April 18, 2026
Home » ସିଡବ୍ଲ୍ୟୁସିରେ କେନ୍ଦ୍ରୀୟ ଗୁଇନ୍ଦା ବିହାର ଅରାରିଆରୁ ୧୬ ଦିନ ଭିତରେ ଓଡ଼ିଶାକୁ ୮୫ ଶିଶୁ ଚାଲାଣ

ସିଡବ୍ଲ୍ୟୁସିରେ କେନ୍ଦ୍ରୀୟ ଗୁଇନ୍ଦା ବିହାର ଅରାରିଆରୁ ୧୬ ଦିନ ଭିତରେ ଓଡ଼ିଶାକୁ ୮୫ ଶିଶୁ ଚାଲାଣ

0
WhatsApp Image 2026-04-17 at 7.56.35 PM

 

କଟକ :ନିର୍ଦ୍ଦିଷ୍ଟ ସ୍ଥାନରୁ ଶିଶୁଙ୍କୁ ବିଭିନ୍ନ ରାଜ୍ୟକୁ ଚାଲାଣ ଘଟଣାର ଅନୁଧ୍ୟାନ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟର ଗୁଇନ୍ଦା ଅଧିକାରୀ କଟକ ସିଡବ୍ଲ୍ୟୁସିରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି। ଅନ୍ୟପଟେ ଗ୍ରାମାଞ୍ଚଳ ଏସ୍‌ପିଙ୍କ ନେତୃତ୍ବରେ ଏକ ଟିମ୍ ଓ ଜିଲ୍ଲା ପ୍ରଶାସନର ଏକ ଟିମ୍ ମିଳିତ ଭାବେ କଟକ ଜିଲ୍ଲାରେ ଥିବା ମଦ୍ରାସାଗୁଡ଼ିକରେ ଯାଞ୍ଚ କରୁଥିବା ସୂଚନା ମିଳିଛି।ବିହାର ଅରାରିଆରୁ ୧୬ ଦିନ ଭିତରେ ଓଡ଼ିଶାକୁ ୮୫ ଓ ମଧ୍ୟପ୍ରଦେଶକୁ ୧୬୩ ଶିଶୁ ଚାଲାଣ ହୋଇଛନ୍ତି। ଏମାନଙ୍କୁ ମଦ୍ରାସାରେ ପଢ଼ିବା ଉଦ୍ଦେଶ୍ୟରେ ଅଣାଯାଉଥିବା କୁହାଯାଉଥିବା ବେଳେ ଏହାକୁ ନେଇ ପୁଲିସର ସନ୍ଦେହ ବଢ଼ିବାରେ ଲାଗିଛି।
ଏପ୍ରିଲ ୧ ତାରିଖରେ ବିହାର ଅରାରିଆରୁ ୧୪ ନାବାଳକଙ୍କୁ କଟକ ଷ୍ଟେସନ୍‌ରୁ ଉଦ୍ଧାର କରାଯାଇଥିଲା। କଟକ ଜିଲ୍ଲା ସାଲେପୁର ଥାନା ପିକୋଲର ଜଣେ ମୌଲାନା ଅରାରିଆରୁ ଟ୍ରେନ୍‌ରେ ପିଲାମାନଙ୍କୁ ନିଜ ମଦ୍ରାସାକୁ ଆଣିଥିଲେ। ଆର୍‌ପିଏଫ୍ ପକ୍ଷରୁ ସମସ୍ତ ନାବାଳକ କିଶନଗଞ୍ଜରୁ କଟକ ଆସୁଥିବା ବେଳେ ଉଦ୍ଧାର କରାଯାଇଥିଲା। ଏପ୍ରିଲ ୧୦ ତାରିଖରେ ମଧ୍ୟପ୍ରଦେଶର ଜବଲପୁର ଓ କଟନି ରେଳଷ୍ଟେସନରେ ୧୬୩ ଜଣ ଶିଶୁ ଉଦ୍ଧାର ହୋଇଥିଲେ। ଏମାନେ ସମସ୍ତେ ୧୦ରୁ ୧୪ ବର୍ଷ ବୟସର ଥିଲେ। ବିହାର ଆରରିଆ ଜିଲ୍ଲା ଜୋକିହାଟ ଅଞ୍ଚଳର ଏହି ନାବାଳକ ପାଟନା ଷ୍ଟେସନରୁ ମଧ୍ୟପ୍ରଦେଶରେ ଥିବା ଏକ ମଦ୍ରାସାକୁ ଆସୁଥିବା ଜଣାପଡ଼ିଥିଲା। ୧୧ ତାରିଖରେ ଦ୍ବିତୀୟ ଥର କଟକ ରେଳଷ୍ଟେସନରୁ ୧୨ ଜଣ ନାବାଳକଙ୍କୁ ଆର୍‌ପିଏଫ୍‌ ଉଦ୍ଧାର କରିଥିଲା। ଏମାନେ ଅମୃତ ଭାରତ ଏକ୍ସପ୍ରେସ୍‌ରେ କଟକ ଆସିଥିଲେ। ଏମାନେ ବି ବିହାର ଅରାରିଆ ଜିଲ୍ଲାର ବୋଲି ଜଣାପଡ଼ିଥିଲା। ୧୪ ତାରିଖରେ ପୁଣି ଥରେ କଟକ ଷ୍ଟେସନରୁ ୫୯ ଜଣ ନାବାଳକଙ୍କୁ ଉଦ୍ଧାର କରାଯାଇଥିଲା। ହାୱଡ଼ା-ପୁରୀ ଧଉଳି ଏକ୍ସପ୍ରେସ୍‌ରେ ଅଣାଯାଇଥିଲା। ଏମାନଙ୍କୁ ପ୍ରଥମେ ଅରାରିଆରୁ କଟିହାର ଅଣାଯାଇଥିଲା। ସେଠାରୁ ସେମାନଙ୍କ ଅଞ୍ଚଳର ୪/୫ ଜଣ ବ୍ୟକ୍ତି ହାୱଡ଼ା ଆଣିଥିଲେ। ଓଡ଼ିଶାର ଜଣେ ମୌଲାନା ସେମାନଙ୍କୁ ହାୱଡ଼ାରୁ କଟକ ଆଣିଥିଲା। ସେମାନଙ୍କୁ ମାଗଣାରେ ଖାଇବା, ରହିବା ଓ ଧାର୍ମିକ ଶିକ୍ଷା ଦେବାର ପ୍ରତିଶ୍ରୁତି ଦିଆଯାଇଥିଲା। ରଘୁନାଥପୁର, ଚାନ୍ଦପୁରର ମୌଲାନା ସେମାନଙ୍କୁ ଜଗତସିଂହପୁର ଦେଉଳି ଗ୍ରାମେଶ୍ବରରେ ଥିବା ମଦ୍ରାସାରେ ରଖି ପଢ଼ାଇବା ପାଇଁ ଆଣିଥିବା କହିଥିଲେ। କିନ୍ତୁ ଏ ସମ୍ପର୍କିତ ଉପଯୁକ୍ତ ପ୍ରମାଣପତ୍ର ସେ ସିଡବ୍ଲ୍ୟୁସିରେ ଗୁରୁବାର ସୁଦ୍ଧା ଦେଖାଇ ପାରିନାହାନ୍ତି ବୋଲି ସିଡବ୍ଲ୍ୟୁସି ଅଧ୍ୟକ୍ଷ ମାନସ ରଞ୍ଜନ ବିଶ୍ବାଳ କହିଛନ୍ତି। ବାରମ୍ବାର ଗୋଟିଏ ସ୍ଥାନରୁ ଏତେ ସଂଖ୍ୟାରେ ଶିଶୁ କଟକ ଆସୁଥିବାରୁ ଏହାର ତଦନ୍ତ କେନ୍ଦ୍ରୀୟ ଟିମ୍‌ ଆରମ୍ଭ କରିଛି। ମୌଲାନାଙ୍କୁ ପଚରାଉଚରା କରିଛନ୍ତି। ମଦ୍ରାସାକୁ ଆର୍ଥିକ ପ୍ରୋତ୍ସାହନ ସମ୍ପର୍କରେ ଅନୁଧ୍ୟାନ କରାଯାଉଥିବା ଶ୍ରୀ ବିଶ୍ବାଳ ସୂଚନା ଦେଇଛନ୍ତି। ଅନ୍ୟପଟେ କଟକ ଗ୍ରାମାଞ୍ଚଳ ଏସ୍‌ପି ବିନୀତ ଅଗ୍ରୱାଲ୍‌ କହିଛନ୍ତି ଯେ ଏହି ଘଟଣାରେ ଯାଞ୍ଚ କରାଯାଉଛି। ଜିଲ୍ଲାର ଅଫିସରମାନେ ଏହାକୁ ଯାଞ୍ଚ କରୁଥିବା ଶ୍ରୀ ଅଗ୍ରୱାଲ୍‌ ସୂଚନା ଦେଇଛନ୍ତି।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *