ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ସାମ୍ବାଦିକ ସମ୍ମିଳନୀ
ଭୁବନେଶ୍ୱର: ଆସନ୍ତା ୦୩–୦୫ ଜୁନ୍ ୨୦୨୬ରେ ଓଡ଼ିଶାର ପୁରୀଠାରେ ଅନୁଷ୍ଠିତ ହେବ ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଷୟିକ ବୈଠକ (Second BRICS Technical Meeting of Disaster Risk Reduction Working Group). ଏପରି ଏକ ଅନ୍ତର୍ଜାତୀୟ ବୈଠକ ଆମ ରାଜ୍ୟରେ ଏବଂ ବିଶେଷ ଭାବେ ପୁରୀଠାରେ ଅନୁଷ୍ଠିତ ହେବା ନିଶ୍ଚିତ ରୂପେ ଆମ ସଭିଙ୍କ ପାଇଁ ଗର୍ବର ବିଷୟ l ଜୁନ୍ ୪ ତାରିଖରେ ଏହାର ଉଦଘାଟନୀ ଅଧିବେଶନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ l ବ୍ରିକ୍ସ୍ ରାଷ୍ଟ୍ରସମୂହଙ୍କ ସହ ଭାରତର ବିଭିନ୍ନ ରାଜ୍ୟର ପ୍ରତିନିଧି ଏବଂ ବିଶେଷଜ୍ଞବୃନ୍ଦ ମଧ୍ଯ ଏହି ତିନିଦିନିଆ ବୈଠକରେ ଯୋଗ ଦେବେ l
ବ୍ରିକ୍ସ୍ (BRICS) ହେଉଛି ବିଶ୍ୱର ଉଦୀୟମାନ ଅର୍ଥନୀତିଗୁଡ଼ିକୁ ନେଇ ଗଠିତ ଏକ ପ୍ରମୁଖ ଅନ୍ତର୍ଜାତୀୟ ଆନ୍ତଃସରକାରୀ ସଂଗଠନ ଏବଂ ଭୂ-ରାଜନୈତିକ ମଞ୍ଚ। ଏହାର ସଦସ୍ୟ ରାଷ୍ଟ୍ରଗୁଡ଼ିକ ହେଲେ ବ୍ରାଜିଲ୍, ରୁଷ୍, ଭାରତ, ଚୀନ, ଦକ୍ଷିଣ ଆଫ୍ରିକା, ସାଉଦି ଆରବ, ଇଜିପ୍ଟ, ସଂଯୁକ୍ତ ଆରବ ଏମିରେଟ୍ସ (UAE), ଇଥିଓପିଆ, ଇରାନ୍ ଓ ଇଣ୍ଡୋନେସିଆ। ସାମୂହିକ ଭାବେ ଏହି ଗୋଷ୍ଠୀ ବିଶ୍ୱ ଜନସଂଖ୍ୟାର ପ୍ରାୟ ଅର୍ଦ୍ଧାଂଶ ଏବଂ ବିଶ୍ୱର ମୋଟ ଜାତୀୟ ଉତ୍ପାଦନ(GDP)ର ଏକ-ତୃତୀୟାଂଶରୁ ଅଧିକ ଅଂଶର ପ୍ରତିନିଧିତ୍ୱ କରେ।
ଭାରତର ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(NDMA) ଅଧ୍ୟକ୍ଷତାରେ ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ (DRR)କାର୍ଯ୍ୟଗୋଷ୍ଠୀର ପ୍ରଥମ ବୈଷୟିକ ବୈଠକ ୨୯–୩୦ ଏପ୍ରିଲ ୨୦୨୬ ରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା। ଭାରତର ବ୍ରିକ୍ସ୍ ଅଧ୍ୟକ୍ଷତା ଅଧୀନରେ ପ୍ରଥମ ପ୍ରତ୍ୟକ୍ଷ ବୈଷୟିକ ବୈଠକ ୦୩–୦୫ ଜୁନ୍ ୨୦୨୬ ମଧ୍ୟରେ ଓଡ଼ିଶାର ପୁରୀସ୍ଥିତ ତାଜ୍ ପୁରୀ ରିସୋର୍ଟରେ ଅନୁଷ୍ଠିତ ହେବ।
