ପୁଣି ରାଜରାସ୍ତାରେ ଚାଷୀ
କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକର କୁଟ୍ରୁ ଛକରେ ଚାଷୀଙ୍କ ରାସ୍ତାରୋକ
ଟୋକନ ଅଛି, ଧାନ ଉଠୁନି; ମଣ୍ଡି ସମସ୍ୟାକୁ ନେଇ ଚାଷୀଙ୍କ ବିକ୍ଷୋଭ…..
କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକର କୁଟ୍ରୁ ଛକରେ ଚାଷୀଙ୍କ ରାସ୍ତାରୋକ ଚାଲିଛି। ରବି ଧାନ ସଂଗ୍ରହରେ ବ୍ୟାପକ ଅବ୍ୟବସ୍ଥା ଓ ମିଲରଙ୍କ ମନମୁଖୀ କଟନି ପ୍ରତିବାଦରେ କୁଟ୍ରୁ ପାକ୍ସର ଶତାଧିକ ଚାଷୀ ଜୟପାଟଣା-ମୋଟେର ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି । ଯାହା ଫଳରେ ଯାତାୟାତ ଏବେ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ।କଳାହାଣ୍ଡି ଜିଲ୍ଲାରେ ରବି ଧାନ କିଣାରେ ଦେଖାଦେଇଥିବା ଚରମ ମଣ୍ଡି ଅବ୍ୟବସ୍ଥା ଏବେ ଚାଷୀଙ୍କୁ ଆନ୍ଦୋଳନ ପାଇଁ ବାଧ୍ୟ କରିଛି । କୁଟ୍ରୁ ପାକ୍ସରେ ଧାନ କ୍ରୟ ପ୍ରକ୍ରିୟା ଏବେ ସମ୍ପୂର୍ଣ୍ଣ ସ୍ଥାଣୁ ପାଲଟିଯାଇଛି । ଚାଷୀଙ୍କ ପାଖରେ ସରକାରୀ ଟୋକନ ଥାଇ ମଧ୍ୟ ମଣ୍ଡିରୁ ଧାନ ଉଠୁନାହିଁ । ଅନ୍ୟପଟେ ମିଲରମାନେ ସରକାରୀ ନିୟମକୁ ବେଖାତିର କରି ନିଜ ଇଚ୍ଛା ମୁତାବକ କଟନି ଫିକ୍ସ କରୁଥିବା ନେଇ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଚାଷୀ।ମିଲରମାନେ ସରକାରୀ ନିୟମକୁ ବେଖାତିର କରି ନିଜ ଇଚ୍ଛା ମୁତାବକ କଟନି ଫିକ୍ସ କରୁଥିବା ନେଇ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଚାଷୀ ।ଦୀର୍ଘ ଦିନ ଧରି ମଣ୍ଡି ଖୋଲା ଆକାଶ ତଳେ କଷ୍ଟ ଉପାର୍ଜିତ ରବି ଧାନ ପଡ଼ିରହିବା ଫଳରେ, ବିକ୍ରି ନହୋଇ ଏହା ନଷ୍ଟ ହେବାକୁ ବସିଲାଣି ।

ଏଭଳି ସ୍ଥିତିରେ ଚାଷୀ ଏବେ ଋଣ ବୋଝ ଏବଂ ଗୁରୁତର ଆର୍ଥିକ ସମସ୍ୟାରେ ଜର୍ଜରିତ ହୋଇପଡ଼ିଛନ୍ତି । ପ୍ରଶାସନକୁ ବାରମ୍ବାର ଗୁହାରି କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଶେଷରେ ପ୍ରଶାସନର ଏହି ଚରମ ନିଷ୍କ୍ରିୟତା ଏବଂ ମିଲର-ଅଧିକାରୀଙ୍କ ମଧୁଚନ୍ଦ୍ରିକା ବିରୋଧରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି । ଚାଷୀଙ୍କ ସ୍ପଷ୍ଟ ଚେତାବନୀ, ଯେପର୍ଯ୍ୟନ୍ତ କଟନି ବନ୍ଦ ହୋଇନାହିଁ ଏବଂ ସମସ୍ତ ଧାନ ସୁରୁଖୁରୁରେ ନଉଠିଛି, ସେପର୍ଯ୍ୟନ୍ତ ଏହି ଚକାଜାମ୍ ଆନ୍ଦୋଳନ ଜାରି ରହିବ” ।ସୂଚନା ଅନୁଯାୟୀ ଗତ ୨୦ ତାରିଖ ରୁ ଜିଲ୍ଲାରେ ଧାନମଣ୍ଡି ଆରମ୍ଭ ହେଇଥିଲା। ଅଥଚ କଲମପୁର ବ୍ଲକ୍ ବିଜମରା, ବଡକୁଟୃ,ଦୁଲକିବନ୍ଧ ଏବଂ ଡଙ୍ଗରିପଡା ମଣ୍ଡି ଆରମ୍ଭ ହୋଇ ନଥିଲା। ଚାଷୀ ଙ୍କ ଦାବିପରେ ମଣ୍ଡି କୁ ଧାନ ଆଣିବାକୁ କୁହାଗଲା। ଅଥଚ କ୍ୱିଣ୍ଟାଲ ପିଛା ୭ କେଜି କଟନି କରିବାକୁ ମିଲର୍ସ ଏଜେଣ୍ଟ ଜିଦ୍ ଧରିଥିବା ଅଭିଯୋଗ ହେଇଛି। ଏଣୁ ବିଜମରା, ଦୁଲକିବନ୍ଧ ଅଞ୍ଚଳର ଚାଷୀ ମାନେ ଆଜି ସକାଳ ରୁ ରାସ୍ତାରୋକୋ କରିଛନ୍ତି। ବଡ଼ କୁଟରୁ ଛକ ନିକଟରେ ରାସ୍ତା ଉପରେ ଚାଷୀ ଙ୍କ ଧାରଣା ଯୋଗୁଁ ମୋଟେର ରୁ ଜୟପାଟଣା, ମୁଖୀଗୁଡ଼ା ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଆନ୍ଦୋଳନ ସ୍ଥଳରେ ତହସିଲଦାର ସ୍ମରଣୀକା ତୁଳ, ଅତିରିକ୍ତ ତହସିଲଦାର ଦେବୀ ପ୍ରସନ୍ନ ଷଡଙ୍ଗୀ, ଉପଖଣ୍ଡ ଯୋଗାଣ ଅଧିକାରୀ ରାଜାରାମ ହୋତା, ବ୍ଲକ୍ ଯୋଗାଣ ଅଧିକାରୀ ଲିସା ସାହୁ, ରାଜସ୍ଵ ନିରୀକ୍ଷକ ଅର୍ଚ୍ଚନା ସାହୁ ପ୍ରମୁଖ ଉପସ୍ଥିତ ରହି ଆନ୍ଦୋଳନର ନେତୃତ୍ବ ନେଇଥିବା ଚାଷୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
