୧୨୦ ଜଣ ସଫେଇ ମିତ୍ରଙ୍କୁ ସମ୍ବର୍ଦ୍ଧିତ କରିବା ସହିତ “ବଡ ଖାନା” କାର୍ଯ୍ୟକ୍ରମ
ନୟାଗଡ଼ :ନୟାଗଡ଼ ମ୍ୟୁନିସିପାଲିଟି ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୬ ଉପଲକ୍ଷେ ୧୨୦ ଜଣ ସଫେଇ ମିତ୍ରଙ୍କୁ ସମ୍ବର୍ଦ୍ଧିତ କରିବା ସହିତ “ବଡଖାନା” କାର୍ଯ୍ୟକ୍ରମ ବିଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି ।।ସଫେଇ ମିତ୍ର, ସ୍ୱଚ୍ଛ ସାଥୀ, ସ୍ୱଚ୍ଛ ସୁପରଭାଇଜର, ମହିଳା କାଉନସିଲର, ମହିଳା କର୍ମଚାରୀ ଏବଂ ଜିଲ୍ଲାସ୍ତରୀୟ ସରକାରୀ ମହିଳା ଅଧିକାରୀମାନଙ୍କୁ ସମ୍ବର୍ଦ୍ଧନା କରାଯିବା ସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି । ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ ଅଧ୍ୟକ୍ଷତା କରିଥିଲେ

ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ଡେପୁଟି କଲେକ୍ଟର ତପତି ରାଜ , ଡେପୁଟି କଲେକ୍ଟର ତପସ୍ଵନି ହାଁସଦା , ଡେପୁଟି କଲେକ୍ଟର ସ୍ଵାତୀ ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ , ଉପ-ନଗରପାଳ ଗୁରୁ ପ୍ରସାଦ ଜେନା ପ୍ରମୁଖ ଅତିଥିଭାବେ ଯୋଗଦେଇ ସଫେଇ ମିତ୍ର ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ନିଜ ହାତରେ ପରସି ଭୋଜନ କାର୍ଯ୍ୟକ୍ରମକୁ ଆଗେଇନେଇଥିଲେ । ଏତଦ୍ ବ୍ୟତୀତ ଜିଲ୍ଲା କ୍ରୀଡା ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, ଜିଲ୍ଲା କର୍ମ ନିଯୁକ୍ତି ଅଧିକାରୀଙ୍କ ସମେତ ଆସିଷ୍ଟାଣ୍ଟ କଲେକ୍ଟର ମାନେ ମଧ୍ୟ ଯୋଗ ଦେଇଥିଲେ । ବଡାଖାନା ଅର୍ଥ ସମସ୍ତେ ଏକାଠି ବସି ମଧ୍ୟାହ୍ନ ଭୋଜନ କରିବା ଓ ପରସ୍ପରକୁ ପରଶିବା l

ଆମ ଦେଶର ସଂସ୍କୃତି, ଐତିହ୍ୟ ଏବଂ ଏକତାକୁ ଉଜ୍ଜୀବିତ ରଖିବା ପାଇଁ ଏହି ପ୍ରୟାସ ଏଠାରେ ଅତି ସୁନ୍ଦର ଓ ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟ ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ପରିମଳ ବିଭାଗ କର୍ମଚାରୀମାନେ ସହଯୋଗ କରିଥିଲେ। ସ୍ୱାଧୀନତା ଠାରୁ ପରିମଳ ଅଧିକ ଗୁରୁତ୍ଵପୂର୍ଣ୍ଣ ଓ ସଫେଇ କର୍ମଚାରୀଙ୍କ ଅବଦାନ ସମାଜ ପାଇଁ ସବୁଠାରୁ ବେଶୀ ଗୁରୁତ୍ଵପୂର୍ଣ୍ଣ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ସେମାନଙ୍କୁ ଉତ୍ସାହିତ କରିବା ଓ କର୍ମକ୍ଷେତ୍ରରେ ପୁରସ୍କୃତ କରିବା ଦ୍ୱାରା ଆଗାମୀ ଦିନରେ ଦଳ ଗତ ହୋଇ ଭଲ ପ୍ରଦର୍ଶନ କରିବେ ବୋଲି ଅତିଥି ମାନେ ଗୁରୁତ୍ଵାରୋପ କରିଥିଲେ । ସମସ୍ତ କାଉନସିଲର, ସମସ୍ତ କର୍ମଚାରୀ, ପ୍ଳାଣ୍ଟ , ପାଠାଗାର ପ୍ରଭୃତି ମ୍ୟୁନିସିପାଲିଟି ଅଧୀନ ସମସ୍ତ ସଂସ୍ଥାର କର୍ମଚାରୀମାନେ ଯୋଗ ଦେଇଥିଲେ। ଏହା ସହିତ ବରିଷ୍ଠ ନାଗରିକ, ସାମ୍ବାଦିକ, ରୋଟାରିଆନ,ବଣିକ ସଂଘ, ସିଭିଲ ସୋସାଇଟିର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ। ସମସ୍ତେ ଏକାଠି ମିଶି ଭୋଜନ କରିଥିଲେ ।ନୟାଗଡ ସହରରେ ଏହା ଏକ ନିଆରା ଉତ୍ସବ ବୋଲି ସାଧାରଣରେ ମତ ପ୍ରକାଶ ପାଇବା ସହିତ, କର୍ମଚାରୀମାନେ ଖୁସି ବ୍ୟକ୍ତ କରିଥିବାର ଜଣାପଡ଼ିଛି ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
