March 16, 2026
Home » ଗ୍ୟାସ ସଙ୍କଟ ପର୍ଯ୍ୟଟକ ଙ୍କ ଆଗମନ ମଧ୍ୟ ହ୍ରାସ

ଗ୍ୟାସ ସଙ୍କଟ ପର୍ଯ୍ୟଟକ ଙ୍କ ଆଗମନ ମଧ୍ୟ ହ୍ରାସ

0
WhatsApp Image 2026-03-15 at 5.44.49 PM

କମର୍ସିଆଲ ଗ୍ୟାସ ସଙ୍କଟ ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ କୁ ଗୁରୁତର ପ୍ରଭାବିତ କରିବାରେ ଲାଗିଛି।ହୋଟେଲ କୁ କମର୍ସିଆଲ ଗ୍ୟାସ ଯୋଗାଣ ଗତ ୪ ରୁ ୫ ଦିନ ହେବ ସମ୍ପୂର୍ଣ ବନ୍ଦ ରହିଛି। ଫଳରେ ହୋଟେଲ ଓ ରେଷ୍ଟୁରାଣ୍ଟ ରେ ଖାଦ୍ୟ ପ୍ରସ୍ତୁତ ହୋଇପାରୁନି। ଖାଦ୍ୟ ମିଳିବାରେ ଅବ୍ୟବସ୍ଥା ଲାଗି ରହିଥିବାରୁ ପୁରୀ କୁ ପର୍ଯ୍ୟଟକ ଙ୍କ ଆଗମନ ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଗତ ୪ ରୁ ୫ ଦିନ ହେବ ପୁରୀ ରେ ଥିବା ଅନେକ ହୋଟେଲ ଗୁଡ଼ିକରେ ଆଉ ନୁଆ ବୁକିଙ୍ଗ ଆସିନାହିଁ। ଗତ ୧୫ ଦିନ ପୂର୍ବରୁ ଯେଉଁ ପର୍ଯ୍ୟଟକ ମାନେ ହୋଟେଲ ବୁକିଂ କରିଥିଲେ ସେହିମାନେ ହିଁ କେବଳ ହୋଟେଲ ରେ ରହୁଛନ୍ତି। ତେବେ ରନ୍ଧନ ଗ୍ୟାସ ଯୋଗାଣ ବନ୍ଦ ଥିବାରୁ ହୋଟେଲ ରେ ଥିବା ପର୍ଯ୍ୟଟକ ଙ୍କୁ ତାଙ୍କ ରୁଚି ଅନୁଯାୟୀ ମନ ପସନ୍ଦ ର ଖାଦ୍ୟ ଓ ବ୍ୟଞ୍ଜନ ଆଉ ଯୋଗାଇ ପାରୁନାହାଁନ୍ତି ହୋଟେଲ ଓ ରେଷ୍ଟୁରାଣ୍ଟ।ଅନେକ ହୋଟେଲ ନିଜର ଖାଦ୍ୟ ମେନୁ କୁ କାଣ୍ଟଛାଣ୍ଟ୍ କରି ମାତ୍ର କିଛି ହାତ ଗଣତି ଖାଦ୍ୟ ବ୍ୟଞ୍ଜନ ପ୍ରସ୍ତୁତ କରି ଅତିଥି ଙ୍କୁ ଦେଉଛନ୍ତି।