ବିପର୍ଯ୍ୟୟ ପ୍ରସ୍ତୁତି, ବାତ୍ୟା ପରିଚାଳନା ଏବଂ ପ୍ରାରମ୍ଭିକ ସତର୍କ ସୂଚନା ବ୍ୟବସ୍ଥାରେ ଓଡ଼ିଶାର ବିଶ୍ୱସ୍ତରୀୟ ସଫଳତାକୁ ଦୃଷ୍ଟିରେ ରଖି ଆମ ରାଜ୍ୟକୁ ଆୟୋଜକ ଭାବେ ଚୟନ କରାଯାଇଛି। ବ୍ରିକ୍ସ୍ ସଦସ୍ୟ ଓ ସହଯୋଗୀ ଦେଶଗୁଡ଼ିକର ପ୍ରତିନିଧି, ନୀତି-ନିର୍ଦ୍ଧାରକ ଏବଂ ବିପର୍ଯ୍ୟୟ ପରିଚାଳନା ବିଶେଷଜ୍ଞମାନେ ଏଥିରେ ଅଂଶଗ୍ରହଣ କରିବେ। ବୈଠକରେ ସ୍ଥାୟୀ ଡିଆରଆର ଅର୍ଥ ପରିଚାଳନା, ଭିତ୍ତିଭୂମି, ପୂର୍ବାନୁମାନ ଆଧାରିତ ପ୍ରତିକ୍ରିୟା ଏବଂ ପାରମ୍ପରିକ ଜ୍ଞାନର ସମନ୍ୱୟ ଭଳି ବିଭିନ୍ନ ବିଷୟ ଉପରେ ଆଲୋଚନା ହେବ।
କାର୍ଯ୍ୟକ୍ରମର ସାରାଂଶ
ତାରିଖ: ୦୩–୦୫ ଜୁନ୍ ୨୦୨୬
ସ୍ଥାନ: ପୁରୀ, ଓଡ଼ିଶା
ଥିମ୍ : ବିପର୍ଯ୍ୟୟ ପ୍ରତିରୋଧୀ କ୍ଷମତା, ନୂତନ ଜ୍ଞାନକୌଶଳ, ସହଯୋଗ ଏବଂ ସ୍ଥାୟୀତ୍ୱର ବିକାଶ
ଅଂଶଗ୍ରହଣ : ବ୍ରିକ୍ସ୍ ସଦସ୍ୟ ଦେଶ ଓ ଜ୍ଞାନ-ସହଯୋଗୀ ସଂସ୍ଥାମାନଙ୍କର ପ୍ରତିନିଧିବୃନ୍ଦ
କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ :-
୧. ପୂର୍ବ-କାର୍ଯ୍ୟକ୍ରମ (୦୨ ଜୁନ୍ ୨୦୨୬)
ପ୍ରତିନିଧିମାନଙ୍କ ଆଗମନ ଓ ଅନୌପଚାରିକ ଆଲୋଚନା।
୨. ସାଇଡ୍ ଇଭେଣ୍ଟ (୦୩ ଜୁନ୍ ୨୦୨୬)
ନିମ୍ନଲିଖିତ ବିଷୟ ଉପରେ ଥିମ୍ ଭିତ୍ତିକ ଆଲୋଚନା :-
– ଗୋଷ୍ଠୀଭିତ୍ତିକ ଡିଆରଆର ଶାସନ ବ୍ୟବସ୍ଥା/ପରିଚାଳନା
– ବିପର୍ଯ୍ୟୟ ସମ୍ଭାବ୍ୟ ବିପଦ ନିମନ୍ତେ ସୁଦୃଢ଼ ଅର୍ଥବ୍ୟବସ୍ଥା
– ବହୁମୁଖୀ ବିପଦ ପ୍ରାରମ୍ଭିକ ସତର୍କ ସୂଚନା ବ୍ୟବସ୍ଥା
– ଜଳବାୟୁ – ପ୍ରତିରୋଧକ ଭିତ୍ତିଭୂମି
– ପ୍ରକୃତି ଆଧାରିତ ଏବଂ ସ୍ଵଦେଶୀ ସମାଧାନ
– ଡିଆରଆର କ୍ଷେତ୍ରରେ ବିଜ୍ଞାନ, ପ୍ରଯୁକ୍ତି ଏବଂ ନୂତନ ଜ୍ଞାନକୌଶଳ
୩. ମୁଖ୍ୟ କାର୍ଯ୍ୟକ୍ରମ – ପ୍ରଥମ ଦିବସ (୦୪ ଜୁନ୍ ୨୦୨୬)
ସକାଳ ୯.୩୦ – ୧୧.୩୦ – ଉଦଘାଟନୀ ଅଧିବେଶନ
ମୁଖ୍ୟ ଅତିଥି – ଶ୍ରୀ ମୋହନ ଚରଣ ମାଝୀ, ମାନ୍ୟବର ମୁଖ୍ୟମନ୍ତ୍ରୀ
ମୁଖ୍ୟ ବକ୍ତା – ଶ୍ରୀ ସୁରେଶ ପୂଜାରୀ, ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ
ବୈଷୟିକ ଆଲୋଚନା :
– ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ସ୍ଥାୟୀ ଅର୍ଥ ବ୍ୟବସ୍ଥା
– ସମାବେଶୀ ପ୍ରାରମ୍ଭିକ ସତର୍କ ସୂଚନା ବ୍ୟବସ୍ଥା
– ସାଂସ୍କୃତିକ କାର୍ଯ୍ୟକ୍ରମ (କୋଣାର୍କ ପରିଦର୍ଶନ)
୪. ମୁଖ୍ୟ କାର୍ଯ୍ୟକ୍ରମ – ଦ୍ୱିତୀୟ ଦିବସ (୦୫ ଜୁନ୍ ୨୦୨୬)
ବୈଷୟିକ ଅଧିବେଶନ :
– ଜଳବାୟୁ – ପ୍ରତିରୋଧକ ଭିତ୍ତିଭୂମି
– ପାରମ୍ପରିକ ଏବଂ ପ୍ରକୃତି ଆଧାରିତ ସମାଧାନର ସମନ୍ୱୟ
– ଡିଆରଆରରେ ବିଜ୍ଞାନ ଓ ପ୍ରଯୁକ୍ତିର ଭୂମିକା
– ରାମଚଣ୍ଡୀରେ ନୌକା-ଉଦ୍ଧାର କାର୍ଯ୍ୟକଳାପର କ୍ଷେତ୍ର ପରିଦର୍ଶନ
୫. ଆଶାକରାଯାଉଥିବା ପ୍ରମୁଖ ଫଳାଫଳ :-
– ବିପର୍ଯ୍ୟୟ ବିପଦ ହ୍ରାସ କ୍ଷେତ୍ରରେ ବ୍ରିକ୍ସ୍ ଦେଶମାନଙ୍କ ମଧ୍ୟରେ ସହଯୋଗ ସୁଦୃଢ଼ ହେବ।
– ବୈଷୟିକ ରିପୋର୍ଟ୍ ଓ ନୀତିଗତ ଢାଞ୍ଚା ପ୍ରସ୍ତୁତ ହେବ।
– ବିସ୍ତାରଯୋଗ୍ୟ ଅର୍ଥ ବ୍ୟବସ୍ଥା ଓ ନୂତନ ଜ୍ଞାନକୌଶଳ ପ୍ରୟୋଗ ଉଦ୍ଦେଶ୍ଯରେ ମଡେଲ୍ ଚିହ୍ନଟ କରାଯିବ।
– ସଦସ୍ୟ ଦେଶମାନଙ୍କ ମଧ୍ୟରେ ଜ୍ଞାନ ବିନିମୟ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବ।
୬. ଓଡ଼ିଶା ପାଇଁ ଗୁରୁତ୍ୱ :-
– ବିପର୍ଯ୍ୟୟ ପ୍ରତିରୋଧ କ୍ଷେତ୍ରରେ ଓଡ଼ିଶାକୁ ବିଶ୍ୱସ୍ତରୀୟ ନେତୃତ୍ୱର ସ୍ଥାନ ପ୍ରଦାନ କରିବା।
– ପ୍ରାରମ୍ଭିକ ସତର୍କ ସୂଚନା ବ୍ୟବସ୍ଥା ଏବଂ ବିପର୍ଯ୍ୟୟ ପରିଚାଳନାରେ ରାଜ୍ୟର ସଫଳ ମଡେଲକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବା।
– ଅନ୍ତର୍ଜାତୀୟ ସହଯୋଗ ଏବଂ ଓଡ଼ିଶାର ବିଶ୍ୱସ୍ତରୀୟ ପରିଚିତିକୁ ଆହୁରି ସମୃଦ୍ଧ କରିବ l
