍ତି । ମିଶନ ଶକ୍ତି ମହିଳାମାନେ କହିଛନ୍ତି, ସରକାର ଯେଉଁଠି ମହିଳା ସଶକ୍ତିକରଣକୁ ଗୁରୁତ୍ୱ ଦେଉଛନ୍ତି, ସେଠି ପଞ୍ଚାୟତ ସ୍ତରରେ ଏଭଳି ବ୍ୟବହାର ଗଭୀର ଚିନ୍ତାଜନକ । VB-G-Ram-G Act–2025 ପରି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ମହିଳାମାନଙ୍କୁ ଅଣଦେଖା କରାଯିବା ଓ ଖର୍ଚ୍ଚ ନାମରେ ଠକିବା ଘଟଣା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟଶୈଳୀ ଓ ସରକାରୀ ନୀତି-ନିୟମକୁ ପ୍ରଶ୍ନର ସମ୍ମୁଖୀନ କରୁଛି ।ମହିଳାମାନଙ୍କ ଅଭିଯୋଗ ଅନୁସାରେ, ପଞ୍ଚାୟତ ନିର୍ବାହୀ ଅଧିକାରୀ କେବଳ ଜଳଖିଆ ବିଷୟରେ ନୁହେଁ, କଥାବାର୍ତ୍ତାରେ ମଧ୍ୟ ଭଲ ବ୍ୟବହାର କରିନ ଥିଲେ । ସମସ୍ତ ଉପସ୍ଥିତ ମହିଳା ବିସ୍କୁଟ ପାଇବା ପୂର୍ବରୁ କିଭଳି ସରିଗଲା ବୋଲି ମହିଳା ମାନେ ପ୍ରଶ୍ନ କରିବାରୁ, ମୁଁ କଣ କରିବି? ଯାହା ଆସିଥିଲା ଦିଆଗଲା ବର୍ତ୍ତମାନ ମୁଁ କେଉଁଠାରୁ ବିସ୍କୁଟ ଆଣି ବାଣ୍ଟିବି ବୋଲି ଓଲଟା ପ୍ରଶ୍ନ କରିଥିଲେ ବୋଲି ଉପସ୍ଥିତ ମହିଳାମାନେ ଅଭିଯୋଗ କରିଛନ୍ତି | ଏହି ଘଟଣା ପରେ ଧଳପୁର ପଞ୍ଚାୟତ ଅଞ୍ଚଳରେ ଭାରି ଅସନ୍ତୋଷ ଦେଖାଦେଇଛି । ମିଶନ ଶକ୍ତି ମହିଳାମାନେ ଏହାର ଉଚିତ ତଦନ୍ତ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏହି ସଚେତନତା କାର୍ଯ୍ୟକ୍ରମ ଆଗାମୀଦିନରେ ସମସ୍ତ ପଞ୍ଚାୟତରେ ଅଯୋଜିତ ହେବାକୁ ଥିବାବେଳେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏହାର କି ସମାଧାନ କରୁଛନ୍ତି ନା ଏଭଳି ଅବ୍ୟବସ୍ଥା ସବୁଠାରେ ଦେଖାଯିବ ତାହା ଦେଖିବାକୁ ବାକି ରହିଲା l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
