June 15, 2026
Home » ଅନିତା ମହାକୁଡ଼ ହତ୍ୟା ମାମଲାରେ ନୂଆ ମୋଡ଼, ଆଉ ୨ ଗିରଫ

ଅନିତା ମହାକୁଡ଼ ହତ୍ୟା ମାମଲାରେ ନୂଆ ମୋଡ଼, ଆଉ ୨ ଗିରଫ

0
WhatsApp Image 2026-06-15 at 10.06.37 AM

ଯୋଡ଼ା – କେନ୍ଦୁଝର ଜିଲ୍ଲା ଭଦ୍ରାସାହି ପଞ୍ଚାୟତ ଅନ୍ତର୍ଗତ ଝାଡ଼ଗାଁ ଅଞ୍ଚଳର ବହୁଚର୍ଚ୍ଚିତ ଅନିତା ମହାକୁଡ଼ ହତ୍ୟା ମାମଲାରେ ପୋଲିସକୁ ଆଉ ଏକ ବଡ଼ ସଫଳତା ମିଳିଛି। ମୁଖ୍ୟ ଅଭିଯୁକ୍ତ ସଂଗ୍ରାମ ଆଲଡାଙ୍କ ଗିରଫ ପରେ ହତ୍ୟାକାଣ୍ଡରେ ସହଯୋଗ ଓ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଆଉ ଦୁଇ ଜଣଙ୍କୁ ବଡ଼ବିଲ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।ଗିରଫ ଅଭିଯୁକ୍ତମାନେ ହେଲେ ଭଦ୍ରାସାହି ପଞ୍ଚାୟତ ଅନ୍ତର୍ଗତ ଝାଡ଼ଗାଁ ଗ୍ରାମର ରାହୁଲ ନାଏକ (୨୦) ଓ କୃଷ୍ଣା ନାଏକ (୨୦)। ପୋଲିସ ସୂଚନା ଅନୁସାରେ, ଗତ ମେ ୧୧ ତାରିଖରୁ ଅନିତା ମହାକୁଡ଼ ନିଖୋଜ ଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ମୃତଦେହ ଉଦ୍ଧାର ହେବା ପରେ ପରିବାର ପକ୍ଷରୁ ଅଭିଯୋଗ ଦାଖଲ ହୋଇଥିଲା। ଏହାକୁ ଆଧାର କରି ବଡ଼ବିଲ ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା।ତଦନ୍ତ କ୍ରମରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସଂଗ୍ରାମ ଆଲଡାଙ୍କୁ ଗିରଫ କରିଥିଲା। ପରେ ଅଧିକ ଖୋଳତାଡ଼ରୁ ଜଣାପଡ଼ିଥିଲା ଯେ, ହତ୍ୟାକାଣ୍ଡ ପରେ ସଂଗ୍ରାମ ଆଲଡା ରାହୁଲ ନାଏକ ଓ କୃଷ୍ଣା ନାଏକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଏହାପରେ ଉଭୟ ଅଭିଯୁକ୍ତ ମୃତଦେହକୁ ଘଟଣାସ୍ଥଳରୁ ହଟାଇ ରୋଇଡା ଜଙ୍ଗଲରେ ଲୁଚାଇବା, ପତ୍ର ଓ ପଥରରେ ଘୋଡ଼ାଇ ରଖିବା ସହ ଅପରାଧର ପ୍ରମାଣ ନଷ୍ଟ କରିବାରେ ସହଯୋଗ କରିଥିବା ତଦନ୍ତରୁ ସାମ୍ନାକୁ ଆସିଛି।ପୋଲିସ ଗିରଫ ବେଳେ ରାହୁଲ ନାଏକଙ୍କ ନିକଟରୁ ଏକ ମୋଟରସାଇକେଲ ଜବତ କରିଛି। ପ୍ରାଥମିକ ପ୍ରମାଣ ଆଧାରରେ ଉଭୟ ଅଭିଯୁକ୍ତଙ୍କ ବିରୋଧରେ ବିଏନଏସର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି।ରବିବାର ଦିନ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ଚର୍ଚ୍ଚିତ ହତ୍ୟା ମାମଲାରେ ଅଧିକ ତଥ୍ୟ ଓ ପ୍ରମାଣ ସଂଗ୍ରହ ପାଇଁ ତଦନ୍ତ ଜାରି ରହିଥିବା ବଡ଼ବିଲ ପୋଲିସ ପକ୍ଷରୁ ସୂଚନା ମିଳିଛି।
କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।

Leave a Reply

Your email address will not be published. Required fields are marked *