ସୁବର୍ଣ୍ଣପୁରରେ ଜିଲ୍ଲା ସ୍ତରୀୟ ଜାତୀୟ ଶିଶୁ କନ୍ୟା ଦିବସ–୨୦୨୬ ପାଳିତ l
ସୁବର୍ଣ୍ଣପୁର ଠାରେ ଜିଲ୍ଲା ସ୍ତରୀୟ ଜାତୀୟ ଶିଶୁ କନ୍ୟା ଦିବସ–୨୦୨୬ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଛାତ୍ରଛାତ୍ରୀ ଏବଂ ତୃଣମୂଳ ସ୍ତରର ମହିଳାମାନଙ୍କୁ ଶିଶୁମାନଙ୍କ ସୁରକ୍ଷା, ବାଲ୍ୟବିବାହରୁ ମୁକ୍ତି ଏବଂ ବିଧବା ବିବାହ ଉପରେ ଗୁରୁତ୍ୱ ଦେଇଥିଲେ । ସେ ଛାତ୍ରୀମାନଙ୍କୁ ଉଦବୋଧନ ଦେଇ ନାରୀମାନଙ୍କର ଉପଲବ୍ଧି ବିଷୟରେ ସ୍ମରଣ କରାଇଥିଲେ ଏବଂ ସମସ୍ତ ଉପସ୍ଥିତ ବ୍ୟକ୍ତିଙ୍କୁ ନିଜ ସ୍ତରରେ ବିଧବା ବିବାହକୁ ପ୍ରୋତ୍ସାହନ ଦେବାପାଇଁ କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ ) ରାଜେନ୍ଦ୍ର ମାଝୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ରେଣୁକା ସୁନା, ସୋନପୁର ଉପଜିଲ୍ଲାପାଳ ଡ଼. ସୌମ୍ୟାରୂପା ରଥ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଚତୁର୍ଭୁଜ ଦାସ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ବୀଣାପାଣି ମିଶ୍ର ପ୍ରମୁଖ ମଞ୍ଚରେ ଉପସ୍ଥିତ ରହି ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ଶିଶୁ କନ୍ୟା ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଥିଲେ । ଉପଜିଲ୍ଲାପାଳ ଡ଼. ସୌମ୍ୟାରୂପା ରଥ କହିଥିଲେ ଯେ ନାରୀମାନେ ଆଜିକା ଦିନରେ କିଛି ମଧ୍ୟ କରିପାରିବେ ଏବଂ ନିଜ ଇଚ୍ଛାଅନୁସାରେ ଲକ୍ଷ୍ୟ ପ୍ରାପ୍ତି ପାଇଁ ପ୍ରୟାସୀ ହେବା ଉଚିତ । ସେ ଶାରୀରିକ ଭାବେ ଶକ୍ତିଶାଳୀ ହେବା ସହିତ ମୋବାଇଲ ଫୋନ୍ରୁ ଦୂରେଇ ରହି ବହି ପଢ଼ିବାକୁ ପରାମର୍ଶ ଦେଇଥିଲେ ।ପରିଶେଷରେ ଜାତୀୟ ଶିଶୁ କନ୍ୟା ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
