କୁଏତରେ ନୂଆଁଖାଇ ପାଳିତ
ଦିଲ୍ଲୀ କିମ୍ବା ଓଡ଼ିଶା ନୁହେଁ, ବରଂ ସୁଦୂର ମରୁଭୂମିର ଦେଶ କୁଏତ ରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଯାଇଛି ଓଡ଼ିଶାର ଗଣପର୍ବ ନୂଆଖାଇର ଏକ ଭବ୍ୟ ଏବଂ ସ୍ମରଣୀୟ ଉତ୍ସବ ‘ନୂଆଁଖାଇ ଭେଟ ଘାଟ ଓ ନବାନ୍ନ ଭକ୍ଷଣ’। କୁଏତ ଓଡ଼ିଶା ଆସୋସିଏସନ (KOA) ଆନୁକୂଲ୍ୟରେ ଏବଂ ଭାରତୀୟ ଦୂତାବାସ ପ୍ରାଙ୍ଗଣରେ ଆୟୋଜିତ ଏହି ମେଗା ଇଭେଣ୍ଟ କୁଏତ ଇତିହାସରେ ଏହିପରି ପ୍ରଥମ ପ୍ରୟାସ, ଯାହା ପ୍ରବାସୀ ଓଡ଼ିଆଙ୍କ ମନରେ ମାଟିର ମହକ ଭରିଦେଇଛି।
ମା’ ସମଲେଶ୍ୱରୀଙ୍କ ଆବାହନୀ ଏବଂ ପ୍ରସାଦ ସମର୍ପଣରୁ ଆରମ୍ଭ ହୋଇଥିବା ଏହି ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଶାସ୍ତ୍ରୀୟ ଓଡ଼ିଶୀ ଓ ଆଦିବାସୀ ଲୋକନୃତ୍ୟ ର ରଙ୍ଗାରଙ୍ଗ ପ୍ରଦର୍ଶନ ଏବଂ ସଂକୀର୍ତ୍ତନ ମାଧ୍ୟମରେ ମାତୃଭୂମି ପ୍ରତି କୃତଜ୍ଞତା ଜ୍ଞାପନ କରାଯାଇଥିଲା।
ଏହି ଐତିହାସିକ ଅବସର ପାଇଁ ଭାରତର ମାନ୍ୟବର ରାଷ୍ଟ୍ରପତି, ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ, ଓଡ଼ିଶା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ପଦ୍ମଶ୍ରୀ ହଳଧର ନାଗ, ଭାରତୀୟ ହକି ଇଣ୍ଡିଆ ର ସଭାପତି ଶ୍ରୀ ଦିଲୀପ ତିର୍କୀ ଏବଂ ପୂର୍ବତନ ପ୍ରବାସୀ ସଦସ୍ୟ ଡକ୍ଟର ଅସିତ ମହାନ୍ତିଙ୍କ ତରଫରୁ ଶୁଭେଚ୍ଛା ବାର୍ତ୍ତା ପ୍ରେରଣ କରାଯାଇଛି।
ଭାରତର ରାଷ୍ଟ୍ରଦୂତ Her Excellency ଶ୍ରୀମତୀ ପାରମିତା ତ୍ରିପାଠୀ ତାଙ୍କ ଉଦଘାଟନ ଉଦବୋଧନ ରେ ନୂଆଁଖାଇ ଜୁହାର , ଜୟ ମା ସମଲେଶ୍ୱରୀ ଓ ଜୟ ଜଗନ୍ନାଥ କହି ଦୂତାବାସ ର ପ୍ରେକ୍ଷାଳୟ କୁ ନେଇ ଯାଇଥିଲେ ସୁଦୂର ଓଡ଼ିଶା ଆଉ ମଧ୍ୟ କହିଲେ ଯେ ଏ ଗଣପର୍ବ ସମସ୍ତଙ୍କ ପାଇଁ ଶିକ୍ଷଣୀୟ, ଆମ ସୁନ୍ଦରଗଡ଼ ଜିଲ୍ଲା ର ସୁଯୋଗ୍ୟ ବରପୁତ୍ର ଶ୍ରୀ ମାନସ ରାଜ ପଟେଲ୍ ଅଧୁନା କୁଏତ୍ ସ୍ଥିତ ଭାରତୀୟ ଦୂତାବାସ ରେ ପ୍ରଥମ ସହକାରୀ ଭାବେ କାର୍ଯ୍ୟରତ ଓ KOA ର ଏହି ଅତୁଳନୀୟ ପ୍ରୟାସ କୁ ଭୂରି ସମ୍ବର୍ଦ୍ଧନା ଜଣାଇଛନ୍ତି