କେତେକ ହୋଟେଲ ରେ ଗ୍ୟାସ ଆଉ ନଥିବାରୁ ହୋଟଲ ଓ ରେଷ୍ଟୁରାଣ୍ଟ ବନ୍ଦ କରିଦେଇଛନ୍ତି। କେତେକ ହୋଟେଲ ନିଜ ପାଖରେ ଥିବା ଅଳ୍ପ କିଛି ଗ୍ୟାସ ସିଲିଣ୍ଡର କୁ ଅଳ୍ପ ପରିମାଣରେ ବ୍ୟବହାର ପାଇଁ କାଠ ଚୁଲି ଲଗାଇ ରୋଷେଇ କରୁଚନ୍ତି। ଏଭଳି ଅବ୍ୟବସ୍ଥା କୁ ନେଇ ହୋଟେଲିୟର ଏବେ ଚିନ୍ତାରେ ପଡିଯାଇଛନ୍ତି। ଏଭଳି ସ୍ଥିତି ଆଉ ଦିନେ କି ଦୁଇ ଦିନ ଲାଗି ରହିଲେ ପୁରୀ ସହର ରେ ଥିବା ସବୁ ହୋଟେଲ ଓ ରେଷ୍ଟୁରାଣ୍ଟ ବନ୍ଦ ହୋଇଯିବ ଆଶଙ୍କା କରିଛନ୍ତି ହୋଟେଲିୟର। ପର୍ଯ୍ୟଟକ ମାନେ ଏବେ ରୁମ୍ ବୁକ୍ କରିବା ପୂର୍ବରୁ ହୋଟେଲ ଓ ରେଷ୍ଟୁରାଣ୍ଟ ସ୍ଵାଭାବିକ ଭାବେ ଖାଦ୍ୟ ପ୍ରସ୍ତୁତ କରାଯାଉଛି କି ନାହିଁ ତାହା ପଚାରୁଛନ୍ତି। ଗ୍ୟାସ ଅଭାବ ରୁ ଖାଦ୍ୟ ପ୍ରସ୍ତୁତି ରେ ସମସ୍ୟା ବିଷୟରେ ଅବଗତ ହେବା ପରେ ପୁରୀ ଆସିବାକୁ ଯୋଜନା କରିଥିବା ପର୍ଯ୍ୟଟକ ମାନେ ଏବେ ପୁରୀ ଆସିବା ଯୋଜନା କୁ ବାତିଲ କରୁଛନ୍ତି। ଏଣୁ ପୁରୀ କୁ ଗତ ୪ ରୁ ୫ ଦିନ ହେବ ଯଥେଷ୍ଟ ପର୍ଯ୍ୟଟକ ଙ୍କ ଆଗମନ ହ୍ରାସ ପାଇବାରେ ଲାଗିଛି।

 

ପୁରୀ ବେଳାଭୂମି, ଶ୍ରୀମନ୍ଦିର ସମେତ ପୁରୀ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଏବେ ଖାଁ ଖାଁ ଦୃଶ୍ୟ ଦେଖିବାକୁ ମିଳୁଛି। ତେବେ ପର୍ଯ୍ୟଟକ ଙ୍କ ଆଗମନ ନ ହେଲେ ଆଗାମୀ ଦିନରେ ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ ବ୍ୟାପକ କ୍ଷତିଗ୍ରସ୍ତ ହେବ ବୋଲି ପୁରୀ ହୋଟେଲ ଆସୋସିଏସନ୍ ଅନୁମାନ କରୁଛି। ଯାହା ସିଧାସଳଖ ସ୍ଥାନୀୟ ଛୋଟ ଛୋଟ ବ୍ୟବସାୟୀ ଙ୍କ ଉପରେ ପଡ଼ିବ। ପର୍ଯ୍ୟଟକ ଆଗମନ ହ୍ରାସ ପାଇଲେ ପର୍ଯ୍ୟଟକ ଙ୍କ ଉପରେ ନିର୍ଭରଶୀଳ ସବୁ ଛୋଟ ବଡ ବ୍ୟବସାୟୀ କ୍ଷତିଗ୍ରସ୍ତ ହେବେ। ଲୋକ ଙ୍କ ଆର୍ଥିକ ସ୍ଥିତି ବିଗିଡିବା ର ସମ୍ଭାବନା ରହିଚି। କରଣ ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ହଜାର ହଜାର ଲୋକ ଙ୍କ ଜୀବନ ଜୀବିକା ନିର୍ଭର ରହିଛି। ହୋଟେଲ କୁ ପର୍ଯ୍ୟଟକ ନଆସିଲେ ହୋଟେଲ ର ଆୟ ଉପରେ ପ୍ରଭାବ ପଡ଼ିବ। ଫଳରେ ହୋଟେଲ ରେ କାର୍ଯ୍ୟ କରୁଥିବା କର୍ମଚାରି ଙ୍କ ଦରମା , ବିଦ୍ୟୁତ୍ ଦେୟ, ବ୍ୟାଙ୍କ ଋଣ କିସ୍ତି ଓ ଅନ୍ୟାନ୍ୟ ଖର୍ଚ୍ଚ କିଭଳି ପରିଚାଳନା କରିହେବ ସେ ନେଇ ଚିନ୍ତାରେ ହୋଟେଲ ବ୍ୟବସାୟୀ। ଏଣୁ ରାଜ୍ଯ ସରକାର ଯଥାଶୀଘ୍ର ହଜାର ହଜାର ଲୋକଙ୍କ ଜୀବନ ଜୀବିକା ସହ ଜଡ଼ିତ ଥିବା ହୋଟେଲ ଶିଳ୍ପ କୁ ରକ୍ଷା କରିବା ପାଇଁ ପଦକ୍ଷେପ ସ୍ୱରୁପ କମର୍ସିଆଲ ଗ୍ୟାସ ଯୋଗାଣ କୁ ସ୍ଵାଭାବିକ କରିବାକୁ ପୁରୀର ହୋଟେଲିୟର ମାନେ ସରକାର ଙ୍କୁ ଅନୁରୋଧ କରିଛନ୍ତି। ପୁରୀ ସହର ରେ ପୁରୀ ହୋଟେଲ ଆସୋସିଏସନ୍ ଅଧୀନରେ ୧୬୬ ଟି ବଡ ହୋଟେଲ ରହିଛି। ତେବେ ଏହାକୁ ଛାଡ଼ି ଲଜ୍, ଗେଷ୍ଟ ହାଉସ, ହୋମ ଷ୍ଟେ କୁ ମିଶାଇଲେ ଏହି ସଂଖ୍ୟା ଏକ ହଜାର ରୁ ଅଧିକ ହେବ।

