ଶ୍ରୀମନ୍ଦିର ବାହ୍ୟ ପରିକ୍ରମା ମାର୍ଗ ଏବେ ଅବ୍ୟବସ୍ଥା ଘେରରେ
ଶ୍ରୀମନ୍ଦିର ବାହ୍ୟ ପରିକ୍ରମା ମାର୍ଗ ଏବେ ଅବ୍ୟବସ୍ଥା ଘେରରେ। ବାହ୍ୟ ପରିକ୍ରମା ମାର୍ଗ ରେ ଅଳିଆ ଆବର୍ଜନା ଭର୍ତ୍ତି ହୋଇରହିଛି। ଫଳରେ ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଥିବା ବେଳେ ଦୁର୍ଗନ୍ଧମୟ ପରିବେଶ ଯୋଗୁ ଶ୍ରୀ ମନ୍ଦିର କୁ ଆସୁଥିବା ଶ୍ରଦ୍ଧାଳୁ ମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ହେଲେ ଦୁର୍ଭାଗ୍ୟ ର କଥା ଏହାର ନିରାକରଣ ଦିଗରେ ପ୍ରଶାସନ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି। ଶ୍ରୀ ମନ୍ଦିର ବାହ୍ୟ ପରିକ୍ରମା ମାର୍ଗ ରୁ ନିୟମିତ ଆବର୍ଜନା ସଫେଇ ହେଉନି। ଗଡନ୍ତି ଛକ ନିକଟ ରେ ଆବର୍ଜନା ର ପାହାଡ ସୃଷ୍ଟି ହୋଇଛି। ନିକଟ ରେ ପରିବା ବଜାର ଥିବାରୁ ପଚା ପାନିପରିବା, ପଇଡ, କୁଡୁଆ, ବିଭିନ୍ନ ଆବର୍ଜନା ଏଠାରେ ପକାଯାଉଛି। ଯାହା ଫଳରେ ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। କେବଳ ସେତିକି ନୁହେଁ ଶ୍ରୀ ମନ୍ଦିର ସିଂହ ଦ୍ଵାର ସମ୍ମୁଖ ବାହ୍ୟ ପରିକ୍ରମା ମାର୍ଗ ଏବେ ମୁକ୍ତ ଶୌଚାଳୟ ପରିଣତ ହୋଇଛି। ସେଠାରେ ଲୋକ ମାନେ ଝାଡ଼ା, ପରିସ୍ରା କରୁଥିବାରୁ ଦୁର୍ଗନ୍ଧମୟ ପରିବେଶ ଯୋଗୁ ଶ୍ରଦ୍ଧାଳୁ ଯାତାୟାତ କରିପାରୁନାହାନ୍ତି। ଶ୍ରୀ ମନ୍ଦିର ଆଧ୍ୟାତ୍ମିକ ପରିବେଶ ନଷ୍ଟ ହେଉଛି। ଲୋକ ମାନେ ସଚେତନ ନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ତେବେ ସିଂହ ଦ୍ଵାର ସମ୍ମୁଖ ବାହ୍ୟ ପରିକ୍ରମା ମାର୍ଗ ରେ ଶୌଚାଳୟ ବ୍ୟବସ୍ଥା ମଧ୍ୟ ନାହିଁ। ଫଳରେ ଲୋକ ମାନେ ରାସ୍ତା କଡରେ ଝାଡ଼ା ପରିସ୍ରା କରୁଛନ୍ତି। କେବଳ ସେତିକି ନୁହେଁ ଜଗନ୍ନାଥ୍ ବଲ୍ଲଭ ପାର୍କିଂ ରୁ ଶ୍ରୀ ମନ୍ଦିର ଯାଏ ନିର୍ମାଣ ହୋଇଥିବା ନୂଆ ଶ୍ରୀମାର୍ଗ ରାସ୍ତା ରେ ମଧ୍ୟ ଅଳିଆ ଆବର୍ଜ୍ଜନା ଡମ୍ପିଂୟାର୍ଡ ପାଲଟିଛି। ରାସ୍ତା କଡ଼ରେ ଲୋକ ମାନେ ଆବର୍ଜନା ପକାଉଥିବା ବେଳେ ଏହା ନିୟମତ ସଫେଇ ହେଉନି। ଯାହା ଦ୍ୱାରା ଅଳିଆ ଆବର୍ଜ୍ଜନା ଜମି ଦୁର୍ଗନ୍ଧମୟ ପରିବେଶ୍ ସୃଷ୍ଟି ହୋଇଥିବାରୁ ସେହି ବାଟ ଦେଇ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଯିବାକୁ ନାକ ଟେକୁଛନ୍ତି। ଶ୍ରୀ ମନ୍ଦିର ପରିକ୍ରମା ମାର୍ଗ, ଶ୍ରୀ ମାର୍ଗ ର ରକ୍ଷଣାବେକ୍ଷଣ, ସ୍ଵଚ୍ଛତା ପାଇଁ ପୁରୀ ପୌରପାଳିକା ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଶ୍ରୀ ମନ୍ଦିର ପରିକ୍ରମା ମାର୍ଗ, ଶ୍ରୀ ମାର୍ଗ ର ଅବ୍ୟବସ୍ଥା କୁ ନେଇ ପୁରୀ ପୌରପାଳିକା ର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ସୃଷ୍ଟି କରିଛି। ତୁରନ୍ତ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରି ଶ୍ରୀ ମନ୍ଦିର ପରିକ୍ରମା ବାହ୍ୟ ମାର୍ଗ, ଶ୍ରୀ ମାର୍ଗ ରେ କିଭଳି ସ୍ୱଚ୍ଛତା ବଜାୟ ରହିବ ଏବଂ ଶ୍ରଦ୍ଧାଳୁ, ପର୍ଯ୍ୟଟକ ଏକ ଭଲ ଅନୁଭୂତି ନେଇ ଫେରିବେ ସେ ଦିଗରେ ପଦକ୍ଷେପ ନେବାକୁ ବୁଦ୍ଧିଜୀବି, ପୁରୀ ବାସିନ୍ଦା ଦାବି କରିଛନ୍ତି।

ଜଗନ୍ନାଥପ୍ରେମୀ ସୌମ୍ୟ ରଞ୍ଜନ ପାତ୍ର ନିଜ ପ୍ରତିକ୍ରିୟାରେ କୁହନ୍ତି, ସରକାର ଶ୍ରଦ୍ଧାଳୁ ଙ୍କ ସୁବିଧା ପାଇଁ ଯେଉଁ ଶ୍ରୀ ମନ୍ଦିର ପରିକ୍ରମା ମାର୍ଗ କଲେ ତାହା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। ଶ୍ରୀ ମନ୍ଦିର ପରିକ୍ରମା ମାର୍ଗ ର ବାହ୍ୟ ମାର୍ଗ ରେ ଲୋକ ମାନେ ଅଳିଆ ଆବର୍ଜ୍ଜନା ପକାଉଛନ୍ତି। ଯାହାକୁ ନୀୟମିତ ସଫା କରାଯାଉନି। ଯାହାକି ଏତେ ମାତ୍ରା ରେ ଦୁର୍ଗନ୍ଧ ହେଉଚି ଯେ ରାସ୍ତା ରେ ଯାତାୟାତ କରିବା ଅସମ୍ଭବ ହୋଇ ପଡୁଛି। ଯାହା ପ୍ରତୀକାର ପାଇଁ ପ୍ରଶାସନ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି। ଆମ ଲୋକ ମାନେ ମଧ୍ୟ ସଚେତନ ନାହାନ୍ତି। ଅନେକ ନୂଆ ଟଏଲେଟ୍ ପଡ଼ି ନଷ୍ଟ ହେଉଥିବା ବେଳେ ତାହାକୁ ଜଦି ଶ୍ରୀ ମନ୍ଦିର ବାହ୍ୟ ପରିକ୍ରମା ମାର୍ଗ ରେ ରଖାଯାଆନ୍ତା ତାହା ହେଲେ ଲୋକ ମାନେ ରାସ୍ତା କଡରେ ଶୌଚ ହେବେନି। ପରିବେଶ ମଧ୍ୟ ଦୂଷିତ ହେବ ନାହିଁ। ପୁରୀ ସହର ରେ ଯଦି କିଛି ଅଧିକ ଶୌଚାଳୟ ବ୍ୟବସ୍ଥା କରାଜାଆନ୍ତା ତାହା ହେଲେ ପର୍ଯ୍ୟଟକ ମାନେ ବହୁ ସୁବିଧା ପାଇବେ। ପର୍ଯ୍ୟାପ୍ତ ଶୌଚାଳୟ ନଥିବାରୁ ବାହାରେ ଲୋକ ମାନେ ଝାଡ଼ା ପରିସ୍ରା ଯାଉଥିବାରୁ ପରିବେଶ ଦୂଷିତ ହେବାରେ ଲାଗିଛି। ଯାହାକି ବେଶ୍ ଚିନ୍ତା ଜନକ।

ପୁରୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ନିଜ ପ୍ରତିକ୍ରିୟାରେ କୁହନ୍ତି, ଏବେ ପର୍ଯ୍ୟଟନ ଋତୁ ଚାଲିଛି। ସଫେଇ କାର୍ଯ୍ୟ କୁ ଅଧିକ ଜୋରଦାର କରିବାକୁ ଅଧିକ ଲୋକ ଙ୍କୁ ନିୟୋଜିତ କରାଯାଇଛି। ଶ୍ରୀ ମନ୍ଦିର ଚାରିପାଖ, ବଡ ଦାଣ୍ଡ, ପୁରୀ ସହର ର ସବୁ ସାହିରେ ସଠିକ୍ ଢଙ୍ଗରେ ସଫେଇ ପାଇଁ ଅଧିକ ଲୋକ ଙ୍କୁ ନେଇ କାର୍ଯ୍ୟ କରାଯାଉଛି। ଏଣୁ ସଫେଇ କୁ ନେଇ କିଛି ସମସ୍ୟା ନାହିଁ। ଶ୍ରୀ ମନ୍ଦିର ପରିକ୍ରମା ମାର୍ଗ ରେ ପର୍ଯ୍ୟାପ୍ତ ଟଏଲେଟ୍ ବ୍ୟବସ୍ଥା ରହିଛି। ଲୋକ ମାନଙ୍କ ଭିତରେ ସଚେତନତା ଅଭାବ ହେତୁ ସେମାନେ ରାସ୍ତା କଡ ରେ ପରିସ୍ରା କରୁଛନ୍ତି। ସେମାନେ ପରିକ୍ରମା ମାର୍ଗ ରେ ଥିବା ଶୌଚାଳୟ ବ୍ୟବହାର କରିବା ଉଚିତ। ଶ୍ରୀ ମନ୍ଦିର ପରିକ୍ରମା ମାର୍ଗ, ଶ୍ରୀମାର୍ଗ ର ସଫେଇ ଶ୍ରୀ ମନ୍ଦିର ପ୍ରଶାସନ ଦ୍ୱାରା ଦିଆଯାଇଥିବା ଏକ ଏଜେନ୍ସୀ ଦ୍ୱାରା କରାଯାଉଛି। ଶ୍ରୀମାର୍ଗ ର ବାହାର ସ୍ଥାନ ଗୁଡିକୁ ପୌରପାଳିକା ସଫେଇ କରୁଛି। ସଠିକ୍ ଭାବରେ ମଧ୍ୟ ସଫେଇ ହେଉଛୁ । ତେବେ ଗଡନ୍ତି ଛକ ନିକଟ ରେ ପରିବା ବଜାର ଥିବାରୁ ଉକ୍ତସ୍ଥାନ ଆବର୍ଜନା ହେଉଚି। ତେବେ ଆମେ ମଧ୍ୟ ଆବର୍ଜନା କୁ ସଫେଇ କରୁଚୁ। ତେବେ ସେଠାରେ କିଭଳି ସ୍ବଚ୍ଛତା ବଜାୟ ରହିବ ସେ ନେଇ ପଦକ୍ଷେପ ନେବୁ। ତେବେ ଜଗନ୍ନାଥ୍ ବଲ୍ଲଭ ରେ ଅକାମୀ ହୋଇ ପଡ଼ିଥିବା ଟଏଲେଟ୍ ଶ୍ରୀ ମନ୍ଦିର ପ୍ରଶାସନ ର। ତାଙ୍କ ଆମେ ଆଲୋଚୋନା କରି କିଭଳି ଟଏଲେଟ୍ କୁ ସର୍ବସାଧାରଣ ବ୍ୟବହାର ପାଇଁ ଉପୋଯୋଗ କରାଯାଇ ପାରିବ ସେ ନେଇ ପଦକ୍ଷେପ ନେବୁ।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