ପ୍ରମୁଖ ଆକର୍ଷଣ
ମା’ ସମଲେଶ୍ୱରୀ ଆବାହନୀ ଓ ପ୍ରସାଦ ସମର୍ପଣ: ପୂଜାର୍ଚ୍ଚନା ଏବଂ ମା’ଙ୍କ ଆବାହନୀ ଗୀତରେ ସାରା ଦୂତାବାସ ପ୍ରେକ୍ଷାଳୟ ଭକ୍ତିମୟ ହୋଇଉଠିଥିଲା। ପାରମ୍ପରିକ ରୀତିନୀତି ଅନୁଯାୟୀ ମା’ଙ୍କ ଚରଣରେ ପ୍ରଥମ ନବାନ୍ନ ପ୍ରସାଦ ଲାଗି କରାଯାଇଥିଲା।
ନୂଆଖାଇ ଭେଟଘାଟ: ସୁଦୂର କୁଏତରେ ରହୁଥିବା ସମସ୍ତ ଓଡ଼ିଆ ପରିବାର ଏକାଠି ହୋଇ ପରସ୍ପରକୁ ‘ନୂଆଖାଇ ଜୁହାର’ ଜଣାଇବା ସହ ବରିଷ୍ଠମାନଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।
ଶାସ୍ତ୍ରୀୟ ଓ ଆଦିବାସୀ ନୃତ୍ୟ: ଓଡ଼ିଶାର ସମୃଦ୍ଧ ନୃତ୍ୟ ସଂସ୍କୃତିର ଝଲକ ଦେଖିବାକୁ ମିଳିଥିଲା। ଶାସ୍ତ୍ରୀୟ ଓଡ଼ିଶୀ ଏବଂ ପଶ୍ଚିମ ଓଡ଼ିଶାର ଜୀବନ୍ତ ଆଦିବାସୀ ଓ ସମ୍ବଲପୁରୀ ନୃତ୍ୟର ପ୍ରଦର୍ଶନ ଦର୍ଶକଙ୍କୁ ବିମୋହିତ କରିଥିଲା।
ଭକ୍ତିମୟ ସଂକୀର୍ତ୍ତନ: ପାରମ୍ପରିକ ବାଦ୍ୟର ତାଳେ ତାଳେ ହରିନାମ ସଂକୀର୍ତ୍ତନ ସହ ଧରିତ୍ରୀ ମାତାଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା, ଯାହା ମାହୋଲକୁ ଆଧ୍ୟାତ୍ମିକ କରିଦେଇଥିଲା।
ଏହି ଅଭୂତପୂର୍ବ ଆୟୋଜନ ପାଇଁ ଭାରତ ଓ ଓଡ଼ିଶାର ଅନେକ ବିଶିଷ୍ଟ ବ୍ୟକ୍ତିତ୍ୱ ସେମାନଙ୍କର ଶୁଭକାମନା ଜଣାଇଛନ୍ତି:
କୁଏତ ଓଡ଼ିଶା ଆସୋସିଏସନର ଏହି ଐତିହାସିକ ପ୍ରୟାସ ପ୍ରମାଣିତ କରିଛି ଯେ, ଓଡ଼ିଆ ଜଗନ୍ନାଥ ସଂସ୍କୃତି ଓ ନୂଆଖାଇର ପରମ୍ପରା ଭୌଗୋଳିକ ସୀମା ସରହଦର ବହୁ ଊର୍ଦ୍ଧ୍ୱରେ। ଏହି କାର୍ଯ୍ୟକ୍ରମ କୁଏତରେ ବସବାସ କରୁଥିବା ଓଡ଼ିଆଙ୍କ ପାଇଁ ଏକ ଅଭୁଲା ସ୍ମୃତି ହୋଇ ରହିବ।Koa ସଭାପତି ଶ୍ରୀ ଅସୀମାନନ୍ଦ ମୁଣ୍ଡ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ଭାରତୀୟ ଦୂତାବାସ ଏବଂ koa ର ସମସ୍ତ ସଦସ୍ୟ, ପରିବାର ବର୍ଗଙ୍କୁ ଧନ୍ୟବାଦ ଓ ନୂଆଁଖାଇ ଜୁହାର ଜଣାଇଛନ୍ତି