ହୋଟେଲ ଭିବ୍ରାନସ୍ ର ଜେନେରାଲ ମ୍ୟାନେଜର ସନ୍ତୋଷ କୁମାର ସାହୁ ନିଜ ପ୍ରତିକ୍ରିୟାରେ କୁହନ୍ତି, ହୋଟେଲ କୁ କମର୍ସିଆଲ ଗ୍ୟାସ ଯୋଗାଣ ବନ୍ଦ ଥିବାରୁ ଅନେକ ଭେରାଇଟ ଖାଦ୍ୟ ପ୍ରସ୍ତୁତ କରିବା ଆମେ ବନ୍ଦ ରଖିଛୁ । ଆମେ ମେନୁ କୁ କାଣ୍ଟ ଛାଣ୍ଟ କରି ୧୦୦ ପ୍ରତିଶତ ରୁ ମାତ୍ର ୩୦ ରୁ ୩୫ ପ୍ରତିଶତ ଖାଦ୍ୟ ପ୍ରସ୍ତୁତ କରି ଅତିଥି ଙ୍କୁ ଯୋଗାଇ ଦେଉଛୁ। ଗ୍ୟାସ ସଙ୍କଟ କୁ ଦୃଷ୍ଟି ରେ ରଖାଯାଇ ହୋଟେଲ ରେ ରହୁଥିବା ଅତିଥି ଙ୍କ ସହ ହୋଟେଲ କର୍ମଚାରି ଙ୍କ ଖାଦ୍ୟ ପ୍ରସ୍ତୁତ ପାଇଁ ଆମେ ଗ୍ୟାସ ର ବିକଳ୍ପ ଭାବେ କାଠ ଚୁଲାରେ ରୋଷେଇ କରି ଖାଦ୍ୟ ପ୍ରସ୍ତୁତ କରୁଛୁ। ଅଳ୍ପ କିଛି ଗ୍ୟାସ ସିଲିଣ୍ଡର ଆମ ପାଖରେ ଥିବାରୁ ସେଗୁଡିକୁ ସଞ୍ଚୟ କରି ରଖିବା ସହ ଅଳ୍ପ ବ୍ୟବହାର ପାଇଁ ପଦକ୍ଷେପ ନେଇଛୁ। ଗତ ୪ ରୁ ୫ ଦିନ ହେବ ହୋଟେଲ ରେ ରହିବା ପାଇଁ ନୁଆ ବୁକିଂ ଆସିନାହିଁ। ଗ୍ୟାସ ସଙ୍କଟ ହୋଟେଲ ଶିଳ୍ପ ଉପରେ ବହୁତ୍ ପ୍ରଭାବ ପକାଇଛି। ହୋଟେଲ ରୁମ୍ ବୁକିଙ୍ଗ ପୂର୍ବରୁ ପର୍ଯ୍ୟଟକ ମାନେ ଆମ ହୋଟେଲ ରେ ଥିବା ରେଷ୍ଟୁରାଣ୍ଟ ରେ ସ୍ଵାଭାବିକ ଭାବେ ଖାଦ୍ୟ ପ୍ରସ୍ତୁତ ହେଉଛି କି ନାହିଁ ତାହା ପଚାରୁଛନ୍ତି। ଅନେକ ପର୍ଯ୍ୟଟକ ଖାଦ୍ୟ ଅବ୍ୟବସ୍ଥା କୁ ନେଇ ପୁରୀ ଆସିବାକୁ କରିଥିବା ଯୋଜନା କୁ ସ୍ଥଗିତ ରଖୁଛନ୍ତି।ୱାଇଲ୍ଡ ଗ୍ରାସ ହୋଟେଲ ର ମାଲିକ ଯୁଗବ୍ରତ କର ନିଜ ପ୍ରତିକ୍ରିୟାରେ କୁହନ୍ତି, କମର୍ସିଆଲ ଗ୍ୟାସ ସିଲିଣ୍ଡର ସଙ୍କଟ ଏକ ଚିନ୍ତା ଜନକ ସ୍ଥିତି ସୃଷ୍ଟି କରିଛି ପୁରୀ ହୋଟେଲ ଶିଳ୍ପ ପାଇଁ। ଏବେ ହୋଟେଲ ଚଳାଇବା ବହୁତ୍ କଷ୍ଟସାଧ୍ୟ ହୋଇପଡିଛି। ଆସନ୍ତାକାଲି ଆମେ ହୋଟେଲ ଆଉ ଖୋଲି ପାରିବୁ କି ନାହିଁ ସେ ନେଇ ଏବେ ପ୍ରଶ୍ନ ଉଠିଛି। ଅନେକ ପର୍ଯ୍ୟଟକ ଏହି ଅବ୍ୟବସ୍ଥା ପାଇଁ ହୋଟେଲ ରୁମ୍ ବାତିଲ କରୁଛନ୍ତି । ସରକାର କହୁଛନ୍ତି ଆମ ପାଖରେ ପ୍ରଚୁର ଗ୍ୟାସ ଅଛି । ଯଦି ସରକାର ଙ୍କ ପାଖରେ ଗ୍ୟାସ ଅଛି ହୋଟେଲ କୁ କାହିଁକି ଗ୍ୟାସ ଯୋଗାଣ ବନ୍ଦ ରହିଛି। ଫଳରେ ଆମେ ବାହାରୁ ବହୁତ୍ ଅଧିକ ଟଙ୍କାରେ ଗ୍ୟାସ କିଣିବାକୁ ପଡୁଛି। ଏଭଳି ସ୍ଥିତି ରହିଲେ ଆମେ କେମିତି ହୋଟେଲ ଓ ରେଷ୍ଟୁରାଣ୍ଟ ଖୋଲିପାରିବୁ। ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ ଉପରେ ହଜାର ହଜାର ଲୋକ ଙ୍କ ଜୀବନ ଜୀବିକା ତିଷ୍ଠି ରହିଛି। ହୋଟେଲ ଶିଳ୍ପ କୁ ଏକ ଜରୁରୀ କାଳୀନ ସେବା ଭାବରେ ସରକାର ବିଚାର କରି ସରକାର ଗ୍ୟାସ ଯୋଗାଣ କରନ୍ତୁ। ପୁରୀ କୁ ପର୍ଯ୍ୟଟକ ଙ୍କ ଆଗମନ ହ୍ରାସ ଘଟୁଥିବା ବେଳେ ଏହା ଆଗାମୀ ଦିନରେ ହଜାର ହଜାର ଲୋକ ଜୀବନ ଜୀବିକା ଉପରେ ଗୁରୁତର ପ୍ରଭାବ ପକାଇବ ର ସମ୍ଭାବନା ରହିଛି।ପୁରୀ ରେ ପର୍ଯ୍ୟଟନ ଶିଳ୍ପ ଅଭିବୃଦ୍ଧି ପାଇଁ କାର୍ଯ୍ୟକରୁଥିବା ଇଣ୍ଡିଆ ଜାପାନ ଫେଣ୍ଡସିପ ସେଣ୍ଟର ର ସଭାପତି ତଥା ହୋଟେଲିୟର ଶ୍ରୀମନ୍ତ କୁମାର ଦାଶ ନିଜ ପ୍ରତିକ୍ରିୟାରେ କୁହନ୍ତି, ଗତ ୪ ଦିନ ହେବ ସବୁ ହୋଟେଲ କୁ କମର୍ସିଆଲ ଗ୍ୟାସ ଯୋଗାଣ ବନ୍ଦ ରହିଛି। ଏଥି ପାଇଁ ସବୁ ହୋଟେଲ ଗୁଡ଼ିକ ଘୋର ସମସ୍ୟା ର ସମ୍ମୁଖୀନ ହେଉଛୁ । ଯେଉଁ ଅତିଥି ହୋଟେଲ ରେ ରହିବେ ତାଙ୍କୁ ଆମେ ଖାଦ୍ୟ ପ୍ରସ୍ତୁତ କରିକି ଦେବୁ। ହେଲେ ଗ୍ୟାସ ଯୋଗାଣ ବନ୍ଦ ଫଳରେ ହୋଟେଲ ରେ ଥିବା ଅତିଥି ଙ୍କୁ ଆମେ ଖାଦ୍ୟ ଯୋଗାଇ ହେଉନି। ଅନେକ ହୋଟେଲ ରେଷ୍ଟୁରାଣ୍ଟ ଏବେ ସମ୍ପୂର୍ଣ ବନ୍ଦ ହୋଇଯାଇଛି। ପୁରୀ ରେ ଥିବା ୯୦ ପ୍ରତିଶତ ହୋଟେଲ ରନ୍ଧନ ଗ୍ୟାସ ଉପରେ ନିର୍ଭର କରନ୍ତି। ତାହାର କିଛି ବିକଳ୍ପ ଆମ ପାଖରେ ନାହିଁ। ତେବେ ଗ୍ୟାସ ସଙ୍କଟ କୁ ନେଇ ପୁରୀ ହୋଟେଲ ଆସୋସିଏସନ୍ ପ୍ରଶାସନ କୁ ଅଭିଯୋଗ ଜଣାଇଛି। ହେଲେ ଏନେଇ କୌଣସି ସୁଫଳ ଏ ପର୍ଯ୍ୟନ୍ତ ମିଳିନାହିଁ। ଆମେ ଏବେ ଆଗାମୀ ଦିନରେ କଣ କରିବୁ ସେ ନେଇ ଚିନ୍ତାର ଅଛୁ। ଗ୍ୟାସ ସଙ୍କଟ କୁ ନେଇ ମିଡ଼ିଆ ରେ ପ୍ରଚାର ପ୍ରସାର ଫଳରେ ପୁରୀ କୁ ପର୍ଯ୍ୟଟକ ଙ୍କ ଆଗମନ ହ୍ରାସ ପାଇଛି। ପର୍ଯ୍ୟଟକ ମାନେ ଆସିଲେ କଣ ଖାଇବେ ସେ ଚିନ୍ତାରେ ଅଛନ୍ତି। ହୋଟେଲ ଏବେ ଖାଁ ଖାଁ। ଗତ ୪ ଦିନ ହେବ ହୋଟେଲ ରେ ନୁଆ ବୁକିଙ୍ଗ ହେଉନି। ପର୍ଯ୍ୟଟକ ଙ୍କ ଆଗମନ ନ ହେଲେ ପୁରୀ ର ହୋଟେଲ ଶିଳ୍ପ ବ୍ୟାପକ କ୍ଷତି ସହିବ। ଅନେକ ଲୋକ ଙ୍କ ଜୀବନ ଜୀବିକା ପର୍ଯ୍ୟଟନ ଶିଳ୍ପ ଉପରେ ନିର୍ଭର ଥିବା ବେଳେ ସେମାନଙ୍କ ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପଡ଼ିବ। ଏଣୁ ସରକାର ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ କୁ ସୁରକ୍ଷା ପାଇଁ ଗ୍ୟାସ ଯୋଗାଣ ପାଇଁ ଯଥାଶୀଘ୍ର ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

Leave a Reply

Your email address will not be published. Required fields are marked *