ବିଶ୍ୱ ପ୍ରଯୁକ୍ତିବିଦ୍ୟା ଦିବସ ପାଳିତ
ସୁବର୍ଣ୍ଣପୁର —ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନରେ ଥିବା ‘ମେରା ଯୁବା ଭାରତ’ ସୋନପୁର ଏବଂ ‘ମହାନଦୀ ଧାରା’ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ୧୧ ମଇ ୨୦୨୬ ରିଖରେ ବିଶ୍ୱ ପ୍ରଯୁକ୍ତିବିଦ୍ୟା ଦିବସ ଅବସରରେ ଏକ ସଭା ଓ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ମହାନଦୀ ଧାରାର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ପ୍ଲାବନ ମହାପାତ୍ରଙ୍କ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଏହି ଅବସରରେ ଶ୍ରୀଯୁକ୍ତ ମହାପାତ୍ର କହିଥିଲେ ଯେ, “ପ୍ରଯୁକ୍ତିବିଦ୍ୟା କେବଳ ଏକ ସୁବିଧା ନୁହେଁ, ବରଂ ଏହା ସାମାଜିକ ପରିବର୍ତ୍ତନର ଏକ ଶକ୍ତିଶାଳୀ ମାଧ୍ୟମ । ଆମର ଲକ୍ଷ୍ୟ ହେଉଛି ଗ୍ରାମାଞ୍ଚଳର ଯୁବପିଢ଼ିଙ୍କୁ ବୈଷୟିକ ଜ୍ଞାନରେ ସଶକ୍ତ କରିବା।”ଏହି କାର୍ଯ୍ୟକ୍ରମରେ ସୋନପୁର କଲେଜର ଆଇ.ଟି. ଅଧ୍ୟାପିକା ନିରୋଜା ଗୁରୁ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ବୈଷୟିକ ଜ୍ଞାନ ସାହାଯ୍ୟରେ ଏକ ସଫଳ ଭବିଷ୍ୟତ ଗଢ଼ିବାକୁ ପରାମର୍ଶ ଦେଇଥିଲେ। ‘ମେରା ଯୁବା ଭାରତ’ ଟିମ୍ ପକ୍ଷରୁ କୃପାସିନ୍ଧୁ ସା ମଧ୍ୟ ଯୋଗ ଦେଇ ଆଧୁନିକ ପ୍ରଯୁକ୍ତିବିଦ୍ୟାର ସଠିକ୍ ବିନିଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ । ମହାନଦୀ ଧାରାର ଅଧ୍ୟକ୍ଷା ଆଭା ପୂଜାରୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରି କହିଥିଲେ ଯେ, “ଶିକ୍ଷା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଶିକ୍ଷଣ ପ୍ରକ୍ରିୟାକୁ ଅଧିକ ସହଜ ଓ ପ୍ରଭାବଶାଳୀ କରିଥାଏ। ଆଜିର ଯୁବପିଢ଼ି କେବଳ ପ୍ରଯୁକ୍ତିବିଦ୍ୟାର ବ୍ୟବହାରକାରୀ ନହୋଇ ଏହାର ନବସୃଜନକାରୀ ହେବା ଆବଶ୍ୟକ।”ଏହି ଦିବସ ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ସାଧାରଣ ଜ୍ଞାନ (GK) ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ କୃତିତ୍ୱ ହାସଲ କରିଥିବା ବିଭିନ୍ନ ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଅନୁଷ୍ଠାନର ବହୁ ସଂଖ୍ୟକ ଯୁବକ ଏହି କାର୍ଯ୍ୟକ୍ରମରୁ ପ୍ରଯୁକ୍ତିବିଦ୍ୟାର ଗୁରୁତ୍ୱ ଓ ଜାତୀୟ ବିକାଶରେ ଏହାର ଭୂମିକା ବିଷୟରେ ଅନେକ ଶିକ୍ଷା ଲାଭ କରିଥିଲେ। ଶେଷରେ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅତିଥିମାନଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
