March 14, 2026
Home » ବରଗଡ଼ରେ ଆରମ୍ଭ ହେଲା ‘ସୁଭଦ୍ରା ଶକ୍ତି ମେଳା

ବରଗଡ଼ରେ ଆରମ୍ଭ ହେଲା ‘ସୁଭଦ୍ରା ଶକ୍ତି ମେଳା

0
WhatsApp Image 2026-02-18 at 4.29.39 AM

 

 

ବରଗଡ଼: ବରଗଡ଼ ସ୍ଥିତ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ସୁଭଦ୍ରା ଶକ୍ତି ମେଳା ଶୁଭାରମ୍ଭ ହୋଇଛି । ମାନ୍ୟବର ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମେଳକୁ ଉଦ୍ଘାଟନ କରିବା ସହ କହିଛନ୍ତି ଯେ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ, ନାରୀମାନେ ଆଜି ପ୍ରତ୍ୟେକ କ୍ଷେତ୍ରରେ ନିଜ ସାମର୍ଥ୍ୟ, ସୃଜନଶୀଳତା ଓ ଉଦ୍ୟୋଗୀତାର ପରିଚୟ ଦେଉଛନ୍ତି। ଏହି ଅପ୍ରତିମ ନାରୀ ଶକ୍ତିକୁ ସମ୍ମାନ ଜଣାଇ ସୁଭଦ୍ରା ମା’ମାନଙ୍କ ଅନ୍ତର୍ନିହିତ ଶକ୍ତିର ଜାଗରଣ ପାଇଁ ମିଶନ ଶକ୍ତି ବିଭାଗ ପ୍ରତ୍ୟକ ଜିଲ୍ଲାରେ ଆୟୋଜନ କରୁଛି “ସୁଭଦ୍ରା ଶକ୍ତି ମେଳା । ‘ସୁଭଦ୍ରା ଶକ୍ତି ମେଳା’ ଓଡ଼ିଶାର ମା’, ଭଉଣୀ ଏବଂ ଝିଅମାନଙ୍କର ପ୍ରତିଭା, ଦକ୍ଷତା ଓ ଉଦ୍ୟମର ନିଦର୍ଶନ। ପ୍ରତ୍ୟେକ ମହିଳା କିଭଳି ଦକ୍ଷ ଉଦ୍ୟୋଗୀ ହୋଇ ଆର୍ଥିକ ସ୍ୱତନ୍ତ୍ରତା ହାସଲ କରି ଓଡ଼ିଶା ଅର୍ଥନୀତିର ମେରୁଦଣ୍ଡ ହେବେ, ସରକାର ସେଥିପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।

 

ଆସନ୍ତା ୨୩ ଫେବୃଆରୀ, ୨୦୨୬ ଅନୁଷ୍ଠିତ ହେବାକୁ ଥିବା ଏହି ମେଳାରେ ରାଜ୍ୟର ସମସ୍ତ ଜିଲ୍ଲାରୁ ୨୦୦ରୁ ଉର୍ଦ୍ଧ୍ଵ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଭାଗନେଇ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ପ୍ରଦର୍ଶନ ଓ ବିପଣନ କରିବେ। ମେଳାରେ ବରଗଡ଼ ଜିଲ୍ଲାର ସମ୍ବଲପୁରି ବାନ୍ଧକଳା, ସମ୍ବଲପୁରି ପାରମ୍ପରିକ ଅଳଙ୍କାର, ହସ୍ତଶିଳ୍ପ – ବାଉଁଶ ଓ କାଠ କାରିଗରି, ଟେରାକୋଟା, ମିଲେଟ୍ , କଳାଜିରା ଚାଉଳ, ରସତଲା ମିଠା, କୋଶଳ ସାବୁନ, ସ୍ଥାନୀୟ ମହିଳା ପ୍ରସ୍ତୁତ କରିଥିବା ଅଗରବତୀ, ଆୟୁର୍ବେଦିକ ମେଡିସିନ୍ ଆଦି ବିଶେଷ ଦ୍ରବ୍ୟ ବିକ୍ରି କରାଯିବା ସହ ବିଭିନ୍ନ ଜିନିଷର ପ୍ରସ୍ତୁତି ଠାରୁ ଆରମ୍ଭ କରି ପେକେଜିଂ ପ୍ରକ୍ରିୟା ଲାଇଭ୍ ଡେମୋ ପ୍ରଦର୍ଶନ କରାଯିବ । ଏହି ମେଳା କେବଳ କ୍ରୟ ବିକ୍ରୟର ମଞ୍ଚ ନୁହେଁ, ବରଂ ନାରୀମାନଙ୍କର ଆତ୍ମବିଶ୍ଵାସ, ସଫଳତା ଓ ସାମାଜିକ ସଶକ୍ତିକରଣର ଏକ ଉଜ୍ଜ୍ଵଳ ପ୍ରତୀକ। ଏହି ମେଳାରେ ବିବିଧ ହସ୍ତତନ୍ତ, ହସ୍ତଶିଳ୍ପ, ଖାଦ୍ୟ ଓ ଅଣ କାଷ୍ଠ ଜଙ୍ଗଲ ଉତ୍ପାଦ ପ୍ରଦର୍ଶିତ ହେବ। ପରିଦର୍ଶକ ଅତିଥିମାନେ ଏଠାରେ ଲୁଗାପଟା, ଖାଦ୍ୟଶସ୍ୟ, ଗୃହ ସାଜସଜ୍ଜା ଓ ଘରକରଣା ଜିନିଷର ଅପୂର୍ବ ସମ୍ଭାର କିଣିପାରିବେ। ଏହା ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ, ଯେଉଁଠାରେ ସେମାନେ ନିଜର ଉତ୍ପାଦକୁ ବିଶାଳ ବଜାରରେ ପ୍ରଦର୍ଶନ କରି ନୂତନ ଗ୍ରାହକ ଓ ସମ୍ଭାବନାର ଦ୍ଵାର ଖୋଲିବେ।

ଦୀର୍ଘ ୭ ଦିନର ଧରି ଚାଲିବାକୁ ଥିବା ଏହି ମେଳାରେ ଦର୍ଶକମାନେ ଅନୁଭବ କରିବେ ଓଡ଼ିଶାର ସଂସ୍କୃତି, ନାରୀ ଶକ୍ତି ଓ ପାରମ୍ପାରିକ ସ୍ଵାଦର ଅନୁପମ ସଂଗମ। ପ୍ରତିଦିନ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ, ଯେଉଁଥିରେ ଦେଖିବାକୁ ମିଳିବ ସ୍ଥାନୀୟ ଲୋକ ନୃତ୍ୟ ସହ ଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ଅଙ୍କିତ ରାଜ, ଅର୍ଚ୍ଚନା ପାଢ଼ୀ, ରୁକୁ ସୁନା, ଆଶିଷ କୁମାର,ବର୍ଣ୍ଣାଳୀ ହୋତା ଏବଂ ଶାଶ୍ଵତ ତ୍ରିପାଠୀଙ୍କ ସଙ୍ଗୀତ ପରିବେଷଣର ସଂଗୀତ ସନ୍ଧ୍ୟା । ଏତଦବ୍ୟତୀତ ପ୍ରଥମଥର ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ପ୍ରସ୍ତୁତ ହସ୍ତତନ୍ତ ଓ ପୋଷାକର ଫ୍ୟାଶନ୍ ସୋ ଆୟୋଜିତ ହେବାକୁ ଯାଉଥିବା ବେଳେ, ଦର୍ଶକ ମାନେ ୫୦ଟି ସ୍ଵତନ୍ତ୍ର ଖାଦ୍ୟ ଷ୍ଟଲରେ ମିଲେଟ୍ ଭିତ୍ତିକ ସ୍ଵାସ୍ଥ୍ୟକର ଖାଦ୍ୟ ସହିତ ବିବିଧ ପାରମ୍ପରିକ ଓଡ଼ିଆ ଖାଦ୍ୟ ଉପଭୋଗ କରିପାରିବେ।

ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇଙ୍କ ସମେତ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣୀ ସନ୍ଧ୍ୟାରାଣୀ ନେପାକ ଏବଂ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୟଲ ଉଦ୍ଘାଟନୀ ସମରହରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ, ଏହି ମେଳା ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ ନିଜର ଉତ୍ପାଦକୁ ବୃହତ ବଜାର ସହିତ ସଂଯୋଗ କରି ଆୟ ବୃଦ୍ଧି ଓ ଆତ୍ମନିର୍ଭରତା ଅର୍ଜନ କରିବେ। ଏହା ସେମାନଙ୍କୁ ଏକ ସ୍ଵତନ୍ତ୍ର ପରିଚୟ ପ୍ରଦାନ କରିବା ସହ “ଲକ୍ଷପତି ଦିଦି” ହେବା ସ୍ଵପ୍ନକୁ ସାକାର କରିବ।

ମିଶନ ଶକ୍ତିର ଏହି ପଦକ୍ଷେପ “ବିକଶିତ ଓଡ଼ିଶା ୨୦୩୬” ଓ “ବିକଶିତ ଭାରତ ୨୦୪୭”ର ସ୍ଵପ୍ନକୁ ଆହୁରି ସୁଦୃଢ କରିବ।ଦିବା ୧୧ରୁ ରାତି ୧୦ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ଦର୍ଶକମାନେ ସପରିବାର ପଦାର୍ପଣ କରି ଓଡ଼ିଶାର ନାରୀ ଶକ୍ତିର ସୃଜନଶୀଳତା, ହସ୍ତଶିଳ୍ପ ଓ ସଂସ୍କୃତିର ଏହି ଅନୁପମ ସମାହାରକୁ ସଫଳ କରିବା ପାଇଁ ମାନ୍ୟବର ସାଂସଦ ଶ୍ରୀ ପୁରହିତ ଆମନ୍ତ୍ରଣ କରିଥିଲେ ।

ଇପିଏର ଜିଲ୍ଳା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ(ଇଷ୍ଟର୍ଣ୍ଣ ପ୍ରେସ୍‌ ଏଜେନ୍‌ସୀ) ରିପୋର୍ଟ,

Leave a Reply

Your email address will not be published. Required fields are marked *